ନୂଆଦିଲ୍ଲୀ: ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ସ୍ମାର୍ଟଫୋନ୍ ମାୟା ରେ ବାୟା । କେବଳ ସ୍ମାର୍ଟଫୋନ ନୁହେଁ ସମସ୍ତେ ସୋସିଆଲ ମିଡିଆରେ ମଧ୍ୟ ସକ୍ରିୟ ରହୁଛନ୍ତି । କିନ୍ତୁ ସେମାନେ ବୁଝିବାକୁ ନାରାଜ ଯେ ସୋସିଆଲ ମିଡିଆ ଯେତିକି ଉପକାର କରୁଛି ସେତିକି ସମସ୍ୟା ମଧ୍ୟ ସୃଷ୍ଟି କରୁଛି । ଏହାରି ଭିତରେ ଏକ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏଣିକି ସୋସିଆଲ ମିଡିଆ ବ୍ୟବହାର କରିବା ପୂର୍ବରୁ ପିତା-ମାତାଙ୍କ ଅନୁମତି ନେବା ଅନିବାର୍ଯ୍ୟ । ଆଜ୍ଞା ହଁ ୧୮ବର୍ଷରୁ କମ୍ ପିଲାମାନେ ଏଣିକି ସେମାନଙ୍କ ଅଭିଭାବକଙ୍କ ଅନୁମତି ବିନା ସୋସିଆଲ ମିଡିଆରେ ଆକାଉଣ୍ଟ ଖୋଲିପାରିବେନି ।
ବାସ୍ତବରେ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ବ୍ୟକ୍ତିଗତ ଡିଜିଟାଲ ଡାଟା ସୁରକ୍ଷା ଆଇନ (DPDP) ନିୟମ ପାଇଁ ଡ୍ରାଫ୍ଟ ନିୟମ ଜାରି କରିଛି। ଆସନ୍ତା ଫେବୃଆରୀ ୧୮ ପର୍ଯ୍ୟନ୍ତ ଗ୍ରହଣ କରାଯାଇଥିବା ଅଭିଯୋଗ ଆଧାରରେ ହେବାକୁ ଥିବା ବୈଠକରେ ଏହି ନିୟମକୁ ଜାରି କରାଯିବ । ତେବେ କହିରଖୁଛୁ ଯେ, ବ୍ୟକ୍ତିଗତ ଡିଜିଟାଲ୍ ଡାଟା ସୁରକ୍ଷା ନିୟମକୁ ବହୁ ପୂର୍ବରୁ ଅପେକ୍ଷା କରାଯାଇଥିଲା । କିନ୍ତୁ ବର୍ତ୍ତମାନ ସରକାର ପ୍ରସ୍ତୁତ କରିଥିବା ଡ୍ରାଫ୍ଟରେ ଏହି ନିୟମ ଉଲ୍ଲଂଘନ ପାଇଁ କୌଣସି ଦଣ୍ଡନୀୟ କାର୍ଯ୍ୟ ବିଷୟରେ ଉଲ୍ଲେଖ କାରାଯାଇନାହିଁ। ତେବେ ବର୍ତ୍ତମାନ ସରକାର ଏହି ନିୟମ ଜାରି କରିବା ନେଇ ଲୋକଙ୍କଠାରୁ ମତାମତ ଲୋଡିଛନ୍ତି। ଫେବୃଆରୀ ୧୮ ପରେ ଏହା ଉପରେ ଏକ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି ।
ଏହି ବୈଠକରେ ଏହି ନିୟମକୁ ନେଇ ମିଳିଥିବା ଲୋକଙ୍କ ମତକୁ ବିଚାରକୁ ନିଆଯିବ । ଏହା ସହିତ ଯେଉଁ କମ୍ପାନୀଗୁଡିକ ଏହି ନିୟମର ପାଳନ କରୁନାହାଁନ୍ତି ସେମାନଙ୍କ ଉପରେ ଜରିମାନା ଲାଗୁ କରାଯିବ । ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଦ୍ଵାରା ଜାରି ହୋଇଥିବା ଏହି ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ବ୍ୟକ୍ତିଗତ ଡିଜିଟାଲ୍ ଡାଟା ପ୍ରୋଟେକସନ୍ ଆକ୍ଟ -୨୦୨୩ର ଧାରା ୪୦ର ଉପ-ବିଭାଗ (୧) ଏବଂ (୨) ର କ୍ଷମତାକୁ ବ୍ୟବହାର କରି କେନ୍ଦ୍ର ସରକାର ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ବିଜ୍ଞପ୍ତିରେ କୁହାଯାଇଛି ଯେ ଫେବୃଆରୀ ୧୮, ୨୦୨୫ ପରେ ଏହି ଡ୍ରାଫ୍ଟ ନିୟମଗୁଡ଼ିକୁ ବିଚାର କରାଯିବ। ଏହି ନିୟମରେ ଡାଟା ଫିଡ୍ୟୁସରି ଉପରେ ୨୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲାଗୁ କରିବାର ବ୍ୟବସ୍ଥା ରହିଛି।
Comments are closed.