ନୂଆଦିଲ୍ଲୀ: ବାପା ମାଆଙ୍କ ଅନୁମତି ବିନା ପିଲା ଚଲାଇ ପାରିବେନି ସୋସିଆଲ୍ ମିଡିଆ । ୧୮ବର୍ଷରୁ କମ୍ ପିଲାଙ୍କ ପାଇଁ କଟକଣା ଆଣିବାକୁ ଯାଉଛନ୍ତି ସରକାର । କେନ୍ଦ୍ର ସରକାର ଆଣିବାକୁ ଯାଉଛନ୍ତି ଡିଜିଟାଲ୍ ପର୍ସନାଲ ଡାଟା ପ୍ରୋଟେକ୍ସନ୍ ଆକ୍ଟ -୨୦୨୫ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଡ୍ରାଫ୍ଟ ରୁଲ୍ ବିଜ୍ଞପ୍ତି ପ୍ରକାଶ ପାଇଛି । ଫେବ୍ରୁଆରୀ ୧୮ତାରିଖ ମଧ୍ୟରେ ସାଧାରଣ ଲୋକ ଏନେଇ ମତାମତ ରଖିପାରିବେ । ତେବେ ପ୍ରଶ୍ନ ଉଠୁଛି, ପିଲାଙ୍କୁ ସୋସିଆଲ୍ ମିଡିଆରୁ ଦୂରେଇ ରଖିବା କାହିଁକି ଜରୁରୀ? ପିଲାଙ୍କ ଉପରେ ଏହାର କିଭଳି ପ୍ରଭାବ ପଡୁଛି? ପିଲାଙ୍କ ପାଇଁ ସୋସିଆଲ୍ ମିଡିଆ ଲାଭ ନା କ୍ଷତି?
କି ପ୍ରଭାବ ପକାଉଛି ସୋସିଆଲ୍ ମିଡିଆ?
ଅଧିକାଂଶ ସମୟରେ ପିଲାଙ୍କ ମାନସିକତା ଉପରେ ସୋସିଆଲ୍ ମିଡିଆ ଖରାପ ପ୍ରଭାବ ପକାଉଥିବା ଚର୍ଚ୍ଚା ହୁଏ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତଥ୍ୟ ଅନୁସାରେ, ବିଶ୍ବରେ ୧୦ପ୍ରତିଶତରୁ ଅଧିକ କିଶୋରଙ୍କ ଉପରେ ପଡୁଛି ସୋସିଆଲ ମିଡିଆର ନକାରାତ୍ମକ ପ୍ରଭାବ । ସୋସିଆଲ୍ ମିଡିଆର ବ୍ୟବହାର ବଢିବା ସହ ପିଲାଙ୍କ ମାନସିକ ଓ ଶାରିରୀକ ସମସ୍ୟା ବଢୁଛି । ରାଷ୍ଟ୍ରୀୟ ବାଲ ଅଧିକାର ସଂରକ୍ଷଣ ଆୟୋଗ ୨୦୨୧ ରିପୋର୍ଟ ଅନୁସାରେ, ୮ରୁ ୧୮ବର୍ଷ ମଧ୍ୟରେ ପ୍ରାୟ ୩୦ପ୍ରତିଶତ ପିଲାଙ୍କ ପାଖରେ ନିଜର ସ୍ମାର୍ଟଫୋନ୍ ରହିଛି । ସେହିପରି ପ୍ରାୟ ୪୩ପ୍ରତିଶତ ପିଲାଙ୍କ ପାଖରେ ସକ୍ରିୟ ସୋସିଆଲ୍ ମିଡିଆ ଆକାଉଣ୍ଟ ରହିଛି । ସ୍ମାର୍ଟଫୋନ୍, ଅନଲାଇନ୍ ଗେମିଂ ଓ ସୋସିଆଲ୍ ମିଡିଆ ଆଡିକ୍ସନ୍ ଯୋଗୁଁ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଉଥିବା ବିଭିନ୍ନ ଗବେଷଣାରୁ ସାମନାକୁ ଆସିଛି ।
ମାନସିକ ସ୍ବାସ୍ଥ୍ୟ ଉପରେ ପ୍ରଭାବ
ଆମେରିକାର ସାମାଜିକ ମନସ୍ତତ୍ବବିତ୍ ଜୋନାଥନ୍ ହେଡଙ୍କ ମତରେ ପିଲା ମୋବାଇଲରେ ଅଧିକ ସମୟ ଅତିବାହିତ କଲେ, ଏହାର ପ୍ରଭାବ ସେମାନଙ୍କ ସ୍ବାସ୍ଥ୍ୟ ଉପରେ ପଡେ । ପିଲାଙ୍କଠାରେ ଅବସାଦ, ଚିଡଚିଡାପଣ ଦେଖାଦେବା ସହ ସେମାନେ କାଳ୍ପନିକ ଦୁନିଆରେ ରହିବା ଅଭ୍ୟାସରେ ପଡିଯାଆନ୍ତି । ସେହିପରି ଜଣାଶୁଣା ମନୋଚିକିତ୍ସକ ରିରି ତ୍ରିବେଦୀଙ୍କ ମତରେ, ପିଲା ଯେତେ ସମୟ ଫୋନ ବ୍ୟବହାର କରିବେ ସେତେ ଅଧିକ ସେମାନଙ୍କଠାରେ ଡିପ୍ରେସନ ବିପଦ ବଢିବ । ଇମୋସନାଲି ବ୍ଲାକମେଲ୍ କରିବା ଅଭ୍ୟାସ ବଢିବ । ଏକୁଟିଆ ଥିବା ବେଳେ ସମୟ ଅତିବାହିତ କରିବାକୁ ପିଲାମାନେ ମୋବାଇଲ୍ ବ୍ୟବହାର କରନ୍ତି । ତେବେ ଫୋନର ଆଡିକ୍ସନ୍ ସେମାନଙ୍କୁ ଡିପ୍ରେସନର ଶିକାର କରିପାରେ ।
କେଉଁ ଦେଶରେ କଟକଣା?
ପ୍ରଥମ ଦେଶ ଭାବେ ଅଷ୍ଟ୍ରେଲିଆ ୧୬ବର୍ଷରୁ କମ୍ ପିଲାଙ୍କ ସୋସିଆଲ୍ ମିଡିଆ ବ୍ୟବହାର ଉପରେ ବ୍ୟାନ୍ ଲଗାଇଥିଲା। ଏଥିସହ ପିଲାଙ୍କୁ ପ୍ରଭାବିତ କଲା ଭଳି କଣ୍ଟେଣ୍ଟ ପ୍ରସ୍ତୁତ କରୁଥିବା କମ୍ପାନୀଙ୍କ ଉପରେ ଜରିମାନା ଲଗାଇବାକୁ ନିୟମ କରିଥିଲା । ଆମେରିକୀୟ ରାଜ୍ୟ ୟୁଟାରେ ଅଷ୍ଟ୍ରେଲିଆ ପରି ନିୟମ ଆଣିବାକୁ ଉଦ୍ୟମ ହୋଇଥିଲା, ତେବେ କୋର୍ଟ ଏହାକୁ ଖାରିଜ କରିଥିଲେ। ବ୍ରିଟେନ୍, ଫ୍ଲୋରିଡା, ନରଓ୍ବେ, ଫ୍ରାନ୍ସ ସମେତ ବିଭିନ୍ନ ଦେଶରେ କଟକଣା ଲଗାଯାଇଛି । ୨୦୧୧ରେ ଦକ୍ଷିଣ କୋରିଆ ସଟଡାଉନ୍ ଆଇନ ପାରିତ କରିଥିଲେ । ଏଥିରେ ରାତି ସାଢେ ୧୦ରୁ ସକାଳ ୬ଟା ମଧ୍ୟରେ ୧୬ବର୍ଷରୁ କମ୍ ପିଲା ଇଣ୍ଟରନେଟ ଗେମ୍ ଖେଳିପାରିବେନି । ତେବେ ପରେ ଏହି ଆଇନ ରଦ୍ଦ କରାଗଲା।
ବିଭିନ୍ନ ଗବେଷଣାରୁ ମିଳିଥିବା ତଥ୍ୟ ଅନୁସାରେ ସୋସିଆଲ ମିଡିଆର ଅଶ୍ଳୀଳ ତଥା ହିଂସାତ୍ମକ କଣ୍ଟେଣ୍ଟ ପିଲାଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଏ । ପିଲା ଅଜଣା ଲୋକଙ୍କୁ ବ୍ୟକ୍ତିଗତ ସୂଚନା ଜଣାଇପାରନ୍ତି । ସାଇବର ବୁଲିଂର ଶିକାର ହୋଇପାରନ୍ତି । ପିଲାଙ୍କ ତଥ୍ୟ ଅନ୍ୟ କୌଣସି ସଂଗଠନକୁ ବିକ୍ରି କରାଯାଇପାରେ । ସୋସିଆଲ୍ ମିଡିଆ ଆଡିକ୍ସନ୍ ପିଲାଙ୍କୁ ଫଲୋଅର୍ସ ବଢାଇବା ଓ ଏହାକୁ ଲଗାତର ଅପଡେଟ୍ କରିବାର ଚାପ ସୃଷ୍ଟି କରିପାରେ । ତେଣୁ ପିଲାଙ୍କୁ ସୋସିଆଲ୍ ମିଡିଆରୁ ଦୂରେଇ ରଖିବାକୁ ଯେତେବେଳେ ସରକାର କଡା ଆଭିମୁଖ୍ୟ ନେବାକୁ ଯାଉଛନ୍ତି, ବାପା ମାଆଙ୍କୁ ବି ଯତ୍ନବାନ ହେବାକୁ ପଡିବ । ପିଲା ଫୋନରେ କେଉଁଭଳି କଣ୍ଟେଣ୍ଟ ଦେଖୁଛି, ସେଥିପ୍ରତି ନଜର ରଖିବାକୁ ପଡିବ ।


Comments are closed.