Latest Odisha News

ବଞ୍ଚିଥିବା ଝିଅକୁ ମାରିଦେଲେ ବାପା-ମା’: ବାହାଘର ଦିନ ପାଳିଲେ ଶୁଦ୍ଧିକ୍ରିୟା

କେନ୍ଦ୍ରାପଡା: ଏପଟେ ଚାଲିଥିଲା ବାହାଘର । ସେପଟେ ଚାଲିଥିଲା ଶୁଦ୍ଧଘର । ଏପଟେ ଚାଲିଥିଲା ଭୋଜି, ସେପଟେ ବି ଚାଲିଥିଲା ଭୋଜି । ଗୋଟିଏ ପଟେ ପଡୁଥିଲା ହାତଗଣ୍ଠି, ଅନ୍ୟପଟେ ଛିଣ୍ଡୁଥିଲା ସମ୍ପର୍କର ଗଣ୍ଠି । ଏପଟେ ଆଖିରେ ଆଖିଏ ସ୍ୱପ୍ନ ନେଇ ଝିଅ ଗଢିବାକୁ ଯାଉଥିଲା ନୂଆ ସଂସାର, ହେଲେ ଝିଅକୁ ସଂସାରରୁ ସବୁଦିନ ପାଇଁ ବିଦାୟ ଦେଉଥିଲେ ବାପା-ମା’ ଓ ପରିବାର ଲାେକେ । ଏମିତି କରୁଣ, ହୃଦୟଛୁଆଁ ଘଟଣା ଦେଖିବାକୁ ମିଳିଥିଲା କେନ୍ଦ୍ରାପଡା ଜିଲ୍ଲା ଆଳି ନୂଆବଜ଼ାର ଅଞ୍ଚଳରେ।

ପରିବାର ଲୋକଙ୍କ ଇଚ୍ଛା ବିରୋଧରେ ବିବାହ କରବାର ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଥିଲା ଆଳି ନୂଆବଜ଼ାର ଅଂଚଳରେ ।  ଶ୍ରୀବାସ୍ତବ ମଳିକ ନାମ ଜଣେ ବ୍ୟକ୍ତିଙ୍କ ସହ ଆଳି ଅଞ୍ଚଳର ଜଣେ ଯୁବତୀଙ୍କର  ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ହେଲେ ଯୁବତୀଙ୍କ ପରିବାର ଲୋକେ ଏହାକୁ ଘୋର ବିରୋଧ କରୁଥିଲେ।  କିନ୍ତୁ ପୁଅଝିଅ ଉଭୟେ ନିଜ ନିଜ ଜିଦରେ ଅଟଳ ଥିଲେ । ଏକାଠି ଜିଇଁବେ..ଏକାଠି ମରିବେ ।

ଶେଷରେ ସବୁ ବିରୋଧ ସତ୍ତ୍ୱେ ପ୍ରେମିକଙ୍କ ହାତ ଧରିବାକୁ ନଷ୍ପତ୍ତି ନେଇଥିଲେ ଯୁବତୀ । ବିବାହ କରି ଏକାଠି ରହିବା ଲାଗି ଦିନେ ଯୁବତୀ ଜଣକ ଘର ଛାଡି ପ୍ରେମିକ  ଶ୍ରୀବାସ୍ତବଙ୍କ ଘରକୁ ଚାଲି ଆସିଥିଲେ ।

ଶ୍ରୀବାସ୍ତବଙ୍କ ପରିବାର ଲୋକେ ଏନେଇ ଥାନାରେ ଜଣାଇଥିଲେ। ପୁଲିସ  ଯୁବତୀ ଓ ପ୍ରେମିକ ଶ୍ରୀବାସ୍ତବ ତଥା ଦୁଇ ପରିବାର ଲୋକଙ୍କୁ ଡାକି ପଚରାଉଚରା କରିଥିଲା। ହେଲେ ଯୁବତୀ ଜଣକ ଶ୍ରୀବାସ୍ତବଙ୍କୁ ବିବାହ କରିବେ ବୋଲି  ସମସ୍ତଙ୍କ ସାମ୍ନାରେ ଅଡି ବସିଥିଲେ।

ଏହା ପରେ ଗତ ସୋମବାର ଉଭୟଙ୍କର ବିବାହ ସମ୍ପନ୍ନ ହୋଇଥିଲା ।  ଆଳିର ଲକ୍ଷ୍ମୀବରାହ ମନ୍ଦିରରେ ଶ୍ରୀବାସ୍ତବଙ୍କ ସହ  ବିବାହର ଆୟୋଜନ କରାଯାଇଥିଲା । ତଥାପି ଯୁବତୀଙ୍କ ପରିବାର ଲୋକେ ଏ ବିବାହକୁ ଗ୍ରହଣ କରିପାରି ନ ଥିଲେ । ତେଣୁ ଏହି ବିବାହରେ କେହି ଯୋଗ ଦେବାକୁ ଆସି ନ ଥିଲେ । ସେତିକି ନୁହେଁ,  ପରିବାର ଲୋକ ବ୍ରାହ୍ମଣ ଡାକି ଝିଅର ଶୁଦ୍ଧିକ୍ରିୟା କରାଇ ଦେଇଥିଲେ। ବଞ୍ଚିଥିବା ଝିଅର ଶୁଦ୍ଧିକ୍ରିୟ କରିବା ସହ ଭୋଜିଭାତ କରି ଲୋକଙ୍କୁ ଖାଇବାକୁ ମଧ୍ୟ ଦେଇଥିଲେ। ନିଜ ଘରେ  ଝିଅର ଫଟୋରେ ଫୁଲମାଳ ପକାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଏହି ଘଟଣା ଏବେ କେନ୍ଦ୍ରାପଡା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

Comments are closed.