Latest Odisha News

BREAKING NEWS

ଏଣିକି ଅନଲାଇନରେ ହେବ ଅଭିଭାବକ ବୈଠକ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ଲାଗି ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ରାଜ୍ୟର ସ୍କୁଲଗୁଡିକରେ ପିଲାଙ୍କ ସୁବିଧା ଲାଗି ବିଭାଗ ପକ୍ଷରୁ କିଛିଟା ପରିବର୍ତ୍ତନ କରାଯାଇଛି । ଗତ ୨ବର୍ଷ ହେବ ରାଜ୍ୟରେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଶୈଳୀରେ ସଂସ୍କାର ଆଣିବା ଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ଅଭିଭାବକ ବୈଠକ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା । ହେଲେ କରୋନା ସ୍ଥିତିକୁ ଦେଖି ବୈଠକ ଏବେ ଅନଲାଇନ୍ ମୋଡରେ ହେବ।

ସୂଚନା ଅନୁଯାୟୀ ପୂର୍ବରୁ ପ୍ରତି କଲେଜରେ ଅଭିଭାବକ ମାନେ ବସି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ମତାମତ ମଧ୍ୟ ରଖୁଥିଲେ । ତେବେ ଏହି ବୈଠକ ଚଳିତବର୍ଷ ପ୍ରତି ରବିବାର ସକାଳ ୧୦ଟାରୁ ୧୧ଟା୩୦ ଯାଏଁ କରାଯିବ ବୋଲି ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି।

ଏହି ବୈଠକରେ ସମ୍ପୃକ୍ତ ଜୁନିୟର କଲେଜଗୁଡିକର ଅଧ୍ୟକ୍ଷମାନେ ଅଧ୍ୟକ୍ଷତା କରିବେ । ଅଭିଭାବକମାନେ ମଧ୍ୟ ସେମାନଙ୍କର ମତାମତ କଲେଜର ଅଧ୍ୟକ୍ଷଙ୍କୁ ଦେଇପାରିବେ ।

କରୋନା ସମସ୍ୟା ଲାଗି ପାଠପଢ଼ା ବ୍ୟବସ୍ଥା, ପାଠପଢ଼ା କ୍ଷେତ୍ରରେ ଅଗ୍ରଗତି, ଅତିରିକ୍ତ ପାଠପଢ଼ା, ଅନ୍‌ଲାଇନ୍ ମାଧ୍ୟମରେ ପାଠପଢ଼ାର ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବ ।

ବିଭାଗର ସୂଚନା ଅନୁଯାୟୀ, ଦେଶରେ ପ୍ରଥମକରି ଓଡ଼ିଶରେ ଛାତ୍ରଛାତ୍ରୀଙ୍କ ଲାଗି ଗୁଣାତ୍ମକ ଶିକ୍ଷା ଏବଂ ଉନ୍ନତ ଭିତ୍ତିଭୂମି ପାଇଁ ଜୁନିୟର କଲେଜରେ ଆରମ୍ଭ ହୋଇଛି ଅଭିଭାବକ ବୈଠକ । ପୂର୍ବରୁ ପ୍ରତିମାସର ଶେଷ ଶନିବାର ଏହି ବୈଠକ କଲେଜରେ ଅନୁଷ୍ଠିତ ହେଉଥିବା ବେଳେ ଆଗକୁ ରବିବାର କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

ଏହି ବୈଠକର ସପ୍ତାହ ପୂର୍ବରୁ କେଉଁ ସବୁ ପ୍ରସ୍ତାବ ଉପରେ ଆଲୋଚନା କରାଯିବ ତାହାର ତାଲିକା କଲେଜର ଅଧ୍ୟକ୍ଷ ପ୍ରସ୍ତୁତ କରିବେ । ପ୍ରତ୍ୟେକ ବୈଠକରେ ସର୍ବାଧିକ ୫ଟି ପ୍ରସ୍ତାବ ରହିବ ।

ଯେଉଁଥିରେ ଶ୍ରେଣୀ ମଧ୍ୟରେ ପାଠପଢ଼ା ବ୍ୟବସ୍ଥା, କ୍ୟାମ୍ପସରେ ଖୃଙ୍ଖଳା, ଉପସ୍ଥାନ, ପିଲାଙ୍କ ବ୍ୟକ୍ତିଗତ ସମସ୍ୟା, ପ୍ରାକ୍ଟିକାଲ, ଥିଓରୀ, ପାଠାଗାର, କମନ୍‌ରୁମ ଏବଂ ବିଭିନ୍ନ ଶିକ୍ଷାପଯୋଗୀ ପରିବେଶର ବିକାଶ ସମ୍ପର୍କରେ ଆଲୋଚନା କରାଯିବ ।

ଅପରପକ୍ଷେ କଳା, ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗ ପାଇଁ ଭିନ୍ନ କମିଟି ଗଠନ ହେବ। ପ୍ରତ୍ୟେକ କମିଟିରେ ବିଭିନ୍ନ ବର୍ଗର ବରିଷ୍ଟ ପ୍ରାଧ୍ୟାପକ ଏବଂ ପ୍ରତ୍ୟେକ ଷ୍ଟ୍ରିମରୁ ସର୍ବାଧିକ ୨୫ଜଣ ଲେଖାଏଁ ଅଭିଭାବକ କମିଟିରେ ସଦସ୍ୟ ଭାବେ ରହିବେ ।

ଏହି କମିଟିର ସଦସ୍ୟଙ୍କୁ ପ୍ରତି ୬ମାସରେ ପରିବର୍ତ୍ତନ କରାଯିବାର ବ୍ୟବସ୍ଥା ରହିଛି । ତେବେ ମାସର ଶେଷ ରବିବାର ୩ଟି ଷ୍ଟ୍ରିମର ସଦସ୍ୟଙ୍କ ସମେତ କଲେଜର ବରିଷ୍ଠ ଅଧ୍ୟାପକ ଏବଂ ଅଧ୍ୟକ୍ଷ ଅନ୍‌ଲାଇନ୍‌ରେ ଉପସ୍ଥିତ ରହିବେ ।

ଏମିତିକି କଲେଜ ଗୁଡ଼ିକର ମରାମତି ଲାଗି ଯେଉଁ ସବୁ ଅର୍ଥ ବ୍ୟୟ କରାଯିବ ସେ ସମ୍ପର୍କରେ ଅଭିଭାବକମାନେ ଅବଗତ ରହିବେ । ଯଦି ସମସ୍ୟା ସମ୍ପର୍କରେ କୌଣସି ଅଭିଭାବକ ଅଭିଯୋଗ କରନ୍ତି ତେବେ ସମ୍ପୃକ୍ତ ସେହି କଲେଜର ଅଧ୍ୟକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ସହ ତଦନ୍ତ କରାଯିବ।

Leave A Reply

Your email address will not be published.