ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ପରୀକ୍ଷା ପେ’ ଚର୍ଚ୍ଚା କାର୍ଯ୍ୟକ୍ରମ। ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେବେ ମୋଦି। ପରୀକ୍ଷା ପାଇଁ ଚାପଗ୍ରସ୍ତ ନହେବାକୁ ପରୀକ୍ଷାର୍ଥୀଙ୍କୁ ଦେବେ ଟିପ୍ସ। ଗତବର୍ଷ ଭାରତ ମଣ୍ଡପମ୍ରେ ହୋଇଥିଲା ପରୀକ୍ଷା ପେ’ ଚର୍ଚ୍ଚା କାର୍ଯ୍ୟକ୍ରମ।
ଆଜି (ସୋମବାର) ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟ ବାର୍ଷିକ କାର୍ଯ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା’ (ପିପିସି) ଆୟୋଜନ ହେବ। ପ୍ରଧାନମନ୍ତ୍ରୀ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଓ ଶିକ୍ଷକଶିକ୍ଷୟିତ୍ରୀଙ୍କ ସହ ସିଧାସଳଖ କଥା ହେବେ।
ପ୍ରେସ୍ ବିଜ୍ଞପ୍ତି ମୁତାବକ, ଚଳିତ ବର୍ଷ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ପୂର୍ବ ରେକର୍ଡ ଭାଙ୍ଗିଦେବ। କାରଣ ଏଥିରେ ୫ କୋଟିରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ସାମିଲ ହେବେ। ଏହି ଅଷ୍ଟମ ସଂସ୍କରଣରେ ଅଭିନେତା ବିକ୍ରାନ୍ତ ମାସି, ଅଭିନେତ୍ରୀ ଦୀପିକା ପାଦୁକୋନ ଓ ଭୂମି ପେଡନେକର ଯୋଗଦେବେ। ବକ୍ସିଂ ବିଶ୍ୱ ଚାମ୍ପିଅନ ଏମ୍ସି ମେରୀ କମ୍ ଓ ଆଧ୍ୟାତ୍ମିକ ଗୁରୁ ସଦ୍ଗୁରୁଙ୍କ ଭଳି ପ୍ରମୁଖ ବ୍ୟକ୍ତିବିଶେଷ ବି ଅଂଶଗ୍ରହଣ କରିବେ।
ଏହି କାର୍ଯ୍ୟକ୍ରମ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅନୁଷ୍ଠିତ ହୋଇଥାଏ। କାର୍ଯ୍ୟକ୍ରମ ପରେ ସମସ୍ତ ପ୍ରତିଭାଗୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଏ। ଚଳିତ ବର୍ଷ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୩୬ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି। ଏଥର ଖେଳ ଓ ଅନୁଶାସନ, ମାନସିକ ସ୍ୱାସ୍ଥ୍ୟ, ଖାଦ୍ୟପେୟ, ପ୍ରଯୁକ୍ତି ଓ ଅର୍ଥ, ସୃଜନଶୀଳତା ଓ ସକାରାତ୍ମକ ଚିନ୍ତାଧାରା, ମାନସିକ ଶାନ୍ତି, ସଫଳତା କାହାଣୀ ଭଳି ବିଷୟରେ ଚର୍ଚ୍ଚା ହେବ।
Comments are closed.