ମୁମ୍ବାଇ: ଦୀର୍ଘ ଦିନ ଧରି ଚାଲିଥିବା ଚର୍ଚ୍ଚାର ଅନ୍ତ ଘଟିଛି । ଆସନ୍ତା ୧୩ ତାରିଖରେ ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଏମ୍ପି ରାଘବ ଚଢାଙ୍କ ନିର୍ବନ୍ଧ ହେବାକୁ ଯାଉଛି । ଦିଲ୍ଲୀରେ ଧୁମ୍ଧାମ୍ରେ ସେମାନଙ୍କ ନିର୍ବନ୍ଧ ଆୟୋଜନ ହେବ । ଏଥିରେ ଉଭୟ ପରିବାର ଓ ବନ୍ଧୁବାନ୍ଧବ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତେବେ ଉଭୟଙ୍କ ପରିବାର ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ ।
କୁହାଯାଉଛି ଯେ, ଉଭୟ ଆସନ୍ତା ଅକ୍ଟୋବର ଶେଷ ସୁଦ୍ଧା ବିବାହ କରିବେ । କାରଣ ପରିଣୀତି ତାଙ୍କ ଆଗାମୀ ପ୍ରୋଜେକ୍ଟରେ ବହୁତ ବ୍ୟସ୍ତ ଥିବାରୁ ବିବାହ କରିବାକୁ ତତ୍ପର ନୁହଁନ୍ତି । ସେ ଅନେକ ଚଳଚ୍ଚିତ୍ରରେ କାମ କରୁଥିବା ଜଣାଯାଇଛି ।
କିଛି ଦିନ ହେବ ପରିଣୀତି ଏବଂ ରାଘବଙ୍କ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଢେର ଚର୍ଚ୍ଚା ହେଉଥିଲା । ଏପରିକି ନିକଟରେ ଉଭୟ ଏକାଠି ରାତ୍ରି ଏବଂ ମଧ୍ୟାହ୍ନ ଭୋଜନ କରୁଥିବାର ଦେଖିବାକୁ ମିଳିଥିଲା । ଏହାକୁ ନେଇ ସୋସିଆଲ ମିଡିଆରେ ସେମାନଙ୍କ ଡେଟିଂ ଖବର ପ୍ରଚାର ହେବାରେ ଲାଗିଥିଲା । ପରେ ପରିଣୀତିଙ୍କୁ ଫ୍ୟାଶନ୍ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ବାସଭବନରେ ଦେଖିବାକୁ ମିଳିଥିଲା । ସେ ବିବାହ ପୋଷାକ ଅର୍ଡ଼ର ଦେବାକୁ ପରିଣୀତି ମନୀଷଙ୍କ ଘରକୁ ଯାଇଛନ୍ତି ବୋଲିି ଆଲୋଚନା ହୋଇଥିଲା ।
Comments are closed.