Latest Odisha News

BREAKING NEWS

ପରିଷଦ ପାଲା

ଭୁବନେଶ୍ୱର : ଓଡ଼ିଶାରେ ପ୍ରତିଷ୍ଠା ହେବ ବିଧାନ ପରିଷଦ । ର୍ନିବାଚନ ଅଳ୍ପ ଦିନ ଆଗରୁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ କ୍ୟାବିନେଟ ମଧ୍ୟ ସେଥିରେ ମୋହର ମାରିଛି । କିନ୍ତୁ ସେଇଟି ସତରେ କେତେ ଦରକାର ଓ କଣ ପାଇଁ ଏପରି କରାଗଲା ତାକୁ ନେଇ ଉଠୁଛି ଅନେକ ପ୍ରଶ୍ନ ।

ଗଲା ଅଗଷ୍ଟ ୨୪ ତାରିଖରେ ରାଜ୍ୟ କ୍ୟାବିନେଟ ଏ ସଂପର୍କିତ ନିଷ୍ପତ୍ତି ନେଇଛି । ପ୍ରସ୍ତାବ ଅନୁସାରେ, ଓଡ଼ିଶା ବିଧାନ ପରିଷଦରେ ୪୯ ଜଣ ସଦସ୍ୟ ରହିବେ । ନିୟମ ଅନୁଯାୟୀ, ବିଧାନସଭାରେ ଯେତେ ସଦସ୍ୟ ଥିବେ, ବିଧାନ ପରିଷଦରେ ତାହାର ଏକ ତୃତୀୟାଂଶ ସଦସ୍ୟ ରହିବେ ।

କ୍ୟାବିନେଟ୍ ପାସ୍ କଲା ପରେ ଏ ସଂପର୍କିତ ପ୍ରସ୍ତାବ ରାଜ୍ୟ ବିଧାନସଭାକୁ ଯିବ । ବିଧାନସଭାର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୪ରୁ ଆରମ୍ଭ ହେଉଛି । ବିଧାନସଭା ଏ ପ୍ରସ୍ତାବ ପାସ୍ କଲା ପରେ ତାହା କେନ୍ଦ୍ରକୁ ଯିବ । ସଂସଦ ଏ ନେଇ ଧାରା ୧୬୯ ଅନୁସାରେ ଆଇନ୍ ପାସ୍ କରିବା ଆବଶ୍ୟକ । ସେତକ ହୋଇ ସାରିଲା ପରେ ତେଣିକି କିଛି ଅସୁବିଧା ନଥିବ ।

ଚର୍ଚ୍ଚା ଅନୁସାରେ, ଥରେ କେନ୍ଦ୍ର ସରକାରଙ୍କ ନିକଟକୁ ପ୍ରସ୍ତାବ ଗଲା ପରେ କେନ୍ଦ୍ର ତାହାକୁ ଅଟକେଇ ରଖିବ ନାହିଁ । କାରଣ- ବିଜେପି ଯେତେବେଳେ କେନ୍ଦ୍ରରେ ଅସୁବିଧାରେ ପଡ଼ିଛି, ସେତେବେଳେ ବିଜେଡ଼ି ହିଁ ସାହାଯ୍ୟ କରିଛି । ତେଣିକି ତାହା କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ହେଉ କିମ୍ବା ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ । ତେଣୁ ଓଡ଼ିଶାର ବିଜେଡ଼ି ସରକାର ପଠାଇ ଥିବା ପ୍ରସ୍ତାବକୁ କେନ୍ଦ୍ର ପାସ୍ ନ କରି ବିଜେଡ଼ିକୁ ଅସନ୍ତୁଷ୍ଟ କରି ରଖିବ ନାହିଁ ।

 

ପ୍ରସ୍ତାବିତ ବିଧାନ ପରିଷଦ ବାବଦରେ ବର୍ଷକୁ ୩୫ କୋଟି ଟଙ୍କା ଖର୍ଚ୍ଚ ହେବ । ଏ ସୂଚନା ଦେଇଛନ୍ତି- ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ପରିବହନ ମନ୍ତ୍ରୀ ନୃସିଂହ ସାହୁଙ୍କ ନେତୃତ୍ୱରେ ଗଠିତ ହୋଇଥିବା ୫ ଜଣିଆ କମିଟି ଏ ସଂପର୍କରେ ରିପୋର୍ଟ ଦେବା ପରେ ସରକାର ତାହାକୁ କ୍ୟାବିନେଟକୁ ପଠାଇ ଥିଲେ । ତେବେ ବିଜେପି ଓ କଂଗ୍ରେସ ସେ କମିଟିକୁ ବର୍ଜନ କରିଥିଲେ । କମିଟି ମହାରାଷ୍ଟ୍ର, ତେଲେଙ୍ଗାନା, କର୍ଣ୍ଣାଟକ, ବିହାର ଆଦି ରାଜ୍ୟ ଗସ୍ତରେ ଯାଇଥିଲେ ।

ବିଧାନ ପରିଷଦର ଢାଞ୍ଚା ଅନୁସାରେ, ଏଥିରେ ରହିବାକୁ ଥିବା ୪୯ ଜଣ ସଦସ୍ୟଙ୍କ ମଧ୍ୟରୁ ରାଜ୍ୟପାଳ ୯ ଜଣଙ୍କୁ ମନୋନିତ କରିବେ । ୧୬ ଜଣଙ୍କୁ ବିଧାୟକମାନେ ନିର୍ବାଚିତ କରିବେ । ୧୬ ଜଣ ରାଜ୍ୟର ପୌର ପରିଷଦରୁ ଆସିବେ । ୪ ଜଣ ରାଜ୍ୟର ଶିକ୍ଷକ ଏବଂ ଗ୍ରାଜୁଏଟ୍ ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହେବେ । ଏହା ପୁରୁଣା ବିଧାନସଭା ସୌଧରେ କାମ କରିବ । ତେବେ ଏହାର ସଚିବାଳୟ ଓଡ଼ିଶା ବିଧାନସଭା ଭିତରେ ହିଁ ରହିବ ।

କିନ୍ତୁ ସବୁଠୁ ବେଶି ଚର୍ଚ୍ଚା ହେଉଛି, ସରକାର କଣ ପାଇଁ ଏପରି ପଦକ୍ଷେପ ନେଲେ । ୨୦୧୪ରେ ନବୀନ ପଟ୍ଟନାୟକ ସରକାର ବିଧାନ ପରିଷଦ ଗଠନ କରିବା ପାଇଁ ଘୋଷଣା କରିଥିଲେ । କିନ୍ତୁ ତାହା ଅଟକି ଅଟକି ଚାଲିଥିଲା । କେହି ଭାବୁ ବି ନଥିଲେ ଯେ ଏମିତି ହୁଏତ ହେବ । କିନ୍ତୁ ନିର୍ବାଚନ ଯେତିକି ପାଖେଇ ଆସିଲା, ବିଧାନ ପରିଷଦ ଗଠନ ପ୍ରସ୍ତାବ ସେତିକି ଆଗେଇ ଗଲା । ଓ ସରକାର ସେ ସଂପର୍କିତ ପ୍ରସ୍ତାବକୁ ପାସ୍ ବି କରିଦେଲେ ।

କୁହାଯାଉଛି ଯେ. ବିଜେଡ଼ି ସରକାର ଏଥର ନିର୍ବାଚନରେ ଅନେକ ବିଧାୟକଙ୍କ ଟିକେଟ କାଟି ଦେଇ ପାରନ୍ତି । ଗଣମାଧ୍ୟମରେ ବି ଏ ନେଇ ଚର୍ଚ୍ଚା ଜାରି ରହିଛି । ୬୨ ଜଣ ବିଧାୟକଙ୍କ ଟିକେଟ ସନ୍ଦେହ ଭିତରେ ଅଛି ବୋଲି ଚର୍ଚ୍ଚା ବଢୁଛି । ଏତେ ସଂଖ୍ୟକ ବିଧାୟକଙ୍କ ଟିକେଟ କାଟିବା ପଛରେ ଦଳର ଭାବମୂର୍ତ୍ତିକୁ ସୁଧାରିବା ପ୍ରୟାସ ରହିଛି ବୋଲି ଦଳୀୟ ସୂତ୍ରରୁ ପ୍ରକାଶ । ଅନେକ ବିଧାୟକ ଢେର ଦିନ ଧରି ବିଧାୟକ ରହିବା ପରେ ଲୋକପ୍ରିୟତା ହରେଇଲେଣି କିମ୍ବା ଦଳୀୟ ସୁପ୍ରିମୋଙ୍କ ଭଲ ଦୃଷ୍ଟିରେ ନାହାନ୍ତି । କଟକ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ ପରି ଉପକୂଳ ଜିଲ୍ଲାଠାରୁ ଆରମ୍ଭ କରି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକର ବିଧାୟକ ସେହି ତାଲିକାରେ ସାମିଲ ।

ତେବେ ଏକାଥରେ ଏତେ ବିଧାୟକଙ୍କ ଟିକେଟ ଯଦି କଟିବ ଓ ସେମାନେ ସ୍ୱାଧୀନ ଭାବେ ଲଢିବେ, ତେବେ ଏହା ଦଳ ପାଇଁ ଭୟାନକ ମୁସ୍କିଲକୁ ଡାକି ଆଣିବ । ତେଣୁ ସେମାନଙ୍କୁ ଥଇଥାନ କରିବା ନିମନ୍ତେ ବିଜେଡ଼ି ବିଧାନ ପରିଷଦର ଚାଲ୍ ଖେଳିଛି । ବିଧାନସଭା ନ ଆସିଲେ ନାହିଁ, ସେମାନଙ୍କ ମଧ୍ୟରୁ ଭଲ ଚିହ୍ନା ମୁହଁକୁ ବିଧାନ ପରିଷଦକୁ ଅଣାଯିବ ।

କଂଗ୍ରେସ ଓ ବିଜେପି କିନ୍ତୁ ଏହାର ତୀବ୍ର ବିରୋଧ କରିଛନ୍ତି । ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି- ଏହା ମୁଖ୍ୟତଃ ଏକ ଥଇଥାନ କେନ୍ଦ୍ର ହେବ । ସେଥିପାଇଁ ସରକାର ତରବର ହୋଇ ଏପରି କରିଛନ୍ତି । ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି- ଠିକ ନିର୍ବାଚନ ଆଗରୁ ଯେଉଁ ଉପାୟରେ ସରକାର ଅଚାନକ ନିଦରୁ ଉଠି ପଡ଼ିଲେ, ତାହା ସରକାରଙ୍କ ଆନ୍ତରିକତା ଉପରେ ସନ୍ଦେହ ସୃଷ୍ଟି କରିଛି । ବିଜେପି ବିଧାୟକ ପଦୀପ ପୁରୋହିତ ମଧ୍ୟ ସରକାରଙ୍କ ନିଷ୍ପତ୍ତିର ସମାଲୋଚନା କରିଛନ୍ତି ।

Leave A Reply

Your email address will not be published.