Latest Odisha News

ଭୁବନେଶ୍ୱର ଷ୍ଟେସନକୁ ଆସନ୍ତାକାଲି ଯାଏ ଆସିବନି ଟ୍ରେନ: ୧୧ ଯୋଡା ଟ୍ରେନର ଷ୍ଟେସନରେ ପରିବର୍ତ୍ତନ

ଭୁବନେଶ୍ୱର- ମଂଚେଶ୍ୱର ଷ୍ଟେସନ ମଧ୍ୟରେ ତୃତୀୟ ରେଳ ଲାଇନ କାମ ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଟ୍ରାକ ବିଛାକାମ ଶେଷ ହୋଇଥିବାବେଳେ ସିଗନାଲ ସିଷ୍ଟକୁ ପୁନଃ ବ୍ୟବସ୍ଥିତ କରାଯାଉଛି । ଫଳରେ ଗତକାଲି ଭୁବନେଶ୍ୱର ଷ୍ଟେସନରେ ୪ ଘଣ୍ଟାରୁ ଅଧିକ ସମୟ ଧରି ଟ୍ରେନ ଚଳାଚଳ ପ୍ରଭାବିତ ହୋଇଥିଲା ।

ସୂଚନାଥାଉ କି, ଭୁବନେଶ୍ବରରୁ ମଞ୍ଚେଶ୍ବର ଷ୍ଟେସନ ପର୍ଯ୍ୟନ୍ତ ୬.୪ କିମି ମଧ୍ୟରେ ଥିବା ବାଣୀବିହାର, ମଞ୍ଚେଶ୍ବର ଷ୍ଟେସନର ଇଣ୍ଟର ଲକିଙ୍ଗ୍‌ ଓ ସିଗନାଲିଂ କାମ ମରାମତି ହେଉଛି । ଫଳରେ ସିଗନାଲ୍‌ ମିଳି ନ ଥିବାରୁ ଟ୍ରେନ୍‌ଗୁଡ଼ିକର ବିଭିନ୍ନ ଷ୍ଟେସନରେ ଅଟକି ରହିଥିଲେ । ଏପଟେ ୧୧ ଯୋଡା ଟ୍ରେନର ଷ୍ଟେସନରେ ପରିବର୍ତ୍ତନ କରାଯାଇଥିବାରୁ ଅନେକ ଟ୍ରେନ ଭୁବନେଶ୍ୱର ଷ୍ଟେସନକୁ ଆସି ନ ଥିଲେ । ତେଣୁ  ରାତି ସାଢ଼େ ୮ଟା ପର୍ଯ୍ୟନ୍ତ ଷ୍ଟେସନ୍‌କୁ ଟ୍ରେନ୍‌ ନ ଆସିବାରୁ ହଜାର ହଜାର ଯାତ୍ରୀ ଅପେକ୍ଷା କରି ରହିଥିଲେ ।

୧୧ ଯୋଡା ଟ୍ରେନର ରହଣି ସ୍ଥଳ ଭୁବନେଶ୍ୱର ଷ୍ଟେସନ ପରିବର୍ତ୍ତେ ନ୍ୟୁ ଭୁବନେଶ୍ୱର ଓ ଖୋର୍ଦ୍ଧା ରୋଡ କରାଯାଇଛି । ରେଳ ବିଭାଗ ସୂଚନା ଅନୁସାରେ,  ଭୁବନେଶ୍ବର-ହାଓଡା-ଭୁବନେଶ୍ବର ଜନଶତାବ୍ଦୀ ଏକ୍ସପ୍ରେସ୍‌, ଭୁବନେଶ୍ବର-ରାଉରକେଲା-ଭୁବନେଶ୍ବର ଇଣ୍ଟରସିଟି ଏକ୍ସପ୍ରେସ୍‌ ଓ ଭୁବନେଶ୍ବର-ଭାଲସାଦ-ଭୁବନେଶ୍ବର ଏକ୍ସପ୍ରେସ୍‌ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ଷ୍ଟେସନ ବଦଳରେ ନ୍ୟୁ ଭୁବନେଶ୍ବର ଷ୍ଟେସନରେ ରହଣୀ କରିବା ସହ ସେଠାରୁ ହିଁ ଛାଡ଼ିବ ।

ସେହିପରି କଟକ-ଗୁଣୁପୁର-କଟକ, ଭୁବନେଶ୍ବର-ନୂଆଗାଁ ରୋଡ୍‌-ଭୁବନେଶ୍ବର, କଟକ-ପଲାସା-କଟକ ଏକ୍ସପ୍ରେସ୍‌, ଭୁବନେଶ୍ବର-ନୟାଗଡ଼ ଟାଉନ୍‌-ଭୁବନେଶ୍ବର ଏକ୍ସପ୍ରେସ୍‌ ୨୯ ତାରିଖ ପର୍ଯ୍ୟନ୍ତ ଏବଂ ଭୁବନେଶ୍ବର-ସିଏସ୍‌ଏମ୍‌ଟି ମୁମ୍ବାଇ-ଭୁବନେଶ୍ବର କୋଣାର୍କ ଏକ୍ସପ୍ରେସ୍‌, ହାଓଡ଼ା-ସିକନ୍ଦରାବାଦ-ହାଓଡ଼ା ଫଲକନାମା ଏକ୍ସପ୍ରେସ୍‌, ଭୁବନେଶ୍ବର-ସିକନ୍ଦରାବାଦ-ଭୁବନେଶ୍ବର ବିଶାଖା ଏକ୍ସପ୍ରେସ୍‌, ଭୁବନେଶ୍ବର-ବିଶାଖାପାଟଣା-ଭୁବନେଶ୍ବର ଇଣ୍ଟରସିଟି ଏକ୍ସପ୍ରେସ୍‌ ୩୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ପରିବର୍ତ୍ତେ ଖୋର୍ଦ୍ଧା ରୋଡରୁ ‌ଚଳାଚଳ କରିବ  ।

ଯାତ୍ରୀମାନେ ଏହି ପରିବର୍ତ୍ତିତ ସୂଚୀ ପ୍ରତି ଦୃଷ୍ଟି ଦେବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.