ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’
ବର୍ଷା ମୁଖର, ସନ୍ତସନ୍ତିଆ ଗାଁଟିଏ କାଳିଗଛିଆ। ଆସାମର ରାଜଧାନୀଠୁ ମାତ୍ର ଦୁଇ ଘଣ୍ଟାର ରାସ୍ତା। ଗାଁ ଲୋକମାନଙ୍କୁ ଦେଖିଲେ ଯେ କେହି କହିବ, ଏମାନଙ୍କ ପାଖରେ କୌଣସି କାମ ନାହିଁ। ପ୍ରକୃତରେ କାମ ନାହିଁ କହିଲେ ଠିକ୍ ହେବନି, କାମ କରିବା ବା ନକରିବାର କୌଣସି ଚିନ୍ତା ନାହିଁ। ଘରପାଖ ଗଡ଼ିଆରୁ ବନିସି ପକାଇ ଦୁଇ ଚାରିଟା ମାଛ ଧରିଦେଲେ ଦିନକର ତରକାରି ହୋଇଗଲା। ବାକି ଘରେ ତ ଚାଉଳ ଅଛି। ତେଣୁ ଭାତ ଆଉ ମାଛ ହୋଇଗଲେ ଆଉ କଣ ଦରକାର? ବାସ୍, ସେତିକିରେ ସନ୍ତୁଷ୍ଟ ସେମାନେ। ସନ୍ଧ୍ୟାରେ ଟିକିଏ ମୃଦଙ୍ଗ ବଜାଇ ହରିନାମ କୀର୍ତ୍ତନ କରିଦେଲେ ଦିନଟି କଟିଗଲା ବୋଲି ଜାଣ। ମୋଟାମୋଟି କହିବାକୁ ଗଲେ, ଗାଁରୁ କେବେ କୌଣସି ଲୋକ ବାହାରକୁ କାମଧନ୍ଦା ସନ୍ଧାନରେ ଯିବାର କେହି ଦେଖିନି। ତା ମାନେ, ଗାଁରେ ନିଜ ପାଖରେ ଯାହା ଯେତିକି ଅଛି, ସେତିକିରେ ସନ୍ତୁଷ୍ଟ ସେମାନେ। ହେଲେ ଆଜି କାଲି ଟିକିଏ ଏହି ଧାରାରେ ପରିବର୍ତ୍ତନ ଆସିଛି କହିଲେ ଭୁଲ୍ ହେବନି। କାରଣ ସମ୍ପୂର୍ଣ୍ଣରୂପେ ଘର ମୋହରେ ବାନ୍ଧି ହୋଇଥିବା ମଣିଷମାନେ ଯେ, ଗାଁ ଛାଡ଼ି ବାହାରକୁ ଯିବେ, ତା ପୁଣି ରାଜ୍ୟ ବାହାରକୁ, ସେଇ କଥାଟାକୁ ଆଗରୁ କେହି ଗ୍ରହଣ କରିବା ତ ଦୂରର କଥା, କଳ୍ପନା ବି କରିପାରୁନଥିଲେ। ହେଲେ ଏବେ କିଛି ବର୍ଷ ହେଲାଣି ଗାଁରୁ ପିଲାମାନେ ଅଧିକ ପଢ଼ିବା ପାଇଁ ଗୁଆହାଟୀ, ସିଲଚର, ତେଜପୁର ସାଙ୍ଗକୁ କଲିକତା, ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ବି ଗଲେଣି।
ତା ନହୋଇଥିଲେ ଆଜିକାଲିର ପିଲାଙ୍କ ହାବଭାବରେ ଏତେ ପରିବର୍ତ୍ତନ ଆସନ୍ତା କେମିତି? ହଁ, ସେଦିନ ହାଇଦ୍ରାବାଦର ଅମିରପେଟ୍ ଅଞ୍ଚଳରେ ପହଞ୍ଚି ଯେତେବେଳେ ଭୁବନଦେବ ଓ ତାଙ୍କ ପତ୍ନୀ ନିଜ ଝିଅର ଫଟୋ ଧରି ଘୂରି ବୁଲୁଥିଲେ ଏବଂ ତାର ଠିକଣା ଖୋଜୁଥିଲେ, ସେତେବେଳେ ସମସ୍ତେ ଜାଣିଲେ ସ୍ଥିତି କଣ। ତାଙ୍କ ଝିଅଟା ଆଗରୁ ପ୍ରାଥମିକ ଶ୍ରେଣୀରେ କାଳିଗଛିଆ ଗାଁରେ ପଢ଼ିଲା ବେଳେ ବାପାମାଆ ବେଶ୍ ଖୁସି ହୋଇ ଯାଉଥିଲେ। କାରଣ ଗାଁର ସବୁ ଝିଅଙ୍କ ଭିତରେ ସବୁଠୁ ଭଲ ପାଠ ପଢୁଥିଲା ତାଙ୍କ ଝିଅ ମାଳିନୀ। ଧୀରେ ଧୀରେ ଗାଁ ହାଇସ୍କୁଲ ଓ ପାଖରେ ଥିବା ଦିବ୍ରୁଗଡ଼ରେ ଯାଇ ପ୍ଲସଟୁ ଯାଏଁ ପଢ଼ିଥିଲା ମାଳିନୀ। ଚିରାଚରିତ ରକ୍ଷଣଶୀଳ ପରିବାରରୁ ଆସିଥିବା ମାଳିନୀ ଖୁବ୍ ମେଧାବୀ ଥିଲା। ଭଲ ପଢୁଥିଲା ଏବଂ ତା ସାଙ୍ଗକୁ ନାଚ, ଗୀତ, ବକ୍ତୃତା ସବୁଥିରେ ଥିଲା ନମ୍ବର ୱାନ୍। ତାର ଏସବୁ ଦେଖି, ବାପା ମାଆ ଭାବୁଥିଲେ, ଅଧିକ ପଢ଼ାଇବା ପାଇଁ ତାକୁ କୁଆଡ଼େ ପଠାଇବେ? କାରଣ, ସେମାନେ ଚାହୁଁଥିଲେ ଝିଅ ଭଲ ପଢ଼ିଲେ ସେମାନଙ୍କ ସାମାଜିକ ପ୍ରତିଷ୍ଠା ନିଶ୍ଚିତ ଭାବେ ବଢ଼ିବ। ତେଣେ ମାଳିନୀ ବି ଚାହୁଁଥିଲା ଆସାମରୁ ବାହାରକୁ ଯାଇ ପଢ଼ିବା ପାଇଁ। ଦେଶର ବିଭିନ୍ନ କଲେଜ, ୟୁନିଭରସିଟି ଦେଖିବା ପରେ ଶେଷରେ ସେ ଆସିଥିଲା ହାଇଦ୍ରାବାଦ। ଏଠାରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ନାଁ ଲେଖାଇଥିଲା ମାଳିନୀ। କିନ୍ତୁ ଇଞ୍ଜିନିୟରିଂ ନୁହେଁ, ସେ ପଢୁଥିଲା ଲିବରାଲ ଆର୍ଟସ୍। କାରଣ ସେ ଚାହୁଁଥିଲା ପାଠପଢ଼ା ବ୍ୟତୀତ ତା ପାଖରେ ଥିବା ଅନ୍ୟ ଦକ୍ଷତାର ବି ଉପଯୁକ୍ତ ବିକାଶ ହେଉ।
ନାଁ ଲେଖାଇବାର ପ୍ରାୟ ବର୍ଷକ ଯାଏଁ ସବୁକିଛି ଠିକ୍ ଠାକ୍ ଥିଲା। ସେ ନିୟମିତ କ୍ଲାସ୍ ଯାଉଥିଲା। ତା ସାଙ୍ଗକୁ ତାର ନାଚ ଏବଂ ଗୀତ ଉଭୟ ପାଇଁ ବି ଉପଯୁକ୍ତ ମିଳୁଥିଲା ତାକୁ। କିନ୍ତୁ ସମୟ ସହିତ ତାକୁ ମିଳିଲେ ଅନେକ ନୂଆ ସାଙ୍ଗ। କିଏ କେଉଁଠୁ ଆସିଥିଲା। କାରଣ ସମସ୍ତେ ସେହି ଗୋଟିଏ ସହରର ନଥିଲେ। ମାଳିନୀ ଯେମିତି କାଳିଗଛିଆ ଗାଁରୁ ଆସିଥିଲା, ଠିକ୍ ସେମିତି ତାର ସାଙ୍ଗମାନେ ଦେଶର ବିଭିନ୍ନ ସହର ଓ ଗାଁରୁ ଆସିଥିଲେ। ତେବେ ଯେଉଁମାନେ ଗାଁରୁ ଆସିଥିଲେ ସେମାନଙ୍କ ହାବଭାବ, ବିଭିନ୍ନ ବଡ଼ ସହରର ପିଲାଙ୍କଠାରୁ ଭିନ୍ନ ଥିଲା। ସହରୀ ପିଲାଙ୍କ ଚାଲିଚଳଣି ଅତ୍ୟନ୍ତ ଆଧୁନିକ ଥିଲା ବେଳେ, ମାଳିନୀ ଭଳି ଝିଅମାନେ ନିଜକୁ ଗାଉଁଳୀ ମନେ କରୁଥିଲେ। ସେମାନଙ୍କ ଭିତରେ ଏକପ୍ରକାର ହୀନମନ୍ୟତା ଧୀରେ ଧୀରେ ବସା ବାନ୍ଧୁଥିଲା। ହେଲେ ଏ କଥା ମାଳିନୀର ବାପାମାଆ କିଛି ଜାଣିନଥିଲେ। ବରଂ ସେମାନେ ଭାବୁଥିଲେ, ଝିଅ ଆମର ଭଲ ପାଠପଢୁଛି। ନିଶ୍ଚୟ ବାପାମାଆର ଏବଂ ଗାଁର ନାଁ ରଖିବ।
ଏକରେ ଭାଷାଗତ ସମସ୍ୟା, ଦ୍ୱିତୀୟତଃ ହାଇଦ୍ରାବାଦ ଭଳି ଏତେ ବଡ଼ ସହରରେ ଭୁବନଦେବ ଏବଂ ତାଙ୍କ ପତ୍ନୀଙ୍କୁ ଲାଗୁଥିଲା ସେମାନେ ଯେମିତି ମଣିଷ ନୁହନ୍ତି। ସହରର ଏ ବେଗବାନ୍ ଜୀବନ ସୁଅରେ ସେମାନେ ଗୋଟିଏ ଗୋଟିଏ ପିମ୍ପୁଡି। ଯିଏକି ଭାସି ଯାଉଥିଲା ବେଳେ ସେହି ପତର ଖଣ୍ଡିକୁ ଖୋଜୁଛି। ଖୋଜିବାକୁ ଚେଷ୍ଟା କରୁଛନ୍ତି ନିଜସ୍ୱ ପରିଚୟକୁ। ଆଉ ତାଙ୍କୁ ଲାଗୁଛି, ସେମାନଙ୍କ ପରିଚୟ ମାଳିନୀ। ଯାହାର ଫଟୋ ଧରି ସେମାନେ ସକାଳୁ ଆସି ଦ୍ୱିପ୍ରହର ହେଲାଣି ଖୋଜି ବୁଲୁଛନ୍ତି। ଯେଉଁ ଲୋକଟି ଫୋନ୍ କରି ମାଳିନୀ ସମ୍ପର୍କରେ ଖବର ଦେଇଥିଲା, ତାକୁ ଏବେ ଫୋନ୍ କଲେ, ସେ କୌଣସି ଉତ୍ତର ଦେଉନାହିଁ।
ଏତିକି ବେଳେ ହଠାତ୍ ବାଜିଉଠିଲା ଭୁବନଦେବଙ୍କ ଫୋନ୍। ଗଳାରେ ଗୋଟାଏ ମୋଟା କଳାସୂତା ଦେହରେ ବନ୍ଧା ହୋଇ ସାର୍ଟ ଭିତରେ ପେଟ ଯାଏଁ ଝୁଲି ପଡ଼ିଥିବା ସେହି ପୁରୁଣାକାଳିଆ ମୋବାଇଲ୍ ଫୋନକୁ ଇତସ୍ତତ ହୋଇ ଖୋଜୁଥାନ୍ତି ଭୁବନଦେବ। ଅତି ତରତର ହୋଇ ନିଜ ସାର୍ଟ ଭିତରୁ ମୋବାଇଲ୍ ବାହାର କରି ଶେଷରେ ଫୋନରେ କଥା ହେବା ପାଇଁ ହାଲୋ .. ବୋଲି କହିବା ବେଳକୁ ପୁଣି ଫୋନ୍ ସଂଯୋଗ ବିଚ୍ଛିନ୍ନ। ଭୁବନଦେବ ଆହୁରି ବ୍ୟସ୍ତ ହୋଇପଡ଼ିଲେ। ନିଜ ଆଡ଼ୁ ପୁଣି ସେହି ନମ୍ବରରେ କଲ୍ କରିବା ପରେ ଶେଷରେ ଜାଣିବାକୁ ପାଇଲେ, ତାହା ଥିଲା ମାଳିନୀ ଚିକିତ୍ସାଧୀନ ଥିବା ଏକ ଘରୋଇ ଡାକ୍ତରଖାନାର ନମ୍ବର। ସେଠାରୁ କଷ୍ଟେ ମଷ୍ଟେ ଉଭୟ ପ୍ରାଣୀ ପହଞ୍ଚିଥିଲେ ଡାକ୍ତରଖାନାରେ। ହସ୍ପିଟାଲ ବେଡ୍ ଉପରେ ନିଶ୍ଚେତ ଅବସ୍ଥାରେ ଶୋଇ ରହିଥିଲା ମାଳିନୀ। ଡାକ୍ତରଙ୍କ ସହିତ କଥାହେବା ପରେ ଯାହା ଶୁଣିଲେ, ନିଜକୁ ବିଶ୍ୱାସ କରିପାରିଲେ ନାହିଁ ଭୁବନଦେବ ଓ ତାଙ୍କ ପତ୍ନୀ। ଡାକ୍ତରଙ୍କ କହିବା କଥା, ଆପଣଙ୍କ ଝିଅ ନିଶାସକ୍ତ ଓ ନିଶ୍ଚେତ ଅବସ୍ଥାରେ ରାସ୍ତାକଡ଼ରୁ ମିଳିବା ପରେ କେହି ଜଣେ ପରୋପକାରୀ ମଣିଷ ତାକୁ ଆଣି ଡାକ୍ତରଖାନାରେ ଭର୍ତ୍ତି କରିଦେଇ ଯାଇଛନ୍ତି। ତାକୁ ଚେତା ଆସିବା ପାଇଁ ହୁଏତ ଦୁଇ ଘଣ୍ଟା ଲାଗିପାରେ କିମ୍ବା ଦୁଇ ଦିନ କି ଦୁଇ ମାସ ବା ତାଠାରୁ ବି ଅଧିକ ସମୟ। ସେ ଅତି ଗଭୀର ଭାବରେ ପ୍ରଭାବିତ ହୋଇଛି। ବାପା ମାଆ ଭାବରେ ଆପଣମାନେ ଆସିଛନ୍ତି ଯେତେବେଳେ ଏବେ ତା ପାଖରେ ରହନ୍ତୁ। ହୁଏତ ଆପଣଙ୍କୁ ଦେଖିଲେ, ତା ମନୋବଳ ବଢ଼ି ଯାଇପାରେ। ଏତକ କଥା କହି ଡାକ୍ତର ସେଠାରୁ ଚାଲିଗଲେ।
ଭୁବନଦେବ ଓ ତାଙ୍କ ପତ୍ନୀ ସେଇଠି ସେମିତି ନିର୍ବିକାର ଭାବରେ ଠିଆ ହୋଇଥାନ୍ତି। ଭାବୁଥାନ୍ତି, ଏମିତି କଣ ହୋଇଗଲା? ଏମିତି ଡାକ୍ତରଖାନାରେ ଆସି ଝିଅକୁ ନିଶ୍ଚେତ ଅବସ୍ଥାରେ ଦେଖିବା ପାଇଁ କଣ ଆମେ ଆସାମରୁ ହାଇଦ୍ରାବାଦ ପଠାଇଥିଲୁ ଝିଅକୁ? ଅନ୍ୟମାନଙ୍କୁ ଅସୁବିଧା ନହେଲା ଭଳି କ୍ଷୀଣ ସ୍ୱରରେ କଥା ହେଉଥିଲେ ସେମାନେ। ମାଳିନୀର ମାଆଙ୍କ ଆଖିରୁ ଲୁହ ସୁଖୁନଥାଏ। ତା ବେଡ୍ ପାଖରେ ବସି ସେ ମାଳିନୀର ହାତକୁ ନିଜ ହାତରେ ଧରିଥାନ୍ତି। ତା ପରେ ଅତି ଧୀର ସ୍ୱରରେ ମାଳିନୀର ମୁହଁ ପାଖକୁ ଯାଇ ଡାକିଲେ, .. ମାଁ .. ମାଳିନୀ … ଏ ମାମା .. ଉଠ୍ । .. ଦେଖ, କିଏ ଆସିଛି .. ବାବା, ମାଆ .. ତୋ ପାଖରେ ଆମେ। ବୋଧହୁଏ ମାଆଙ୍କ କାନ୍ଦମିଶ୍ରିତ ଏ ଡାକ ଏବଂ ସ୍ୱର ମାଳିନୀର ଅବଚେତନ ମନ ପାଖରେ ପହଞ୍ଚି ପାରୁଥିଲା। ସେଥିପାଇଁ ହିଁ ନିଶ୍ଚେତ ହୋଇ ପଡ଼ିଥିବା ତା ଶରୀରଟାରେ ହଲଚଲ ଆରମ୍ଭ ହୋଇଗଲା । ଲାଗୁଥିଲା ସତେ ଯେମିତି ତା ଦେହରେ ପ୍ରାଣସଞ୍ଚାର ହେଉଛି। ସେ ଧୀରେ ଧୀରେ ପ୍ରକୃତିସ୍ଥ ହେଉଛି। ମାଳିନୀକୁ ସେମିତି ହିଁ ବାରମ୍ବାର ଡାକୁଥାନ୍ତି ତାର ମାଆ। ତେଣେ ମାଳିନୀ ଶରୀରରେ ହେଉଥିବା ଏହି ପରିବର୍ତ୍ତନ ଦେଖି, ଆଖି ଦୁଇଟା ବିସ୍ଫାରିତ ହୋଇଯାଉଥିଲା ଭୁବନଦେବଙ୍କର। ସେ ତା ପରେ ମାଳିନୀର କାନ ପାଖକୁ ଯାଇ କହିଲେ, ଆରେ ମା .. ଦେଖ .. ମୁଁ ବାବା .. ତୋ ପାଖକୁ ଆସିଛି। ହଁ, ଗାଁରୁ ତୋ ପାଇଁ ବରକୋଳି ବି ଆଣିଛି। ଦେଖ, ଉଠ୍ .. । ତା ପରେ ତାଙ୍କ ଧୈର୍ଯ୍ୟଚ୍ୟୁତି ଘଟୁଥାଏ। ସେ ଭାଙ୍ଗି ପଡୁଥାନ୍ତି। ଏତିକି ବେଳେ ହଠାତ୍ ଶୁଭିଲା .. ମାଆ .. ବାବା … । ଆରେ ହଁ ତ, ମାଳିନୀକୁ ଚେତା ଫେରି ଆସିଛି। ସେ ଧୀରେ ଧୀରେ ଉଠି ବସିବାକୁ ଚେଷ୍ଟା କରୁଛି। ତାକୁ ପୁଣି ଆରାମ କରିବାକୁ କହି ଶୁଆଇ ଦେଲେ ସେମାନେ।
ଡାକ୍ତରଖାନାରେ ଦଶ ଦିନ ରହିବା ପରେ ଧୀରେ ଧୀରେ ସୁସ୍ଥ ହୋଇ ନିଜ ବସା ଘରକୁ ଫେରିଲା ମାଳିନୀ। ସାଙ୍ଗରେ ଥାଆନ୍ତି ବାପା ମାଆ। ଘରକୁ ଆସିଲା ପରେ ଅତି ଧୀର ଭାବରେ ତାକୁ ପଚାରିଲେ, ଏ ସବୁ କେମିତି ହେଲା? ମାଳିନୀ ହଠାତ୍ ଭାଙ୍ଗି ପଡ଼ିଲା। ବାପା କହିଲେ, ଏବେ ଆଉ କିଛି ଚିନ୍ତା କରିବାର ନାହିଁ। ଯାହା ହେବାର ଥିଲା ହୋଇସାରିଛି। ଏବେ ତାର ପୁନରାବୃତ୍ତି ଯେମିତି ନହୁଏ, ସେ ଦିଗରେ କାମ କରିବାର ଆବଶ୍ୟକତା ରହିଛି। ମାମା ତୁ କହ, କେମିତି ହେଲା ଏ ସବୁ?
ତା ପରେ ସାହସ ଜୁଟାଇ ମାଳିନୀ କହିଲା, ତା କାହାଣୀ। ଗାଁରୁ ଆସିଛି ବୋଲି ତା ଭିତରେ ଥିବା ହୀନମନ୍ୟତା ତାକୁ ଆଜି ଏ ଅବସ୍ଥାରେ ପହଞ୍ଚାଇଛି। ପାଠପଢ଼ା ଓ ଅନ୍ୟାନ୍ୟ ସମସ୍ତ ଆନୁସଙ୍ଗିକ ପ୍ରତିଯୋଗିତାରେ ସମସ୍ତଙ୍କଠୁ ଆଗରେ ଥିବା ମାଳିନୀ ପାଇଁ ସହରର ଚାକଚକ୍ୟତା ଓ ଜୀବନଶୈଳୀ ପାଲଟି ଯାଇଥିଲା ହୀନମନ୍ୟତାର କାରଣ। ସେଥିପାଇଁ ସେ ନିଜକୁ ବିକଶିତ ଏବଂ ଆଧୁନିକ ବୋଲି ପ୍ରମାଣିତ କରିବାକୁ ଯାଇ ସାଙ୍ଗ ହୋଇଥିଲା କିଛି ଯୁବକ ଯୁବତୀଙ୍କ ସହିତ। ସେମାନଙ୍କ ପ୍ରୋତ୍ସାହନରେ ଧୀରେ ଧୀରେ ସେ ନିଶା ସେବନ ଆରମ୍ଭ କରିଥିଲା। ଆଉ କାଳେ କେହି ଜାଣି ଦେବେ, ସେହି ଡରରେ ସେ ହଷ୍ଟେଲ ଛାଡ଼ି ଏକ ଭଡ଼ା ଘରେ ରହୁଥିଲା। ତେବେ ନିଶା ତାକୁ ଏତେ ମାତ୍ରାରେ ପ୍ରଭାବିତ କରିଥିଲା ଯେ, ତାର ଆଉ ତା ନିଜ ଉପରେ କୌଣସି ପ୍ରକାର ନିୟନ୍ତ୍ରଣ ରହିଲା ନାହିଁ। ଏମିତି ହିଁ କିଛି ସାଙ୍ଗଙ୍କ ସହିତ ବାହାରକୁ ଯାଇଥିଲା ବେଳେ ସେଠାରେ ତାର ଏ ଅବସ୍ଥା ହୋଇଥିଲା। ଏକଥା ଶୁଣି ତା ବାପା କହିଲେ, ଯାହା ହେଉ, ସମୟ ଥାଉ ଥାଉ ତୋତେ ଶିକ୍ଷା ମିଳିଗଲା। ଏବେ ବି ତୋ ପାଖରେ ଢେର ସମୟ ଅଛି। ନିଜକୁ ନିୟନ୍ତ୍ରଣ କରିପାରିଲେ ତୁ ପୁଣି ସେହି ଗାଁର ସୁନାଝିଅ ମାଳିନୀ ହୋଇପାରିବୁ।
ବାପାଙ୍କ କଥା ଶୁଣି, କୁନି ଝିଅଟିଏ ଭଳି ବାପାଙ୍କୁ କୁଣ୍ଢାଇ ଧରିଲା ମାଳିନୀ। କହିଲା, ବାପା .. କେବଳ ମୁଁ ନୁହେଁ, ମୋ ଭଳି ଏମିତି ଅନେକ ଗାଁ ପିଲା, ସହରକୁ ଆସିଲା ପରେ କଣ ହୁଏ କେଜାଣି, ସେମାନଙ୍କ ସବୁ କିଛି ଭୁଲ୍ ହୋଇଯାଏ। ସେମାନେ ବାଟବଣା ହୋଇଯାଆନ୍ତି। କିନ୍ତୁ ପ୍ରକୃତପକ୍ଷେ କହିବାକୁ ଗଲେ, ସେମାନଙ୍କୁ ବାଟକୁ ଆଣିବା ପାଇଁ କେହି ଚେଷ୍ଟା କରନ୍ତିନି। ଆଉ ଯେତେବେଳେ ସେମାନଙ୍କୁ ସୁଧାରିବାକୁ ପ୍ରୟାସ କରାଯାଏ, ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥାଏ।
ମିଡିଆ ଷ୍ଟଡିଜ
ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ
ପିନ୍-୧୪୦୪୧୩
ଫୋନ୍- ୯୯୩୭୨୫୨୪୬୪
Comments are closed.