Latest Odisha News

BREAKING NEWS

କ୍ୱାକ ଡ଼ାକ୍ତରଙ୍କ ଭୁଲ ଇଞ୍ଜେକସନ ଯୋଗୁଁ ଚାଲିଗଲା ରୋଗୀର ଜୀବନ, ଘଟଣାସ୍ଥଳରେ ଉତ୍ତେଜନା

ସୋନପୁର: କ୍ୱାକ ଡ଼ାକ୍ତରଙ୍କ ଭୁଲ ଇଞ୍ଜେକସନ ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଏହିଭଳି ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁରରୁ । ମୃତକ ଜଣକ ହେଲେ ରଥପୁର ମେହେରପଡ଼ାର କାର୍ତ୍ତିକ ମେହେର ।

ଅଭିଯୋଗ ଅନୁସାରେ, ଦୁଇ ଦିନ ତଳେ କାର୍ତ୍ତିକଙ୍କୁ ଜ୍ୱର ଓ ମୁଣ୍ଡବ୍ୟଥା ହେବାରୁ ସେ ଏକ ଘରୋଇ କ୍ଲିନିକରେ ଦେଖାଇଥିଲେ । ସେଠାରେ ଚିକିତ୍ସା କରୁଥିବା ବଙ୍ଗାଳି ଡ଼ାକ୍ତର ଔଷଧ ଖାଇବାକୁ ଦେଇଥିଲେ । ଘରକୁ ଯାଇ ଗୁରୁତର ହେବାରୁ ପୁଣି କ୍ଲିନିକକୁ ଆଣିଥିଲେ । କ୍ୱାକ୍ ଡ଼ାକ୍ତର ସେଠାରେ ଏକ ଇଞ୍ଜେକସନ ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବା ପାଇଁ କହିଥିଲେ । ପରିବାର ଲୋକେ କାର୍ତ୍ତିକଙ୍କୁ ସୁବର୍ଣ୍ଣପୁର ଓ ପରେ ବୁର୍ଲା ବଡ଼ ମେଡ଼ିକାଲକୁ ନେଇଥିଲେ । ଗତ ରାତିରେ ବୁର୍ଲାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ପରିବାର ଲୋକେ ତାଙ୍କ ମୃତଦେହକୁ ଆଣି କ୍ୱାକ ଡ଼ାକ୍ତରଙ୍କ ଘର ଆଗରେ ରଖି ପ୍ରତିବାଦ କରିଛନ୍ତିି । ଭୁଲ ଚିକିତ୍ସା ଯୋଗୁଁ କାର୍ତ୍ତିକଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । କ୍ୱାକ ଡ଼ାକ୍ତର ଜଣକ ଫେରାର ଅଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ବିରମହାରାଜପୁର ପୋଲିସ ପହଞ୍ଚି ଘଟଣାର ଅନୁସନ୍ଧାନ କରୁଛି । ଏପଟେ ପୋଲିସ ପାଖରେ ଏଯାଏଁ କୌଣସି ଲିଖିତ ଅଭିଯୋଗ ହୋଇନଥିବା ପୋଲିସ କହିଛି । ତେବେ ମୃତକଙ୍କ ପରିବାରକୁ ନ୍ୟାୟ ଦାବି କରାଯାଇଛି ।

Leave A Reply

Your email address will not be published.