Latest Odisha News

BREAKING NEWS

Wrong Treatment: ଭୁଲ୍ ଚିକିତ୍ସାରେ ରୋଗୀ ମୃତ, ଘଟଣା ପରେ ଚାପା ଉତ୍ତେଜନା

ବାଲେଶ୍ୱର: କ୍ୱାକ୍ ବା ନକଲି ଡାକ୍ତରଙ୍କ ଭୁଲ୍ ଚିକିତ୍ସା ପାଇଁ ଜଣେ ରୋଗୀଙ୍କ ଜୀବନ ଯାଇଛି । ଏନେଇ ଲୋକେ ଡାକ୍ତରଙ୍କୁ ଉତ୍ତମ ମଧ୍ୟମ ଦେବା ସହ ଔଷଧ ଦୋକାନ ଭଙ୍ଗାରୁଜା କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ତାଳସାରୀ ସାମୁଦ୍ରିକ ଥାନା ଅଞ୍ଚଳରେ । ମୃତକ ହେଲେ ଭୋଗରାଇ ବ୍ଳକ୍ ସାହାବାଜିପୁର ପଞ୍ଚାୟତ ଅଧୀନ ସେହି ଗାଁର ଅଶୋକ ପଟ୍ଟାୟତ (୪୮)। ଘଟଣା ପରେ ଚାପା ଉତ୍ତେଜନା ମଧ୍ୟ ଦେଖାଦେଇଛି। ତାଳସାରୀ ସମୁଦ୍ରିକ ଥନା ପୋଲିସ ପରିସ୍ଥିତି ନିୟନ୍ତ୍ରଣ କରିବା ସହ କ୍ବାକ ସମେତ ୩ ଜଣଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି।

ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ସାନ୍ତଡ଼ା ଗାଁର ଚନ୍ଦ୍ରଶେଖର ମାଇତି ପ୍ରାୟ ୧୦ ବର୍ଷ ହେଲା ଚନ୍ଦନେଶ୍ଵର ବଜାରରେ ଥିବା ଏକ ଔଷଧ ଦୋକାନରେ ରୋଗୀ ଚିକିତ୍ସା କରନ୍ତି । ତାଙ୍କର ଡିଗ୍ରୀ କ’ଣ ଥିଲା କାହାକୁ ଜଣାନଥିଲେ ମଧ୍ୟ ସବୁଦିନ ପିଲାଠାରୁ ବୁଢ଼ା ପ୍ରାୟ ୧୦୦ରୁ ଅଧିକ ରୋଗୀ ଚନ୍ଦ୍ରଶେଖର ମାଇତିଙ୍କ ନିକଟରେ ଚିକିତ୍ସିତ ହେଉଥିଲେ।

୨ ବର୍ଷ ହେଲା ସେ ଚନ୍ଦନେଶ୍ୱର ସ୍ଥିତ ୟୁନିଅନ ବ୍ୟାଙ୍କ୍ ପାଖରେ ଏକ ଜାଗା କିଣି ୩ ମହଲା ଘର କରିଛନ୍ତି । ସେଠାରେ ବେଆଇନ ଭାବେ ନର୍ସିଂହୋମ୍ ଚଳାଇ ଆସୁଥିଲେ। ଗୁରୁବାର ଅପରାହ୍ନରେ ଅଶୋକ ଶ୍ଵାସ ରୋଗ କାରଣରୁ ଅସୁସ୍ଥ ହୋଇପଡ଼ିଥିଲେ । ପୁଅ ପ୍ରଶାନ୍ତ ତାଙ୍କୁ ଚନ୍ଦ୍ରଶେଖରଙ୍କ ପାଖକୁ ନେଇଥିଲେ। ଚନ୍ଦ୍ରଶେଖର ପରୀକ୍ଷା କରିବା ପରେ ଏକ ଇଞ୍ଜେକ୍ସନ ନେବାକୁ ପରାମର୍ଶ ଦେଇଥିଲେ। ଚନ୍ଦ୍ରଶେଖରଙ୍କ ଔଷଧ ଦୋକାନର ଜଣେ ପିଲା ଅଶୋକଙ୍କୁ ଇଞ୍ଜେକ୍ସନ ଦେବାର ପ୍ରାୟ ୫ ମିନିଟ୍ ମଧ୍ୟରେ ତାଙ୍କର ବାନ୍ତି ହୋଇଥିଲା ଆଉ କିଛି ସମୟ ମଧ୍ୟରେ ପ୍ରାଣ ହରାଇଥିଲେ।

ଭୁଲ ଚିକିତ୍ସାରୁ ତାଙ୍କର ଜୀବନ ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ଲୋକେ ଚନ୍ଦ୍ରଶେଖରଙ୍କୁ ମାଡ଼ ମାରିଥିବା ବେଳେ ତାଙ୍କ ଔଷଧ ଦୋକାନ ଭଙ୍ଗାରୁଜା କରିଥିଲେ। ସାମୁଦ୍ରିକ ଥାନା ଅଧିକାରୀ ଶ୍ରବଣ କୁମାର ମହାରଣା, ଏସ୍‌ଆଇ ଆଶିଷ କୁମାର ବିଶ୍ଵାଳ, ଏଏସ୍‌ଆଇ ହେମ୍ବ୍ରମ, ରତିକାନ୍ତ ବେହେରା ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ । ଡାକ୍ତରଙ୍କ ବିରୋଧରେ ଉପ‌ଯୁକ୍ତ କାର୍ଯ୍ୟାନୁଷ୍ଠାନ ସହ ମୃତକଙ୍କ ପରିବାରକୁ ସାହାଯ୍ୟ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।

Comments are closed.