Latest Odisha News

BREAKING NEWS

ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା; ଆସନ୍ତାକାଲି ଆସିବ ରାୟ

ବଲାଙ୍ଗୀର: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲବୋମା ବିସ୍ଫୋରଣ ମାମଲା । ମେ 28 ତାରିଖ ଅର୍ଥାତ୍ ଆସନ୍ତାକାଲି ଆସିବ ଚୂଡ଼ାନ୍ତ ରାୟ । ୨୦୧୮ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାମଲା ଚାଲି ଆସୁଥିବାବେଳେ ଆସନ୍ତାକାଲି ଏହାର ରାୟ ପ୍ରକାଶ ପାଇବ । ମାମଲାର ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ପାଟଣାଗଡ଼ ଏଡିଜେ କୋର୍ଟ ରାୟ ଶୁଣାଇବେ । ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ କଣ ଦଣ୍ଡ ମିଳିବ ସେନେଇ ରହିଛି ସମସ୍ତଙ୍କ ନଜର ।

ଅନ୍ୟପଟେ, ଆଜି ପୁଞ୍ଜିଲାଲର ଓକିଲ ପ୍ରମୋଦ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କହିଛନ୍ତି ଯେ, କ୍ରାଇମବ୍ରାଞ୍ଚର ତଦନ୍ତର ତଥ୍ୟ ଓ ପ୍ରମାଣର ତାଳମେଳ ରହୁନାହିଁ । ମାମଲାର କୌଣସି ପ୍ରତ୍ୟକ୍ଷଦର୍ଶୀ ନାହାନ୍ତି I ଆଇନ ଅନୁସାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିନଥିବା ସେ ଅଭିଯୋଗ ଆଣିଛନ୍ତି I

ଅନ୍ୟପଟେ ମୃତ ସୋମ୍ୟଶେଖରଙ୍କ ପରିବାର ମାନ୍ୟବର ଅଦାଲତଙ୍କ ଉପରେ ସମ୍ପୂର୍ଣ୍ଣ ଆସ୍ଥା ରଖିଛନ୍ତି l ତାଙ୍କ ପରିବାରକୁ ଉପଯୁକ୍ତ ନ୍ୟାୟ ମିଳିବ ବୋଲି ସେମାନେ ଆଶା ରଖିଥିବା ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ୨୦୧୮ ଫେବୃୟାରୀ ୨୩ରେ ନବ ବିବାହିତ ସୌମ୍ୟଶେଖର ଓ ପତ୍ନୀ ରୀମା ଆସିଥିବା ଏକ ପାର୍ସଲ ଖୋଲୁଥିବା ବେଳେ ବିସ୍ଫୋରଣ ଘଟିଥିଲା । ଏଥିରେ ନବବିବାହିତ ସୌମ୍ୟଶେଖର ଓ ତାଙ୍କ ଜେଜେମା’ ଜେମାମଣି ସାହୁଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିଲା । ସୌମ୍ୟଶେଖରଙ୍କ ନବବିବାହିତା ସ୍ତ୍ରୀ ରିମାରାଣୀ ଗୁରୁତର ହୋଇଥିଲେ । ଏହି ମାମଲାରେ କ୍ରାଇମବ୍ରାଞ୍ଚ ଭଇଁଷା କଲେଜର ଇଂରାଜୀ ବିଭାଗ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଗିରଫ କରିଥିଲା ।

Comments are closed.