Latest Odisha News

BREAKING NEWS

ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲା: ପ୍ରେମିକକୁ ଉଠାଇଲା ପୋଲିସ କିନ୍ତୁ ପଡ଼ୋଶୀଙ୍କ ବୟାନ ଘଟଣାକୁ କଲା ରହସ୍ୟମୟ

କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇରେ ଜଣେ ପ୍ଲସ୍-୩ ଛାତ୍ରୀଙ୍କ ରହସ୍ୟମୟ ମୃତ୍ୟୁ ମାମଲା ଏବେ ଚର୍ଚ୍ଚାର ବିଷୟ। ଛାତ୍ରୀଙ୍କ ପ୍ରେମିକ ପ୍ରମୋଦ ବେହେରାଙ୍କୁ ଚେନ୍ନାଇରୁ ଉଠାଇ ଆଣିଛି କେନ୍ଦ୍ରାପଡ଼ା ପୁଲିସ। ଏକ ସନ୍ଦେହଜନକ ପରିସ୍ଥିତିରେ ଯୁବତୀ ଜଣଙ୍କ ନିଜ ଘରେ ଜଳିଯାଇଥିବା ଦେଖିବାକୁ ମିଳିଛି। ପରେ ତାଙ୍କର ଅନ ସ୍ପଟ ବା ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ଏହା ଏବେ ସାରା ଅଞ୍ଚଳରେ ଆଲୋଡ଼ନ ଓ ଚର୍ଚ୍ଚା ସୃଷ୍ଟି କରିଛି।

ପୁଲିସ ସୂତ୍ରରୁ ଜଣାପଡ଼ିଛି, ଛାତ୍ରୀଙ୍କ ପରିବାର ଅଭିଯୋଗ କରିଥିଲେ ଯେ ତାଙ୍କ ପ୍ରେମିକ ତାଙ୍କୁ ମାନସିକ ନିର୍ଯାତନା ଓ ବ୍ଲାକମେଲ କରୁଥିଲେ। ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି, ପ୍ରେମିକଙ୍କ ନିରନ୍ତର ଧମକ ଓ ମାନସିକ ନିର୍ଯାତନା ହିଁ ତାଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥାଇପାରେ। ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। କେନ୍ଦ୍ରାପଡ଼ା ପୁଲିସ ତାଙ୍କୁ ଚେନ୍ନାଇରୁ ଧରି ଜେରା ପାଇଁ ଆଣିଛି।

ସ୍ଥାନୀୟ ଲୋକେ ଓ ପରିବାର ସଦସ୍ୟମାନେ ପ୍ରଶ୍ନ ଉଠାଇଛନ୍ତି, ଛାତ୍ରୀ ନିଜେ ନିଜ ହାତକୁ ଗ୍ରିଲରେ ବାନ୍ଧି ନିଆଁ ଲଗାଇବା ସମ୍ଭବ କି? ଘଟଣାସ୍ଥଳରେ କେମିକାଲ ଓ ଦିଆସିଲି ମିଳିବା ସନ୍ଦେହକୁ ଆହୁରି ରହସ୍ୟମୟ କରିଛି। କେନ୍ଦ୍ରାପଡ଼ା ଏସପି ଓ ଫରେନସିକ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ ଜାରି ରଖିଛନ୍ତି।

ମୁଖ୍ୟ ଅଭିଯୁକ୍ତ ପ୍ରମୋଦ ବେହେରାଙ୍କ ଘର ବିଲିକାନା ପଞ୍ଚାୟତର ତୋରୋଇ ଗାଁର।  ବାପାଙ୍କ ନାମ ଗଣେଶ୍ୱର ବେହେରା। ପୁଲିସ ରିପୋର୍ଟ ଅନୁଯାୟୀ, ପ୍ରମୋଦ ତାଙ୍କ ପୂର୍ବତନ ପ୍ରେମିକାଙ୍କୁ ସାମାଜିକ ଗଣମାଧ୍ୟମରେ ଅଶ୍ଳୀଳ ଫଟୋ ପୋଷ୍ଟ କରି ବ୍ଲାକମେଲ କରୁଥିଲେ। ସାତରୁ ଆଠ ମାସ ଧରି ଏପରି ବ୍ଲାକମେଲ୍ କରୁଥିଲେ। ଏକାକୀ ଘରେ ଥାଇ ଯୁବତୀ କିରୋସିନ ଢାଳି ନିଜକୁ ନିଆଁ ଲଗାଇଥିଲେ।

ପରିବାର ଏହି ନିର୍ଯାତନା ବିଷୟରେ ଜାଣିବା ପରେ ପୁଲିସରେ ଅଭିଯୋଗ କରିବାକୁ ଯାଇଥିଲେ। କିନ୍ତୁ ଜଣେ ସହକାରୀ ଉପ-ନିରୀକ୍ଷକ (ଏଏସଆଇ) ଏଫଆଇଆର ଦାଖଲ କରିବା ବଦଳରେ ପ୍ରମୋଦଙ୍କୁ ସୋସିଆଲ ମିଡିଆରେ ବ୍ଲକ କରିବାକୁ ପରାମର୍ଶ ଦେଇଥିଲେ। ପଡ଼ୋଶୀମାନେ କହିଛନ୍ତି, ଘର ଭିତରୁ ତାଲା ଲାଗିଥିଲା ଓ ହାତ ଦଉଡ଼ିରେ ବନ୍ଧା ଥିଲା। ଏହା ମୃତ୍ୟୁର ରହସ୍ୟକୁ ଆହୁରି ବଢ଼ାଇଛି।

ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, “ହାତ ଦଉଡ଼ିରେ ବନ୍ଧା ଓ ଦୁଆର ତାଲା ଲାଗିଥିବା ଅବସ୍ଥାରେ ଏହା ଆତ୍ମହତ୍ୟା କିପରି ହୋଇପାରେ? ପୁଲିସକୁ ଏହାର ତଦନ୍ତ କରିବା ଦରକାର।”

ସେପଟେ ଏହି ମାମଲାରେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ପୋଲିସ କହିଛି।

Comments are closed.