ନୂଆଦିଲ୍ଲୀ: ଭୋଟ୍ ରାଜନୀତିରେ ଭୋଜପୁରୀ ତଡକା ! ନିର୍ବାଚନ ମଇଦାନକୁ ଓହ୍ଲାଇବେ ଭୋଜପୁରୀ ଷ୍ଟାର । କମାଲ କରିବ ଷ୍ଟାର ପାଓ୍ବାର! ଆଉ ମାସ କେଇଟା ପରେ ବିହାର ବିଧାନସଭା ନିର୍ବାଚନ । ଏହାପୂର୍ବରୁ ଭୋଜପୁରୀ ଅଭିନେତା ନିର୍ବାଚନ ଲଢିବା ନେଇ ଜୋରଦାର ଚର୍ଚ୍ଚା ହେଲାଣି । ଭୋଜପୁରୀ ସିନେମା ଜଗତର ପାଓ୍ବାର ଷ୍ଟାର ପଓ୍ବନ ସିଂ,ରାଧେଶ୍ୟାମ ରସିଆ ନିର୍ବାଚନ ଲଢିବାକୁ ସ୍ପଷ୍ଟ କରିସାରିଛନ୍ତି । ସେହିପରି ରିତେଶ ପାଣ୍ଡେ ଓ ଖେସାରୀ ଲାଲ୍ ଯାଦବଙ୍କ ରାଜନୈତିକ ସକ୍ରିୟତା ଦେଖିବାକୁ ମିଳୁଛି । ଚତୁର୍ଥ ଥର ବିଧାନସଭା ଯିବାକୁ ବିନୟ ବିହାରୀ ବି ନିର୍ବାଚନ ଲଢିବେ । ତେବେ, କେଉଁ ଭୋଜପୁରୀ ଷ୍ଟାରଙ୍କୁ ଏଥର ନିର୍ବାଚନ ମଇଦାନରେ ଦେଖିବାକୁ ମିଳିବ?
ପାଓ୍ବାର ଷ୍ଟାର ପଓ୍ବନ ସିଂ
ଭୋଜପୁରୀ ପାଓ୍ବାର ଷ୍ଟାର ପଓ୍ବନ ସିଂ ପୂର୍ବରୁ ବିଜେପିର ବିହାର ପ୍ରଦେଶ କାର୍ଯ୍ୟକାରିଣୀ ସଦସ୍ୟ ରହିଥିଲେ । ଗତ ଲୋକସଭା ନିର୍ବାଚନରେ ସେ କାରାକାଟ ସିଟରୁ ସ୍ବାଧୀନ ଭାବେ ଲଢି ହାରିଥିଲେ । ଏଥର ବିଧାନସଭା ନିର୍ବାଚନ ଲଢିବା ନେଇ ଘୋଷଣା କରିସାରିଛନ୍ତି ପଓ୍ବନ ସିଂ । ତେବେ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢିବେ ନା କୌଣସି ଦଳର ଟିକେଟରେ ଲଢିବେ, ସେନେଇ ସ୍ପଷ୍ଟ ହୋଇନି । ସେହିପରି କେଉଁ ବିଧାନସଭା ସିଟରୁ ଲଢିବେ, ସେନେଇ ବି ଚିତ୍ର ସ୍ପଷ୍ଟ ହୋଇନି । ତେବେ ପଓ୍ବନ ସିଂ ଭୋଜପୁର କିମ୍ବା କାରକାଟ ମଧ୍ୟରୁ କୌଣସି ସିଟରେ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ପଓ୍ବନ ସିଂଙ୍କ ପତ୍ନୀ ଜ୍ୟୋତି ସିଂ ମଧ୍ୟ ଏଥର ନିର୍ବାଚନ ଲଢିବାକୁ କହିସାରିଛନ୍ତି ।
ନିର୍ବାଚନରେ ଭୋଜପୁରୀ ଷ୍ଟାର
ଭୋଜପୁରୀ ଷ୍ଟାର ରିତେଶ ପାଣ୍ଡେ ମଧ୍ୟ ଏଥର ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଛି । ଗତ ଲୋକସଭା ନିର୍ବାଚନର କିଛି ମାସ ପରେ ଭଭୁଆରେ ନିଜ କାର୍ଯ୍ୟାଳୟର ଉଦଘାଟନ କରିଥିଲେ ରିତେଶ । ରିତେଶ ପାଣ୍ଡେ ବିଜେପିରୁ ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଭୋଜପୁରୀ ଷ୍ଟାର ଖେସାରୀ ଲାଲ ଯାଦବ ମଧ୍ୟ ନିର୍ବାଚନ ଲଢିପାରନ୍ତି ବୋଲି କୁହାଯାଉଛି । କିଛି ଦିନ ତଳେ ସେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟିଥିଲେ । ସେତେବେଳେ ୨୦୨୭ନିର୍ବାଚନରେ ଦଳକୁ ଖେସାରୀ ସାହାଯ୍ୟ କରିବେ ବୋଲି ସପା ପକ୍ଷରୁ କୁହାଯାଇଥିଲା । ଏବେ ଚର୍ଚ୍ଚା ହେଉଛି, ଆରଜେଡି ଟିକେଟରେ ନିର୍ବାଚନ ଲଢିପାରନ୍ତି ଖେସାରୀ । ତାଙ୍କ ସୋସିଆଲ୍ ମିଡିଆ ପୋଷ୍ଟ ଓ ସକ୍ରିୟତା ଦେଖି ଖେସାରୀ ନିର୍ବାଚନ ଲଢିବା ନେଇ ଆକଳନ କରାଯାଉଛି ।
କମାଲ୍ କରିବେ ଷ୍ଟାର !
ବର୍ତ୍ତମାନର ବିଧାୟକ ତଥା ଭୋଜପୁରୀ ଗାୟକ ଓ ଗୀତିକାର ବିନୟ ବିହାରୀ ଏଥର ମଧ୍ୟ ନିର୍ବାଚନ ଲଢିପାରନ୍ତି । ୨୦୨୦ରେ ସେ ପଶ୍ଚିମ ଚମ୍ପାରଣର ଲୌରିୟା ବିଧାନସଭା ସିଟରୁ ବିଜେପି ଟିକେଟରେ ଜିତିଥିଲେ । ତିନି ତିନି ଥର ବିଧାୟକ ରହିଥିବା ବିନୟ ବିହାରୀ ଏଥର ମଧ୍ୟ ନିର୍ବାଚନ ଲଢିପାରନ୍ତି । ୨୦୧୦ରେ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଏବଂ ୨୦୧୫ ଓ ୨୦୨୦ରେ ବିଜେପି ଟିକେଟରେ ଲଢି ଜିତିଥିଲେ । ସେହିପରି ୯୦ଦଶକର ସୁପରଷ୍ଟାର ରାଧେଶ୍ୟାମ ରସିଆ ମଧ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଇ ପାରନ୍ତି । ସେ ଗତ ଲୋକସଭା ନିର୍ବାଚନରେ ପଶ୍ଚିମ ଚମ୍ପାରଣ ସିଟରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହୋଇଥିଲା । ସେତେବେଳେ ସେ ନିର୍ବାଚନ ଲଢିନଥିଲେ । ତେବେ ବିଧାନସଭା ନିର୍ବାଚନ ଲଢିବା ନେଇ ସେ ଘୋଷଣା କରିଛନ୍ତି । ତେବେ କେଉଁ ଦଳରୁ ନା ସ୍ବାଧୀନ ପ୍ରାର୍ଥୀ ଭାବେ ଲଢିବେ ବା କେଉଁ ସିଟରୁ ଲଢିବେ ସେନେଇ ସ୍ପଷ୍ଟ ହୋଇନି ।
କେବଳ ଏତିକି ନୁହେଁ, ଏଥର ବିହାର ବିଧାନସଭା ନିର୍ବାଚନରେ ଅନେକ ଭୋଜପୁରୀ ଷ୍ଟାର ସେମାନଙ୍କ ଭାଗ୍ୟ ପରୀକ୍ଷା କରିପାରନ୍ତି । ନବାଦା ସିଟରୁ ଲୋକସଭା ନିର୍ବାଚନ ଲଢିଥିବା ଗାୟକ ଗୁଞ୍ଜନ ସିଂ ଏଥର ବିଜେପି ଟିକେଟରେ ବିଧାନସଭା ଲଢେଇ ଲଢିପାରନ୍ତି ବୋଲି କୁହାଯାଉଛି । ସେହିପରି ନେହା ସିଂ ରାଠୋରଙ୍କ ନାଁ ନେଇ ମଧ୍ୟ ଚର୍ଚ୍ଚା ହେଉଛି ।
Comments are closed.