Latest Odisha News

BREAKING NEWS

ମେ ପହିଲାରୁ ଅନ୍ୟ ବ୍ୟାଙ୍କର ଏଟିଏମ୍ ବ୍ୟବହାର ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏଟିଏମ୍ ଇଣ୍ଟରଚେଞ୍ଜ ଫି’ରେ ସଂଶୋଧନକୁ ଅନୁମୋଦନ ଦେଇଛି, ଯାହା ମେ ୧, ୨୦୨୫ ଠାରୁ ଲାଗୁ ହେବ। ଏହା ଗ୍ରାହକଙ୍କ ପାଇଁ ଆର୍ଥିକ ଏବଂ ଅଣ-ଆର୍ଥିକ ଦୁଇ ପ୍ରକାରର ଲେଣଦେଣକୁ ପ୍ରଭାବିତ କରିବ।

ଆରବିଆଇ ଆର୍ଥିକ ଲେଣଦେଣ ପାଇଁ ଫି’ରେ ୨ ଟଙ୍କା ବୃଦ୍ଧିକୁ ମଞ୍ଜୁରି ଦେଇଛି, ଯାହା ପୂର୍ବରୁ ୧୭ ଟଙ୍କା ଥିବା ବେଳେ ଏବେ ୧୯ ଟଙ୍କା ହେବ। ଅନ୍ୟ ଅଣ-ଆର୍ଥିକ ଲେଣଦେଣ ଯେପରିକି ବାଲାନ୍ସ ଯାଞ୍ଚ ପାଇଁ ମଧ୍ୟ ୧ ଟଙ୍କା ବୃଦ୍ଧି ହୋଇଛି, ଯାହା ୬ ଟଙ୍କାରୁ ୭ ଟଙ୍କା ହେବ।

ଇଣ୍ଟରଚେଞ୍ଜ ଫି’ ହେଉଛି ଏକ ବ୍ୟାଙ୍କ ଅନ୍ୟ ଏକ ବ୍ୟାଙ୍କକୁ ଦେଉଥିବା ଚାର୍ଜ, ଯେତେବେଳେ ଜଣେ ଗ୍ରାହକ ନିଜ ମୂଳ ବ୍ୟାଙ୍କ ସହ ସଂଯୁକ୍ତ ନଥିବା ଏଟିଏମ୍ ବ୍ୟବହାର କରନ୍ତି। ଏହା ଏଟିଏମ୍ ରଖିଥିବା ବ୍ୟାଙ୍କର ସେବା ପ୍ରଦାନ ଖର୍ଚ୍ଚ ପୂରଣ କରିଥାଏ। ଏହି ଏଟିଏମ୍ ଫି’ ଶେଷଥର ପାଇଁ ଜୁନ୍ ୨୦୨୧ରେ ବୃଦ୍ଧି ପାଇଥିଲା।

ଗ୍ରାହକଙ୍କୁ ମାସିକ ମାଗଣା ନେଣଦେଣର ଏକ ସୀମିତ ଥର ଅନ୍ୟ ବ୍ୟାଙ୍କର ଏଟିଏମ୍‌ରେ ଅନୁମତି ଦିଆଯାଇଛି। ମେଟ୍ରୋ ଅଞ୍ଚଳରେ ଗ୍ରାହକଙ୍କୁ ୫ଟି ମାଗଣା ନେଣଦେଣ ଏବଂ ଅଣ-ମେଟ୍ରୋ ଅଞ୍ଚଳରେ ୩ଟି ମାଗଣା ନେଣଦେଣ ମିଳିଥାଏ।

ଯଦି ମାଗଣା ନେଣଦେଣ ସୀମାରୁ ଅଧିକ ହୁଏ ତେବେ ଗ୍ରାହକଙ୍କୁ ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିପାରେ । ଯାହା ଏହି ବୃଦ୍ଧି ହୋଇଥିବା ଇଣ୍ଟରଚେଞ୍ଜ ଫି’ ଯୋଗୁଁ ଆହୁରି ବଢ଼ିପାରେ।

ଅଧିକ ଦେୟ ଲାଗୁ ହେବା ପରେ, ନିୟମିତ ଏଟିଏମ୍ ବ୍ୟବହାରକାରୀମାନେ ଅତିରିକ୍ତ ଖର୍ଚ୍ଚ କମାଇବା ପାଇଁ କିଛି ଉପାୟ ବିଚାର କରିପାରନ୍ତି:

ନିଜ ବ୍ୟାଙ୍କର ଏଟିଏମ୍ ବ୍ୟବହାର କରନ୍ତୁ: ମାଗଣା ନେଣଦେଣ ସୀମାର ସୁବିଧା ନେବା ପାଇଁ ନିଜ ବ୍ୟାଙ୍କର ଏଟିଏମ୍‌ରେ ନେଣଦେଣ କରନ୍ତୁ।

ନେଣଦେଣ ସୀମା ଉପରେ ନଜର ରଖନ୍ତୁ: ମାସିକ ଏଟିଏମ୍ ବ୍ୟବହାରକୁ ନିୟନ୍ତ୍ରଣ କରି ମାଗଣା ସୀମା ଭିତରେ ରୁହନ୍ତୁ।

ଡିଜିଟାଲ ପେମେଣ୍ଟକୁ ଗ୍ରହଣ କରନ୍ତୁ: ନଗଦ ଉଠାଣ ଉପରେ ନିର୍ଭରତା କମାଇବା ପାଇଁ ଡିଜିଟାଲ ବ୍ୟାଙ୍କିଙ୍ଗ ସେବା ଓ ଅନଲାଇନ୍ ପେମେଣ୍ଟ ପଦ୍ଧତି ବ୍ୟବହାର କରନ୍ତୁ।

Comments are closed.