Latest Odisha News

BREAKING NEWS

ଆତଙ୍କବାଦୀ ଆକ୍ରମଣ ବିରୋଧରେ ଜମ୍ମୁ ଓ କାଶ୍ମୀର ବନ୍ଦ ଡାକରା, ସହଯୋଗ କରିବାକୁ ଅନୁରୋଧ କଲେ ମହବୁବା

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ପରେ ବନ୍ଦ ଡାକରା ଦେଇଛି ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି)। ଦକ୍ଷିଣ କାଶ୍ମୀରର ପହଲଗାମରେ ଭୟଙ୍କର ଆତଙ୍କବାଦୀ ହମଲାରେ ୨୬ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାର ତୀବ୍ର ନିନ୍ଦା କରି ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ଅଧ୍ୟକ୍ଷା ମହବୁବା ମୁଫତୀ ଏବଂ ତାଙ୍କ ଝିଅ ଇଲତିଜା ମୁଫତୀ ବୁଧବାର  ପୂର୍ଣ୍ଣ କାଶ୍ମୀର ବନ୍ଦର ଡାକରା ଦେଇଛନ୍ତି।

ମହବୁବା ମୁଫତୀ ତାଙ୍କର ଏକ୍ସ ପୋଷ୍ଟରେ କହିଛନ୍ତି, “ଚେମ୍ବର ଆଣ୍ଡ ବାର ଆସୋସିଏସନ ଜମ୍ମୁ ପର୍ଯ୍ୟଟକମାନଙ୍କ ଉପରେ ହୋଇଥିବା ଆତଙ୍କବାଦୀ ହମଲାର ବିରୋଧରେ ବୁଧବାର ଦିନ ପୂର୍ଣ୍ଣ ବନ୍ଦର ଡାକରା ଦେଉଛି। ମୁଁ ସମସ୍ତ କାଶ୍ମୀରୀମାନଙ୍କୁ ଅପିଲ କରୁଛି ଯେ ପହଲଗାମରେ ହୋଇଥିବା ଏହି ନିର୍ମମ ହମଲାରେ ନିହତ ନିରୀହ ଲୋକମାନଙ୍କ ସମ୍ମାନ ଜଣାଇବନ୍ଦ ଡାକରାକୁ ସମର୍ଥନ କରିବା ପାଇଁ ଏକଜୁଟ ହୁଅନ୍ତୁ।”

ପୂର୍ବତନ ମୁଖ୍ୟମନ୍ତ୍ରୀ ମହବୁବା ଆହୁରି କହିଛନ୍ତି, “ଏହା କେବଳ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଉପରେ ହମଲା ନୁହେଁ, ଏହା ଆମ ସମସ୍ତଙ୍କ ଉପରେ ଏକ ଆକ୍ରମଣ। ଆମେ ଦୁଃଖ ଓ କ୍ରୋଧରେ ଏକାସାଙ୍ଗରେ ଠିଆ ହେଉଛୁ ଏବଂ ନିରୀହ ଲୋକମାନଙ୍କ ନରସଂହାରର ନିନ୍ଦା କରିବା ପାଇଁ ଏହି ବନ୍ଦକୁ ଦୃଢ଼ ସମର୍ଥନ କରୁଛୁ।”

ଏହି ଆତଙ୍କବାଦୀ ହମଲା ମଙ୍ଗଳବାର ଅପରାହ୍ନ ପ୍ରାୟ ୨:୩୦ରେ ପହଲଗାମର ବୈସରନ ମେଡୋରେ ଘଟିଥିଲା। ଯାହାକୁ ‘ମିନି ସ୍ୱିଟଜରଲ୍ୟାଣ୍ଡ’ ଭାବେ ମଧ୍ୟ ଜଣାଯାଏ। ଲସ୍କର-ଏ-ତୋଇବା (ଏଲଇଟି) ସହ ଜଡ଼ିତ ଆତଙ୍କବାଦୀମାନେ ପିକନିକ୍‌ ଓ ପନି ରାଇଡ୍‌ କରୁଥିବା ପର୍ଯ୍ୟଟକମାନଙ୍କ ଉପରେ ଅତର୍କିତ ଗୁଳିଚାଳନା କରିଥିଲେ। ଏହି ହମଲାରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି, ଯେଉଁମାନଙ୍କ ମଧ୍ୟରେ ଦୁଇ ଜଣ ବିଦେଶୀ ନାଗରିକ ମଧ୍ୟ ଅଛନ୍ତି। ଘଟଣାସ୍ଥଳରୁ ପ୍ରାପ୍ତ ଦୃଶ୍ୟରେ ମୃତଦେହ ଚାରିଆଡ଼େ ଛିନ୍ନଭିନ୍ନ ହୋଇ ପଡ଼ିଥିବା ଓ ମହିଳାମାନେ କାନ୍ଦୁଥିବା ଦେଖାଯାଇଛି।

 

Comments are closed.