ଶ୍ରୀନଗର: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ(ଟିଆରଏଫ ) ନିଜକୁ ଦାୟୀ କରିଛି। ଟିଆରଏଫ ନାମରେ ଜଣାଶୁଣା ଏହି ସଂଗଠନ କହିଛି ଯେ, ଉପତ୍ୟକାରେ ଏପରି ଆକ୍ରମଣ ଜାରି ରହିବ। ଜମ୍ମୁ କାଶ୍ମୀରର ପହଲଗାମରେ ମଙ୍ଗଳବାର ଅପରାହ୍ନରେ ଆତଙ୍କବାଦୀଙ୍କ ଗୁଳିରେ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଅନେକ ଆହତ ଅଛନ୍ତି ।
ପହଲଗାମରେ ହୋଇଥିବା ଆକ୍ରମଣର ଦାୟିତ୍ୱ ନେଇ TRF କହିଛି, ସରକାର ଜମ୍ମୁ ଓ କାଶ୍ମୀରରେ ୮୫,୦୦୦ ବାହାର ଲୋକଙ୍କୁ ବସବାସ କରିବାକୁ ଦେଇଛନ୍ତି । ସେମାନେ ପର୍ଯ୍ୟଟକ ଭାବରେ କାଶ୍ମୀରକୁ ଆସନ୍ତି କିନ୍ତୁ ଏଠାରେ ବସତି ସ୍ଥାପନ କରନ୍ତି; ଏହି ଆକ୍ରମଣ ତାହାର ପରିଣାମ।
ଲସ୍କର-ଏ-ତୈବାର ହିଟ୍ ସ୍କ୍ୱାଡ୍ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (TRF) ପହଲଗାମ ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। TRFର ମାଷ୍ଟରମାଇଣ୍ଡ ସଜ୍ଜାଦ ଗୁଲ, ଯିଏ ଏହାକୁ ପାକିସ୍ତାନରେ ବସି ପରିଚାଳନା କରେ।
ଲସ୍କରର ଏହି ସଂଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (TRF) ୨୦୧୯ ମସିହାରେ ଅସ୍ତିତ୍ୱ ଲାଭ କରିଥିଲା। ୨୦୨୨ ତଥ୍ୟ ଅନୁଯାୟୀ, ଜମ୍ମୁ ଏବଂ କାଶ୍ମୀରରେ ନିହତ ମୋଟ ୧୭୨ ଆତଙ୍କବାଦୀଙ୍କ ମଧ୍ୟରୁ ୧୦୮ ଜଣ TRF ସହିତ ଜଡ଼ିତ ଥିଲେ, ଯାହା ଏହି ଅଞ୍ଚଳରେ ଏହି ସଂଗଠନର କାର୍ଯ୍ୟକଳାପକୁ ଦର୍ଶାଏ।
୨୦୧୯ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଇ ଦିଆଯାଇଥିଲା। ଏହା ପରେ ଆତଙ୍କବାଦୀ ସଂଗଠନମାନଙ୍କ ମଧ୍ୟରେ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ସୀମା ପାରରୁ ଆତଙ୍କବାଦୀମାନେ ଭାରତକୁ ଆସି ଆକ୍ରମଣ କରିପାରିଲେ ନାହିଁ। ତେଣୁ, ଲସ୍କର-ଏ-ତୈବା ଏବଂ ଇଣ୍ଡିଆନ ମୁଜାହିଦ୍ଦିନ୍ ମିଶି ଟିଆରଏଫ ଗଠନ କରିଥିଲେ।
ଅଳ୍ପ ସମୟ ମଧ୍ୟରେ ଏହି ଆତଙ୍କବାଦୀ ସଂଗଠନ ଅନେକ ଆତଙ୍କବାଦୀ ଆକ୍ରମଣ କରିଛି। TRF ସୁରକ୍ଷା ବାହିନୀର ଯବାନ ଏବଂ ନିର୍ଦ୍ଦୋଷ ସାଧାରଣ ନାଗରିକଙ୍କ ହତ୍ୟା ଯୋଜନା, ନିଷିଦ୍ଧ ଆତଙ୍କବାଦୀ ସଂଗଠନଗୁଡ଼ିକୁ ସମର୍ଥନ କରିବା ପାଇଁ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ, ଆତଙ୍କବାଦୀଙ୍କ ନିଯୁକ୍ତି, ଆତଙ୍କବାଦୀଙ୍କ ଅନୁପ୍ରବେଶ ଏବଂ ଅସ୍ତ୍ରଶସ୍ତ୍ର ଏବଂ ନିଶାଦ୍ରବ୍ୟର ଚୋରାଚାଲାଣରେ ସାମିଲ ଅଛି।
୨୦୨୦ ମସିହାରେ ବିଜେପି କର୍ମୀଙ୍କ ହତ୍ୟା ପରେ TRF ଚର୍ଚ୍ଚାକୁ ଆସିଥିଲା। TRF ଆତଙ୍କବାଦୀମାନେ ଟାର୍ଗେଟ କିଲିଂ କରନ୍ତି। ସେମାନେ ମୁଖ୍ୟତଃ ଅଣ-କାଶ୍ମୀରୀ ଲୋକଙ୍କୁ ହତ୍ୟା କରନ୍ତି। ଯାହାଦ୍ୱାରା ବାହାର ଲୋକଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୁଏ ଏବଂ ସେମାନେ ଜମ୍ମୁ-କାଶ୍ମୀରକୁ ଆସନ୍ତି ନାହିଁ।
Comments are closed.