ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପହଲଗାମରେ ମଙ୍ଗଳବାର ଅପରାହ୍ନରେ ଆତଙ୍କବାଦୀଙ୍କ ଗୁଳିରେ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନେକ ଆହତ ଅଛନ୍ତି । ଏତେ ବଡ଼ ଆତଙ୍କବାଦୀ ଆକ୍ରମଣ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ସାଉଦି ଆରବ ଗସ୍ତ ଅଧାରେ ଛାଡି ମଧ୍ୟରାତ୍ରିରେ ଭାରତ ଫେରୁଛନ୍ତି । ସକାଳେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି (CCS)ର ଏକ ବୈଠକ ଡାକିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏପର୍ଯ୍ୟନ୍ତ, ଜମ୍ମୁ-କାଶ୍ମୀର ପ୍ରଶାସନ କେବଳ ୧୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଓ ଦଶ ଜଣ ଆହତ ସମ୍ପର୍କରେ ଅଫିସିଆଲ ସୂଚନା ଦେଇଛି ।
ସୂଚନାଥାଉକି, ପ୍ରଧାନମନ୍ତ୍ରୀ ଦୁଇ ଦିନିଆ ଗସ୍ତରେ ମଙ୍ଗଳବାର ଅପରାହ୍ନରେ ସାଉଦି ଆରବର ଜେଦ୍ଦାହ ସହର ପହଞ୍ଚିଥିଲେ। ସେ ସେଠାରେ ପହଞ୍ଚିବାର କିଛି ଘଣ୍ଟା ପରେ, ପହଲଗାମ ଆତଙ୍କବାଦୀ ଆକ୍ରମଣର ଖବର ଆସିଲା। ପ୍ରଧାନମନ୍ତ୍ରୀ ମୋଦି ଆକ୍ରମଣ ସହିତ ଜଡିତ ପ୍ରତ୍ୟେକ ଘଟଣାକ୍ରମ ଉପରେ ନିରନ୍ତର ନଜର ରଖିଥିଲେ। ଏହା ପରେ, ସାଉଦି ଆରବର ଯୁବରାଜ ମହମ୍ମଦ ବିନ୍ ସଲମାନଙ୍କୁ ମଧ୍ୟ ସୂଚନା ପଠାଯାଇଥିଲା ଏବଂ ପରିସ୍ଥିତିକୁ ବିଚାର କରି ମଙ୍ଗଳବାର ରାତିରେ ହିଁ ଗସ୍ତ ଶେଷ କରିବା ବିଷୟରେ ଆଲୋଚନା କରାଯାଇଥିଲା।
ଏପଟେ ଗୃହମନ୍ତ୍ରୀ ଅମିତ ଶାହ ଏବେ ଶ୍ରୀନଗରରେ ଅଛନ୍ତି । ସେ ଏଲଜି ମନୋଜ ସିହ୍ନା ଏବଂ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସହ ଏକ ବୈଠକ କରିଥିଲେ। କୁହାଯାଉଛି ଯେ,ମୋଟ ଚାରି ଜଣ ଆତଙ୍କବାଦୀ ଏହି ଘଟଣା ଘଟାଇଛନ୍ତି, ସେମାନଙ୍କ ମଧ୍ୟରୁ ତିନି ଜଣ ପାକିସ୍ତାନୀ ଏବଂ ଜଣେ ସ୍ଥାନୀୟ କାଶ୍ମୀରୀ ।
ଖବରମୁତାବକ, ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଆଜି ସକାଳେ ଘାଟିରେ ବନ୍ଦ ଡାକରା ଦିଆଯାଇଛି। ପ୍ରାୟ ସମସ୍ତ ରାଜନୈତିକ ଦଳ, ଟ୍ରେଡ ୟୁନିଅନ, ସ୍କୁଲ ଆସୋସିଏସନ ଆଜି ବନ୍ଦ ଡାକରା ଦେଇଛନ୍ତି।ମଙ୍ଗଳବାର ପହଲଗାମରେ ଏକ ମହମବତୀ ଶୋଭାଯାତ୍ରା ବାହାର କରାଯାଇଥିଲା। ମସଜିଦରୁ ଆକ୍ରମଣର ପ୍ରତିବାଦରେ ଲାଉଡସ୍ପିକରରେ ବିବୃତ୍ତି ମଧ୍ୟ ଦିଆଯାଇଥିଲା।
Comments are closed.