Latest Odisha News

BREAKING NEWS

ପେଗାସସ୍ ମାମଲାରେ ସୁପ୍ରିମକୋର୍ଟରେ ଯାଞ୍ଚ ରିପୋର୍ଟ ଦାଖଲ, ‘୨୯ଟି ଫୋନରୁ ୫ଟିରେ ମାଲୱେର୍’

ନୂଆଦିଲ୍ଲୀ: ପେଗାସସ୍ ମାମଲାରେ ଟେକ୍ନିକାଲ୍ କମିଟି ଦ୍ୱାରା ଦାଖଲ ରିପୋର୍ଟ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଯେଉଁ ରିପୋର୍ଟରେ କୁହାଯାଇଛି, କମିଟିକୁ ୨୯ଟି ମୋବାଇଲ୍ ଫୋନ୍ ଦିଆଯାଇଥିଲା । ଯେଉଁଥିରୁ ୫ଟିରେ ମାଲୱେର୍ ରହିଛି । ତେବେ କୁହାଯାଇ ପାରିବ ନାହିଁ ଏହାଦ୍ୱାରା ତଥ୍ୟ ଚୋରି କରାଯାଉଥିଲା ।

ପ୍ରଧାନ ବିଚାରପତି ରମଣା କହିଛନ୍ତି, ପେଗାସସ୍ ମାମଲାରେ ଗଠିତ ଜଷ୍ଟିସ୍ ରବୀନ୍ଦ୍ରନଙ୍କ ରିପୋର୍ଟକୁ ଗୁପ୍ତ ରଖିବା ଆବଶ୍ୟକତା ନାହିଁ । ତେବେ ଏହା ଉପରେ ଆଇନଜୀବୀ କପିଲ୍ ଶିବଲ୍ ପ୍ରଶ୍ନ ଉଠାଇ କହିଛନ୍ତି, ଆମେ ଚାହୁଁ ନାହୁଁ ଅଦାଲତ ସମ୍ପୂର୍ଣ୍ଣ ରିପୋର୍ଟ ଦିଅନ୍ତୁ । କାରଣ ଗୋପନୀୟତାକୁ ନେଇ ଚିନ୍ତା ରହୁଛି । କିନ୍ତୁ ମୋ ମହକିଲ୍ ଦେଇଥିବା ଫୋନରେ ଯଦି ମାଲୱେର୍ ଅଛି ତ ଆମକୁ ସୂଚନା ଦେବା ଦରକାର ।

ପେଗାସସ୍ ମାମଲାରେ ପ୍ରଧାନବିଚାରପତି ଜଷ୍ଟିସ୍ ଏନଭି ରମଣା, ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ହିମା କୋହଲିଙ୍କ ଖଣ୍ଡପୀଠ ଶୁଣାଣି କରୁଛି । ଏଥିପାଇଁ ଗଠିତ ଟେକ୍ନିକାଲ କମିଟି ଅନେକ ପ୍ରସଙ୍ଗକୁ ଯାଞ୍ଚ କରିଛି । ୨୦୧୯ରେ ଏକ ରିପୋର୍ଟରେ ଦାବି କରାଯାଇଥିଲା କି ଭାରତର ଅତି କମରେ ୧୪୦୦ ଲୋକଙ୍କ ମୋବାଇଲରୁ ତଥ୍ୟ ଚୋରି କରାଯାଇଛି ।

ଏଥିରେ ୪୦ ବରିଷ୍ଠ ସାମ୍ବାଦିକ, ବିପକ୍ଷ ନେତାଙ୍କ ସହ କେନ୍ଦ୍ରମନ୍ତ୍ରୀ, ସୁରକ୍ଷା ଏଜେନ୍ସିର ଉପରିସ୍ଥ ଅଧିକାରୀଙ୍କ ତଥ୍ୟ ଚୋରି ହୋଇଛି । ଏହାକୁ ନେଇ ବାଦ ବିବାଦ ପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା ।

Comments are closed.