Latest Odisha News

BREAKING NEWS

ଡ୍ରୋନ ସହାୟତାରେ ହୀରାକୁଦ ଡ୍ୟାମର ଫାଟ ଯାଞ୍ଚ ହେବ

ଭୁବନେଶ୍ୱର: ହୀରାକୁଦ ଜଳ ଭଣ୍ଡାରର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ଫାଟକୁ ନେଇ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଛି । ଏହି ଖବର ସର୍ବସାଧାରଣରେ ଚର୍ଚ୍ଚା ଜୋର ଧରିବା ପରେ ଡ୍ୟାମ ନିରାପତ୍ତା କର୍ତ୍ତୃପକ୍ଷ ତତ୍ପରତା ଦେଖାଇଛନ୍ତି । ତୁରନ୍ତ ସୁରକ୍ଷା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଡ୍ୟାମ ନିରାପତ୍ତା ମୁଖ୍ୟ ଯନ୍ତ୍ରୀ ।

ଗତ ମାସ ୧୬ ତାରିଖରେ ଏ ସଂପର୍କରେ ଜଳ ଭଣ୍ଡାର ନିରାପତ୍ତା ମୁଖ୍ୟ ଯନ୍ତ୍ରୀ ଶିବାଶିଷ ପାଢ଼ୀ ଜଳ ଭଣ୍ଡାରର ମୁଖ୍ୟ ଯନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି । ଖୁବ ଶୀଘ୍ର ଫାଟ ଯାଞ୍ଚ କରିବାକୁ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି । ଡ୍ରୋନ ଯୋଗେ ହୀରାକୁଦ ଡ୍ୟାମର ଅପଷ୍ଟ୍ରିମ ଓ ଡାଉନ ଷ୍ଟ୍ରିମରେ ଥିବା ଫାଟ ଯାଞ୍ଚ କରି ଭିଡିଓ ଗ୍ରାଫି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଉକ୍ତ ଚିଠିରୁ ଜଣାପଡ଼ିଛି ।

ଭିଡିଓଗ୍ରାଫି କରି ଫାଟର ତଥ୍ୟ ପ୍ରମାଣ ଫଟୋ ସହ ଦେବାକୁ ଭଣ୍ଡାର ମୁଖ୍ୟଯନ୍ତ୍ରୀଙ୍କୁ କୁହାଯାଇଛି । ୧୯୯୯ ମସିହା ସର୍ଭେ ପରେ ଚିହ୍ନଟ ଫାଟ ଗୁଡ଼ିକର ପରିସୀମା ବୃଦ୍ଧି ପାଇଛି କି ନାହିଁ ଏବଂ ଅପରେଶନ ଗ୍ୟାଲେରୀରେ ଥିବା ଫାଟ ଓ ସ୍ଥିତି ବିଷୟରେ ରିପୋର୍ଟ ପ୍ରସ୍ତୁତ କରି ଦେବାକୁ କୁହାଯାଇଛି ।

ଏ ସମସ୍ତ ରିପୋର୍ଟକୁ ଅନୁଧ୍ୟାନ କରି ନିରାପତ୍ତା ବିଶେଷଜ୍ଞ କମିଟି ଜଳ ଭଣ୍ଡାର ବୁଲି ସ୍ଥିତି ଯାଞ୍ଚ କରିବ ବୋଲି ଜଣାପଡ଼ିଛି । ହୀରାକୁଦର ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ଏହାକୁ ବନ୍ଦର ସୁରକ୍ଷା ଯାଞ୍ଚର ଏକ ଗତାନୁଗତିକ କାର୍ଯ୍ୟ ବୋଲି କହିଥିବା ଧରିତ୍ରୀ ପ୍ରକାଶ କରିଛି । ତାଙ୍କ ପକ୍ଷରୁ ଗତ ମେ ୨୭ ତାରିଖରେ ନିରାପତ୍ତା ମୁଖ୍ୟ ଯନ୍ତ୍ରୀଙ୍କୁ ଚିଠି କରାଯାଇଥିବା ଶ୍ରୀ ସାହୁ କହିଛନ୍ତି । ତେଣୁ ଏଭଳି ନିର୍ଦ୍ଦେଶ ଅନୁକ୍ରମଣୀୟ ।

ଏହି ଯାଞ୍ଚରେ ନୂଆ ଫାଟ ଏବଂ ସିପେଜ ସ୍ଥିତି ଯାଞ୍ଚ ହୁଏ । ବହୁ ବର୍ଷରୁ ପାଣି ସିପୋଜ ହୋଇ ଆସୁଛି । ହୀରାକୁଦ ଏବେ ସୁରକ୍ଷିତ ଅଛି ବୋଲି କହିଛନ୍ତି ଆନନ୍ଦ । ପୂର୍ବରୁ ମୁମ୍ବାଇର ଡାୟୋନୋସିସ କମ୍ପାନୀ ଦ୍ୱାରା ସର୍ଭେ କରାଯାଇଥିଲା । ଏବେ ପୁଣି ସେହି କମ୍ପାନୀ ସହ ଯୋଗାଯୋଗ କରାଯାଇଛି ବୋଲି ଶ୍ରୀ ସାହୁ କହିଛନ୍ତି ।

 

 

 

Leave A Reply

Your email address will not be published.