Latest Odisha News

BREAKING NEWS

ଲୋୟର ଇନ୍ଦ୍ର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲେ ବିସ୍ଥାପିତ

ନୂଆପଡ଼ା : ଲୋୟର ଇନ୍ଦ୍ର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଓ କଲେ ବିସ୍ଥାପିତ। ନୂଆପଡା ଜିଲ୍ଲାର ପ୍ରମୁଖ ଜଳସେଚନ ପ୍ରକଳ୍ପ ହେଉଛି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ତିଖାଲି ଡ୍ୟାମ।ଏହି ଡ୍ୟାମ ତିଆରିରେ ଶହଶହ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ବିସ୍ଥାପିତ ପରିବାର ଏଯାଏ  କ୍ଷତି ପୂରଣ ପାଇ ନାହାଁନ୍ତି  । ବାରମ୍ବାର ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିଥିଲେ ମଧ୍ୟ ସରକାର କିମ୍ବା ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇ ଆସୁଛି ।

BjdElectrycity

ତେଣୁ ଗତ ଏକ ତାରିଖ ଦିନ ବିସ୍ଥାପିତ ପାଞ୍ଚ ଗୋଟି ପଞ୍ଚାୟତର ଜନ ପ୍ରତିନିଧି ମାନେ ସ୍ଵତନ୍ତ୍ର ଭୁ ଅର୍ଜନ ଅଧିକାରୀଙ୍କୁ ସାକ୍ଷାତ କରି ଏକ ଦାବି ପତ୍ର ଦେଇଥିଲେ ।ବିସ୍ଥାପିତ ଜନ ପ୍ରତିନିଧି ଓ ହଜାର ହଜାର ବିସ୍ଥାପିତ ମାନେ ଆଜି ଖଡ଼ିଆଳ ଆମ୍ବେଦକର ଛକ ଠାରୁ ଏକ ବିଶାଳ ଶୋଭା ଯାତ୍ରାରେ ବାହାରି ଲୋୟର ଇନ୍ଦ୍ର ମୂଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି ।

ଏଗାର ଦଫା ଦାବି ପତ୍ର ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ଦାବି ଗୁଡିକ ମଧ୍ୟରୁ ପେଣ୍ଡରାବନ ଗ୍ରାମକୁ ବୁଡି ଅଞ୍ଚଳ ଘୋଷଣା, ବିସ୍ଥାପିତ ପରିବାରଙ୍କ ଯୋଗ୍ୟ ପୁଅଝିଅଙ୍କୁ ପ୍ରକଳ୍ପର ବିଭିନ୍ନ କାର୍ଯ୍ୟରେ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ପ୍ରଦାନ, କ୍ଷତିଗ୍ରସ୍ତ ଓ ବିସ୍ଥାପିତ ପରିବାରଙ୍କୁ ନେଇ ଏକ କମିଟି ଗଠନ କରିବା, ପ୍ରକଳ୍ପ ନିର୍ମାଣ ସମୟରେ ଅନୁପସ୍ଥିତ ଥିବା ପରିବାରଙ୍କ ଜମି ଅଧିଗ୍ରହଣ କରି ଉପଯୁକ୍ତ କ୍ଷତିପୂରଣ ରାଶି ପ୍ରଦାନ,ସମସ୍ତ ବିସ୍ଥାପିତ ପରିବାରଙ୍କୁ ସମ୍ପୂର୍ଣ୍ଣ କ୍ଷତିପୂରଣ ରାଶି ପ୍ରଦାନ,ପ୍ରକଳ୍ପ କାର୍ଯ୍ୟାଳୟ ରେ କିଛି ଅଫିସର ଏକଛତ୍ରବାଦ ଶାସନ ଚଲାଇ ଲୋକଙ୍କ ଦୁଃଖ ବୁଝୁ ନାହାନ୍ତି ସେସବୁ ବନ୍ଦ କରାଯାଉ ଆଦି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ।

ସେମାନଙ୍କ ଦାବିପତ୍ର ସରକାରଙ୍କୁ ପ୍ରେରଣ କରାଯିବ ଓ ସରକାରୀ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରାଯିବ ବୋଲି ମୁଖ୍ୟ ନିର୍ମାଣ ଯନ୍ତ୍ରୀ କହିଛନ୍ତି। ଏନେଇ ଯେ ପର୍ଯ୍ୟନ୍ତ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ନମିଳିଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ଓ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ ମାତ୍ରା ରେ କରାଯିବ ବୋଲି ଆନ୍ଦୋଳନକାରୀ ମାନେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.