Latest Odisha News

BREAKING NEWS

ଯୁଦ୍ଧ ପ୍ରଭାବିତ ଇସ୍ରାଏଲ, ୟୁକ୍ରେନ ଲୋକଙ୍କ ଠାରୁ ବି ଦୁଃଖି ଭାରତୀୟ

ନୂଆଦିଲ୍ଲୀ: କେତେ ଖୁସିରେ ଅଛି ଆମ ଦେଶ ? କେତେ ଆନନ୍ଦଦାୟକ ଭାବେ ନିଜର ଜୀବନ କାଟୁଛନ୍ତି ଭାରତବାସୀ ? ଏହାକୁ ନେଇ ରିପୋର୍ଟ ସାମ୍ନାକୁ ଆସିଥିବା ବେଳେ ଏହାର ତଥ୍ୟ ବୋଧେ ଆପଣଙ୍କୁ ଚମକାଇ ଦେବ । ତଥ୍ୟ କହୁଛି ସବୁଠୁ ଦୁଃଖରେ ରହିଛି ଭାରତ । ଭାରତର ଲୋକେ ଉପରକୁ ଯେତେ ଖୁସି ଦେଖାଯାଆନ୍ତି ବାସ୍ତବରେ ସେମାନେ ସେତିକି ଖୁସି ନାହାନ୍ତି । ଏମିତିକି ଯୁଦ୍ଧ ଭଳି ଘଡିସନ୍ଧି ମୁହୂର୍ତ୍ତରେ ଦହଗଞ୍ଜ ହେଉଥିବା ଇସ୍ରାଏଲ, ୟୁକ୍ରେନ୍ ଏବଂ ପାଲେଷ୍ଟାଇନ ଭଳି ଦେଶ ଠାରୁ ମଧ୍ୟ ଭାରତ ବେଶୀ ଦୁଃଖରେ ଅଛି ।

 ଯୁଦ୍ଧ ଦେଶଠାରୁ ପଛରେ ଭାରତ

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ୱେଲବିଂ ରିସର୍ଚ୍ଚ ସେଣ୍ଟର ଦ୍ୱାରା ଗାଲପ୍ ସହିତ ମିଳିତ ଭାବରେ ପ୍ରକାଶିତ ହୋଇଥିବା ବିଶ୍ୱ ଖୁସି ରିପୋର୍ଟରେ କିଛି ଏଭଳି ଚାଞ୍ଚଲ୍ୟ ତଥ୍ୟ ସାମ୍ନାକୁ ଆସିଛି । ମୋଟ ୧୪୭ ଟି ସର୍ବେକ୍ଷଣିତ ଦେଶ ମଧ୍ୟରୁ ଭାରତ ଏହି ତାଲିକାରେ ୧୧୮ ତମ ସ୍ଥାନରେ ରହିଛି । ତେବେ ଗତ ୩ ବର୍ଷର ରିପୋର୍ଟ ଦେଖିଲେ, ଭାରତ ୧୨୬ତମ ସ୍ଥାନରୁ ଉପରକୁ ଉଠିଛି । କିନ୍ତୁ ୮ଟି ସ୍ଥାନ ଉପରକୁ ଉଠିଥିଲେ ମଧ୍ୟ ଭାରତ ଏବେ ବି ସଂଘର୍ଷ ଦେଇ ଗତି କରୁଥିବା ରାଷ୍ଟ୍ର ୟୁକ୍ରେନ, ମୋଜାମ୍ବିକ୍ ଏବଂ ଇରାକ ଭଳି ଦେଶଠାରୁ ପଛରେ ରହିଛି । ବର୍ତ୍ତମାନ ଇସ୍ରାଏଲ, ୟୁକ୍ରେନ ଏବଂ ପାଲେଷ୍ଟାଇନ ଭଳି ଯୁଦ୍ଧ ପ୍ରଭାବିତ ରାଷ୍ଟ୍ରର ଲୋକମାନେ ବି ଭାରତୀୟଙ୍କ ତୁଳନାରେ ଅଧିକ ସୁଖୀ । ଏହି ରାକିଙ୍ଗରେ ଇସ୍ରାଏଲ ୮ମ, ୟୁକ୍ରେନ ୧୧୧ତମ ଏବଂ ପାଲେଷ୍ଟାଇନ ୧୦୮ତମ ସ୍ଥାନରେ ଅଛନ୍ତି।

ସବୁଠୁ ସୁଖୀ ଦେଶ ଫିନଲ୍ୟାଣ୍ଡ

ବିଶ୍ବର ସୁଖୀ ଦେଶ ମାନଙ୍କ ମଧ୍ୟରେ ସବୁଠୁ ଆଗରେ ରହିଛି ଫିନଲ୍ୟାଣ୍ଡ । ଫିନଲ୍ୟାଣ୍ଡ ଶୀର୍ଷରେ ଥିବା ବେଳେ ଦ୍ବିତୀୟ ସ୍ଥାନରେ ଡେନମାର୍କ, ୩ୟରେ ଆଇସଲ୍ୟାଣ୍ଡ ଏବଂ ୪ର୍ଥରେ ସ୍ୱିଡେନ ଭଳି ଦେଶ ରହିଛି । ସେହିପରି ଆମେରିକା ୨୪ତମ,  ଚୀନ ୬୮ତମ, ନେପାଳ ୯୨ତମ, ପାକିସ୍ତାନ ୧୦୯ତମ, ସ୍ଥାନରେ ରହି ଭାରତଠାରୁ ଆଗରେ ରହିଛନ୍ତି । ଶ୍ରୀଲଙ୍କା ଓ ବାଂଲାଦେଶ ଆମଠାରୁ ପଛରେ ଅର୍ଥାତ୍‌ ଯଥାକ୍ରମେ ୧୩୩ତମ ଏବଂ ୧୩୪ତମ ସ୍ଥାନରେ ରହିଛନ୍ତି । ସେହିପରି ସିଏରା ଲିଓନ ୧୪୬ତମ ଏବଂ ଲେବାନନ ୧୪୫ତମ ରହି ଭାରତ ଠାରୁ ପଛରେ ଅଛନ୍ତି ।  ଆଫଗାନିସ୍ତାନ ବିଶ୍ୱର ସୁଖୀ ରାଙ୍କିଙ୍ଗରେ ସବୁଠୁ ପଛରେ ୧୪୭ତମ ସ୍ଥାନରେ ରହିଛି ।

ତେବେ ସୁଖୀ ଭାବରେ ଭାରତ ପଛରେ ରହିଥିଲେ ମଧ୍ୟ ଅନେକ କିଛି ପ୍ରସଙ୍ଗରେ ବହୁ ଆଗରେ ରହିଛି ଭାରତ । ଯେମିତିକି ଦାନ ଧର୍ମରେ ୫୭ତମ ସ୍ଥନରେ ରହିଛି ଭାରତ । ସେହିପରି ସ୍ୱେଚ୍ଛାସେବୀ କାର୍ଯ୍ୟ ପାଇଁ ୧୦ ତମ ଏବଂ ଅଜଣା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ୭୪ ତମ ସ୍ଥାନରେ ରହିଛି । ଏଥିସହିତ ହଜିଯାଇଥିବା ଜିନିଷ ଫେରାଇବା ସମ୍ଭାବନାରେ ଭାରତୀୟ ପଡୋଶୀ ଭାବରେ ୧୧୫ ତମ ସ୍ଥାନ, ଅଜଣା ବ୍ୟକ୍ତି ଭାବରେ ୮୬ ତମ ସ୍ଥାନ ଏବଂ ପୋଲିସ୍ ସାହାର୍ଯ୍ୟ ଅନୁସାରେ ୯୩ ତମ ସ୍ଥାନରେ ରହିଛି ।

ତେବେ କହିରଖୁଛୁ, ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ୱେଲବିଂ ରିସର୍ଚ୍ଚ ସେଣ୍ଟର ଦ୍ୱାରା ଗାଲପ୍ ସହିତ ମିଳିତ ଭାବରେ ୧୪୭ଟି ଦେଶ କେତେ ସୁଖୀ ଅଛନ୍ତି ସେନେଇ ସର୍ଭେ କରିଥିବା ବେଳେ, ଏଥିରେ ଦେଶ କେତେ ଯତ୍ନଶୀଳ ଏବଂ ଅଂଶୀଦାର ଏହାର ମୁଖ୍ୟ କ୍ରାଇଟେରିଆ ରହିଥିଲା । ଏଥିସହିତ ବିଭିନ୍ନ କାରଣ ଉପରେ ଆଧାରିତ ଯେମିତିକି, ବାସିନ୍ଦାଙ୍କ ଜୀବନ ମୂଲ୍ୟାଙ୍କନ, ମୁଣ୍ଡପିଛା ଜିଡିପି, ସୁସ୍ଥ ଜୀବନ ଆଶା, ସାମାଜିକ ସମର୍ଥନ, ଜୀବନରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାର ସ୍ୱାଧୀନତା, ଦାନ ଧର୍ମର ବାରମ୍ବାରତା ଏବଂ ସରକାର ଓ ବ୍ୟବସାୟରେ ଦୁର୍ନୀତିର ପରିମାଣକୁ ନେଇ ଏହି ମୂଲ୍ୟାଙ୍କନ କରାଯାଇଥିଲା ।

Leave A Reply

Your email address will not be published.