Latest Odisha News

ସୋସିଆଲ୍ ମିଡିଆ ଯୁଗରେ ଅଲୋଡା ଗ୍ରୀଟିଂସ୍ କାର୍ଡ….

ଭୁବନେଶ୍ଵର: ଉଡିଗଲା ଏରୋପ୍ଲେନ, ପଡିଗଲା ଛାଇ, ଗରିବ ଘର ସାଙ୍ଗ ବୋଲି, ଭୁଲିଯିବ ନାହିଁ….। ଗୋଲାପ ଗଛରେ ବହୁତ କଣ୍ଟା, ତୁମ କଥା ମନେ ପଡେ ଘଣ୍ଟା କୁ ଘଣ୍ଟା….। ଟେବୁଲ ଉପରେ ଟମାଟୋ ଖଟା, ସାଙ୍ଗକୁ ମୋର ଠିଆ ଗୋଇଠା….। ହାତୀ ଚାଲେ ଦମ୍ ଦମ୍, ସାଙ୍ଗକୁ ମୋର ୱେଲକମ୍…। ଏମିତି ଅନେକ କିଛି ଲାଇନ ଆଉ ତା ସହିତ ନବବର୍ଷର ଅଭିନନ୍ଦନ ବାର୍ତ୍ତା । ମନ ବୁଝୁଥିଲା ମନର କଥା। ବନ୍ଧୁ ହେଉକି ବାନ୍ଧବୀଙ୍କୁ ଯୋଡୁଥିଲା କାଗଜର ଖଣ୍ଡିଏ ଫର୍ଦ୍ଦ। ସେଥିରେ ଅତି ସଂକ୍ଷେପ ଶବ୍ଦରେ ଅନେକ କିଛି କହି ହେଇଯାଉଥିଲା। କିଛି ମନ ଭାଙ୍ଗୁଥିଲା ତ କିଛି ସବୁଦିନ ପାଇଁ ପ୍ରତିଶ୍ରୁତିବଦ୍ଧ ହେଇଯାଉଥିଲେ। ମୁହାଁ ମୁହିଁ କହି ହେଉ ନଥିବା କଥା ବି ଲେଖି ଦେଉଥିଲେ। ତାର ଭାବାବେଗ ରହିଥିଲା ପୂରା ଅଲଗା। ହୃଦୟକୁ ହୃଦୟ ସହ ବନ୍ଧୁକୁ ବନ୍ଧୁ ସହ ବାନ୍ଧି ରଖୁଥିଲା । ଦିନ ଥିଲା ବର୍ଷ ସରି ଆସିବା ବେଳକୁ ଖୋଜା ପଡୁଥିଲା ଗ୍ରୀଟିଂସ୍‌ କାର୍ଡ। ଖୋଲୁଥିଲା ମାଳ ମାଳ ଗ୍ରୀଟିଂସ୍‌ ଦୋକାନ। ପ୍ରିୟ ମଣିଷର ମନକୁ ଛୁଇଁବା ଭଳି କାର୍ଡ ବାଛି ଶୁଭେଚ୍ଛା ବାର୍ତ୍ତା ସହ ଲେଖା ଯାଉଥିଲା କେତେ ସ୍ନେହବୋଳା କଥା। ତାକୁ ଦେବାରେ ଯେମିତି ଖୁସି ମିଳୁଥିଲା ପାଇବାରେ ବି ମିଳୁଥିଲା ସେମିତି ଖୁସି। ବର୍ଷ ବର୍ଷ ଧରି ସାଇତି ରଖାଯାଉଥିଲା ତାକୁ। ଫୁର୍‌ସତ୍‌ରେ ଯେବେ ତାକୁ ଖୋଲି ଦେଖା ଯାଉଥିଲା ସ୍ମୃତି ସବୁ ପୁଣିଥରେ କଡ଼ ଲେଉଟାଉଥିଲେ। ଉଦାସ ମନ ବି ପୁଲକିତ ହୋଇଯାଉଥିଲା।

ଗ୍ରୀଟିଂସ ଉପରେ ଆଲୋଚନା କଲେ କେତେ ଯେ ରଙ୍ଗ ବେରଙ୍ଗର କାଗଜ ଫର୍ଦ୍ଦ ଆଖି ଆଗକୁ ଚାଲିଆସେ । ମନ ମତାଣିଆ ରୂପ ସାଙ୍ଗକୁ କେତେ ଯେ ଶବ୍ଦର ଗନ୍ତା ଘର । ପିଲାବେଳର ସେ ନିଷ୍ପାପ ମନରୁ କୁଆଡେ ଯେ ଏତେ ରକମର କଥା ଆସୁଥିଲା କିଏ ଜାଣେ । ହେଲେ ଆଧୁନିକତାର ଛାପରେ ଏବେ ହଜିବାକୁ ବସିଲାଣି ଏଇ ସୁନ୍ଦର ଧାରା। ଫୋନ୍‌ କଲ୍‌ ଓ ହ୍ବାଟ୍ସଆପ୍‌ ମେସେଜ୍‌ରେ ସୀମିତ ହୋଇଗଲାଣି ନବବର୍ଷର ଶୁଭେଚ୍ଛା ବାର୍ତ୍ତା। ନା ସେଥିରେ ଅଛି ଆନ୍ତରିକତା ନା ସରସତା। ନୂଆ ବର୍ଷ ପାଖେଇ ଆସିଲେ ଗ୍ରୀଟିଂସ ପାଇଁ ଭିଡ ଜମୁଥିଲା । ମାତ୍ର ତାହା ଆଜି ଅଲୋଡ଼ା ଓ ଅଖୋଜା ହୋଇ ରହିଯାଇଛି। ଛୋଟଛୋଟ ଶୁଭେଚ୍ଛା ବାର୍ତ୍ତା ଠାରୁ ଆରମ୍ଭକରି ରଙ୍ଗ ବେରଙ୍ଗର ଗ୍ରୀଟିଂସ୍ ଓ କୋଟେସନ୍ କାର୍ଡ ବିକ୍ରୀ ହେଉଥିଲା ବେଳେ ଅସ୍ଥାୟୀ ବ୍ୟବସାୟ ପ୍ରତିଷ୍ଟାନ ଗୁଡିକରେ ଯୁବପିଢୀଙ୍କ ଭିଡ ଜମୁଥିଲା । କିନ୍ତୁ ଏବେ ଏହା ଆଉ ଦେଖା ଯାଉ ନାହିଁ । ଧିରେଧିରେ ଏହି ପରମ୍ପରା ହଜିଗଲାଣି ।

ଗ୍ରୀଟିଂସ୍ କାର୍ଡର ଚାହିଦା ଦିନକୁଦିନ ହ୍ରାସ ପାଇଚାଲିଥିବାରୁ ଆଗ ଭଳି ଗ୍ରୀଟିଂସ୍ କାର୍ଡ ବିକ୍ରୀ କରିବାକୁ ବ୍ୟବସାୟୀ ମାନେ ମଧ୍ୟ ଆଗ୍ରହ ପ୍ରକାଶ କରୁ ନାହାନ୍ତି । ବିଗତ କିଛି ବର୍ଷ ହେଲା ସୋସିଆଲ ମିଡିଆର ବହୁଳ ବ୍ୟବହାର ତଥା ପ୍ରସାର ଗ୍ରୀଟିଂସ୍ କାର୍ଡ ବ୍ୟବସାୟରେ ପ୍ରଭାବ ପକାଇଛି । ବାର୍ତ୍ତା ବାହକ ରୂପେ ଗ୍ରୀଟିଂସ୍ କାର୍ଡ ଏକ ପୁରୁଣା ମାଧ୍ୟମ ରୂପେ ପରିଚିତ ଥିଲା । ଏବେ ସମୟ ବଦଳିବା ସହ ସୋସିଆଲ ମିଡିଆ ଭାବ ବିନିମୟ କରିବାର ମୁଖ୍ୟ ମାଧ୍ୟମ ପାଲଟିଥିବା ବେଳେ ଧିରେଧିରେ ଗ୍ରୀଟିଂସ୍ କାର୍ଡର ଚାହିଦା ବି କମିଗଲାଣି । ଜଗତୀକରଣ ଯୁଗରେ ମାତ୍ର ନିମିଷକ ମଧ୍ୟରେ ବର୍ତ୍ତା ପହଞ୍ଚି ପାରୁଥିବାରୁ ଯୁବପିଢୀ ସ୍ମାର୍ଟ ଫୋନ୍ ବ୍ୟବହାରକୁ ବହୁଳ ଭାବେ ଗ୍ରହଣ କରୁଛନ୍ତି । ଆଉ ବିଭିନ୍ନ ସୋସିଆଲ୍ ମିଡିଆ ମାଧ୍ୟମରେ ହଜାର ହଜାର କିଲୋମିଟର ଦୂରରେ ଥିବା ସମ୍ପର୍କୀୟଙ୍କୁ ନୂଆ ବର୍ଷର ବର୍ତ୍ତା ନିମିଷକ ମଧ୍ୟରେ ପ୍ରେରଣ କରୁଛନ୍ତି । ଆଉ ତା’ରି ଭିତରେ ଏବେ ପରିଚୟ ଖୋଜୁଛି ଗ୍ରୀଟିଂସ୍ କାର୍ଡ ।

Leave A Reply

Your email address will not be published.