Latest Odisha News

‘ଦିଲ୍ଲୀ ବିଲ’, ହାରିକି ବି ଜିତିଲେ ବିରୋଧୀ!

ଭୁବନେଶ୍ୱର: ଦିଲ୍ଲୀ ସର୍ଭିସ ବିଲ ପ୍ରସଙ୍ଗରେ ବିରୋଧୀ ବିଫଳ ହୋଇଥିଲେ ମଧ୍ୟ ଏହାକୁ ନେଇ ରାଜନୀତି ଆହୁରି ତୀଵ୍ର ହେବାରେ ଲାଗିଛି। ରାଜ୍ୟସଭାରେ ଦିଲ୍ଲୀ ସର୍ଭିସ ବିଲକୁ ରୋକିବା ପାଇଁ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇଥିଲେ ମଧ୍ୟ ସଫଳ ହୋଇପାରିନାହାନ୍ତି।

ବିଲ ସପକ୍ଷରେ ୧୩୧ ଖଣ୍ଡ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ୧୦୨ ଭୋଟ ପଡ଼ିଛି। ସବୁ ଉଦ୍ୟମ ସତ୍ତ୍ୱେ ମଧ୍ୟ ବିରୋଧୀ ଫେଲ ମାରିଥିଲେ ମଧ୍ୟ ଏକତା ପ୍ରଦର୍ଶନ କରିବାରେ ସମର୍ଥ ହୋଇଥିବା କୁହାଯାଇଛି।

ଏପରିକି ଆଉ ଏକ ସଫଳତା ପାଇବାରେ ବିରୋଧୀ ସଫଳ ହୋଇଥିବା କହିଛନ୍ତି। ପ୍ରଥମଥର ପାଇଁ ରାଜ୍ୟସଭାରେ ବିରୋଧୀ ଗୋଷ୍ଠୀ ଶହେ ମାର୍କକୁ ଟପିବାରେ ସମର୍ଥ ହୋଇଛନ୍ତି।

ତେଣୁ ଏହା ବିରୋଧୀଙ୍କ ପାଇଁ ଏକ ନୈତିକ ବିଜୟ ବୋଲି ତୃଣମୂଳ କଂଗ୍ରେସ ସାଂସଦ ଡିରେକ ଓବ୍ରେନ କହିଛନ୍ତି। ଜେଡିୟୁ ସାଂସଦ ହରିବଂଶଙ୍କୁ ଛାଡିଲେ ଅନ୍ୟ ସମସ୍ତ ବିରୋଧୀ ଦଳର ନେତା ଭୋଟ ଦେଇଥିବା ସେ କହିଛନ୍ତି।

ଆମ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂ ନିଲମ୍ବିତ ହୋଇଥିବାରୁ ସେ ଭୋଟ ଦେଇ ପାରି ନ ଥିଲେ। ସେପଟେ ଅସୁସ୍ଥ ଥିବା ସତ୍ତ୍ୱେ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚାର ଶିବୁ ସୋରେନ ଓ ଜେଡିୟୁର ବଶୀଷ ସିଂ ନାରାୟଣ ଭୋଟ ଦେଇଥିଲେ। ଯାହାକୁ ନେଇ ରାଜନୀତି ତୀଵ୍ର ହୋଇଛି।

ମନମୋହନ ସିଂ ଭୋଟ ଦେବାକୁ ହୁଇଲ ଚେୟାରରେ ସଂସଦ ଆସିବାକୁ ନେଇ ଆକ୍ଷେପ ପ୍ରତିଆକ୍ଷେପର ପର୍ବ ଜୋର ଧରିଛି। କଂଗ୍ରେସ ଓ ଆମ ଆଦମୀ ପାର୍ଟି ପକ୍ଷରୁ ମନମୋହନଙ୍କ ଉପସ୍ଥିତିକୁ ପ୍ରଶଂସା କରାଯାଇଛି।

ଆପର ସାଂସଦ ରାଘବ ଚଢାଙ୍କ କହିବା ଅନୁଯାୟୀ ମନମୋହନ ଦେଶର କଳା ଅଧ୍ୟାଦେଶ ବିରୋଧରେ ଭୋଟ କରିବା ସହ ରାଜ୍ୟସଭାରେ ସତ୍ୟର ସିପାହୀ ହୋଇ ଛିଡା ହୋଇଥିଲେ।

ଦେଶର ଗଣତନ୍ତ୍ର ଓ ସମ୍ବିଧାନ ପ୍ରତି ତାଙ୍କର ପ୍ରତିବଦ୍ଧତା ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି ଚଢା କହିବା ସହ ତାଙ୍କୁ ଧନ୍ୟବାଦ ଦେଇଛନ୍ତି। ସେପଟେ ବିଜେପି ଏହାକୁ କଡା ସମାଲୋଚନା କରିଛି।

ନିଜର ବେଇମାନ ମେଣ୍ଟକୁ ବଞ୍ଚାଇ ରଖିବା ପାଇଁ କଂଗ୍ରେସ ଜଣେ ଅସୁସ୍ଥ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗୃହରେ ବିଳମ୍ବିତ ରାତି ଯାଏ ବସାଇ ରଖାଗଲା। ଏହା ଅତ୍ୟନ୍ତ ଲଜ୍ୟାଜନକ ବୋଲି କହିଛି ବିଜେପି।

ସେପଟେ କଂଗ୍ରେସ ମଧ୍ୟ ବିଜେପିକୁ କାଉଣ୍ଟର କରିଛି। ମନମୋହନ ସିଂଙ୍କର ଲୋକତନ୍ତ୍ର ପ୍ରତି ସମର୍ପଣ ଦେଶର ସମ୍ବିଧାନ ଉପରେ ତାଙ୍କର ବିଶ୍ୱାସର ପ୍ରମାଣ ବୋଲି କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ କହିଛନ୍ତି। ବିଜେପି ନିଜର ବରିଷ୍ଠ ମାନଙ୍କୁ ମାନସିକ କୋମା ମଧ୍ୟକୁ ଠେଲି ଦେଇଛି ବୋଲି ସେ କହିଛନ୍ତି।

ତେଣୁ ବିଲ ପାସକୁ ବିରୋଧୀ ରୋକି ନ ପାରି ପରାଜୟ ବରଣ କରିଥିଲେ ମଧ୍ୟ ବିଭିନ୍ନ ଦୃଷ୍ଟିକୋଣରୁ ବିରୋଧୀ ଏହାକୁ ନୈତିକ ବିଜୟର ନାଁ ଦେଇଛନ୍ତି।

Comments are closed.