Latest Odisha News

BREAKING NEWS

ପବିତ୍ର ମକର ସଂକ୍ରାନ୍ତି, ସବୁ ମନ୍ଦିରରେ ଭକ୍ତଙ୍କ ଭିଡ

ଭୁବନେଶ୍ଵର: ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। ଏହି ଅବସରରେ ସାରା ରାଜ୍ୟ ଉତ୍ସବମୁଖର ହୋଇପଡ଼ିଛି । ପୂର୍ବଠାରୁ ପଶ୍ଚିମ ଓ ଉତ୍ତରରୁ ଦକ୍ଷିଣ ଓଡ଼ିଶା ଯାଏ ସବୁଠି ଭିନ୍ନ ଭିନ୍ନ ଢଙ୍ଗରେ ପାଳିତ ହେଉଛି ଏହି ପର୍ବ ।  ଆଜି ସକାଳେ ଘରେ ଠାକୁରଙ୍କ ପାଖରେ ମକର ଚାଉଳ ଭୋଗ କରାଯାଉଛି ।

ମକର ସଂକ୍ରାନ୍ତି ଉପଲକ୍ଷେ ଆଜି ଶ୍ରୀମନ୍ଦିରରେ ସକାଳୁ ସକାଳୁ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଏଣେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ମକର ନୀତି ଅନୁଷ୍ଠିତ ହେବ। ଶ୍ରୀଜିଉ ମକର ଚୌରାଅଶି ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ଗୁଡ଼ିଆମାନେ ଫେଣା, ଶାକର ଆଣି ମକର ଭୋଗ ପ୍ରସ୍ତୁତ କରିବେ। ଏହାସହିତ ମହାବାହୁଙ୍କ ଶ୍ରୀଚରଣରେ ବିଶ୍ୱର ସର୍ବବୃହତ ନଳୀ ପାନ ଅର୍ପଣ କରାଯିବାର ବିଧି ରହିଛି ।

ଏଣେ ମୟୂରଭଞ୍ଜ ଜିଲ୍ଲାର ଲୋକେ ଏହାକୁ ଗଣପର୍ବ ଭାବେ ପାଳନ କରୁଛନ୍ତି । ଏହି ଜିଲ୍ଲାର ଲୋକେ ନୂଆ ପୋଷାକ ପିନ୍ଧିବା ସହ ଘରେ ପିଠାପଣା କରୁଛନ୍ତି। ପିଠା ପଣା ଖାଇ ମାଦଳ ବାଜାର ତାଳେ ତାଳେ ନୃତ୍ୟ କରିଥାନ୍ତି ଏମାନେ। ସେହିପରି ଏଠାରେ କୁକୁଡ଼ା ଲଢେଇ ଓ ଲାଖ ବିନ୍ଧା ପ୍ରତିଯୋଗିତା ବି ଆୟୋଜିତ ହୋଇଥାଏ ।

ମକର ସଂକ୍ରାନ୍ତି ଅବସରରେ ବାଲୁଗାଁର ପ୍ରସିଦ୍ଧ କାଳିଜାଇଙ୍କ ପୀଠରେ ବି ମକର ମେଳା ପାଇଁ ଲୋକଙ୍କ ଭିଡ଼ ଜମିଛି । ସଂକ୍ରାନ୍ତି ଅବସରରେ ମାଆଙ୍କର ବିଶେଷ ନୀତିସବୁ ପାଳନ କରାଯାଉଛି । ଖାସ୍ କରି ପାରିକୁଦ ରାଜା ମା’ଙ୍କ ନିକଟରେ ଛେରା ପହଁରା କରି ପୂଜାର୍ଚ୍ଚନା କରିଛନ୍ତି । ବିଶେଷ କରି ଆଜିର ଦିନ ମାଆ କାଳିଜାଇଙ୍କ ଜନ୍ମ ଦିନ ଥିବାରୁ ଦୂରଦୂରାନ୍ତରୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥାଏ ।

ସେହିପରି ଘଟଗାଁରେ ମା ତାରିଣୀଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଅଟ୍ରିର ହଟ୍ଟକେଶରଙ୍କ ପ୍ରସିଦ୍ଧ ମକର ଯାତ୍ରା ଆରମ୍ଭ ହୋଇଛି। ତେଣେ ଦକ୍ଷିଣ ଓଡ଼ିଶାରେ ଆଜି ଭୋଗି ପର୍ବ ପାଳିତ ହେଉଛି ।

Leave A Reply

Your email address will not be published.