Latest Odisha News

BREAKING NEWS

ମକର ସଂକ୍ରାନ୍ତିକୁ ନେଇ କ’ଣ ରହିଛି ଲୋକ ବିଶ୍ୱାସ,ଜାଣନ୍ତୁ

ଭୁବନେଶ୍ୱର: ଆଜି ପବିତ୍ର ମକର ସଂକ୍ରାନ୍ତି । ପ୍ରତି ସଂକ୍ରାନ୍ତିରେ ସୂର୍ଯ୍ୟ ଗୋଟିଏ ଲେଖାଏଁ ରାଶିକୁ ଗମନ କରି ସେଥିରେ ଏକ ମାସ ଅବସ୍ଥାନ କରନ୍ତି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇ ମକର ରାଶିକୁ ଆସନ୍ତି । ଏହି ଦିନ ସୂର୍ଯ୍ୟ ଉତ୍ତରଦିଗକୁ ଯାତ୍ରା କରି ଛଅ ମାସ ଅବସ୍ଥାନ କରୁଥିବାରୁ ବିବାହ, ବ୍ରତ, ଯଜ୍ଞାନୁଷ୍ଠାନ,ଗୃହ, ଦେବାଳୟ ପ୍ରତିଷ୍ଠା ଆଦି ସମସ୍ତ ଶୁଭକର୍ମ ଅନୁଷ୍ଠିତ ହୁଏ ।

ଏହି ସମୟରେ ଅଭୀଷ୍ଟ ସିଦ୍ଧି ପାଇଁ ସୂର୍ଯ୍ୟ ଉପାସନ କରାଯାଏ ।ଓଡ଼ିଆ ପ୍ରବାଦ ଅନୁଯାୟୀ ‘ମକରଠାରୁ ଦିନ ବକର ହୁଏ’, ଅର୍ଥାତ ଏହି ଦିନଠାରୁ ଦିନ କ୍ରମଶଃ ବଡ଼ ହୁଏ । ସୂର୍ଯ୍ୟଙ୍କର ତେଜ ମଧ୍ୟ ଏହି ଦିନଠାରୁ ପ୍ରଖର ହୁଏ । ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ସମୟରେ ଯେଉଁମାନଙ୍କର ପରଲୋକ ହୁଏ, ସେମାନଙ୍କୁ ସ୍ୱର୍ଗଲୋକ ପ୍ରାପ୍ତ ହୁଏ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି । ମକର ସଂକ୍ରାନ୍ତି ଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହେଉଥିବାରୁ ଆଲୋକ ଏବଂ ଜୀବନର ଉତ୍ସ ସୂର୍ଯ୍ୟଙ୍କୁ ହିନ୍ଦୁମାନେ ଏହିଦିନ ପୂଜାର୍ଚ୍ଚନା କରନ୍ତି । ଆଉ କେତେକ ସ୍ଥାନରେ ଏହି ଦିନ ଶିବଙ୍କୁ ପୂଜା କରାଯାଏ । କେତେକ ଏହି ଦିନ ଉଭୟ ଶିବ ଓ ସୂର୍ଯ୍ୟଙ୍କୁ ପୂଜା କରନ୍ତି ।

ଏହି ମକର ସଂକ୍ରାନ୍ତିର ପୂଣ୍ୟକାଳରେ ପ୍ରତ୍ୟୁଷରୁ ନଦୀ, ପୋଖରୀରେ ସ୍ନାନାଦି କାର୍ଯ୍ୟ ସମାପନ କରି ସୂର୍ଯ୍ୟଙ୍କୁ ଦର୍ଶନ କଲେ, ସକଳ ପାପରୁ ମୁକ୍ତି ମିଳେ ବୋଲି ବିଶ୍ୱାସ । ତେଣୁ କେଉଁ ଆବାହମାନ କାଳରୁ ସରୋବର, ନଦୀ ତଟ, ମହୋଦଧି ତୀର ପ୍ରଭୃତି ପବିତ୍ର ସ୍ଥାନମାନଙ୍କରେ ମକର ମେଳା, ସାଧୁସଙ୍ଗ ଓ ମହୋତ୍ସବର ପରମ୍ପରା ଚାଲିଆସିଛି । ଏହି ଦିନ ପ୍ରସିଦ୍ଧ ଗଙ୍ଗାସାଗରଠାରେ ଏକ ବିରାଟ ମେଳା ହୁଏ । ପୁଣ୍ୟଲାଭ ଆଶାରେ ଏହି ଦିନ ଅନେକ ଧାର୍ମିକ ଲୋକ ଗଙ୍ଗାସାଗରରେ ବୁଡ଼ ପକାଇଥାନ୍ତି ।

ମକର ସଂକ୍ରାନ୍ତି ଦିନ ଅନେକ ସ୍ଥାନରେ ଗୁଡ଼ି ଉଡ଼ା ପ୍ରତିଯୋଗିତା ଆୟୋଜନ କରାଯାଇଥାଏ । ବିଶ୍ୱାସ କରାଯାଏ, ଏହି କାଳ ମଧ୍ୟରେ ମୃତୁ୍ୟବରଣ କରୁଥିବା ମନୁଷ୍ୟ ବିଷ୍ଣୁଲୋକରେ ସ୍ଥାନ ପାଇଥାଏ ।

ଏହି ପବିତ୍ର ଦିନରେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରେ ଅନ୍ୟତମ ‘ଉତ୍ତରାୟଣ ଯାତ୍ରା’ ବା ମକର ସଂକ୍ରାନ୍ତି ଉତ୍ସବ ମହାସମାରୋହରେ ପାଳିତ ହୋଇଥାଏ । ଏହି ଯାତ୍ରା ସମ୍ବନ୍ଧରେ ସ୍କନ୍ଦପୁରାଣରେ ଉଲ୍ଲେଖ ରହିଛି ଯେ, ମହା ପୁଣ୍ୟମୟ ମକର ସଂକ୍ରାନ୍ତି ଦିନ ଶ୍ରୀକ୍ଷେତ୍ରରେ ତୀର୍ଥରାଜ ମହୋଦଧିରେ ସ୍ନାନ କରି ଶ୍ରୀମନ୍ଦିରରେ କଳ୍ପବଟ ପ୍ରଦକ୍ଷିଣପୂର୍ବକ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ଅଶେଷ ଫଳପ୍ରାପ୍ତି ହୋଇଥାଏ ।

Leave A Reply

Your email address will not be published.