ଭବାନୀପାଟଣା: ଡାକ୍ତରଙ୍କୁ କୁହନ୍ତି ଦ୍ୱିତୀୟ ଈଶ୍ୱର । ଏହି କଥାର ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ଡ଼ାକ୍ତର ଅବିନାଶ ରଥ । କଳାହାଣ୍ଡି ଜିଲ୍ଲା ଥୁଆମାଳ-ରାମପୁର କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ଲାଗି ସେବା କରି ଗ୍ରାମବାସୀଙ୍କର ପ୍ରିୟଭାଜନ ହୋଇଛନ୍ତି ଡାକ୍ତର ଅବିନାଶ । ଇତିମଧ୍ୟରେ ଥୁଆମାଳ-ରାମପୁର କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରରୁ ଡାକ୍ତର ଅବିନାଶଙ୍କର ପୁରୀ ଜିଲ୍ଲା ପିପିଲିକୁ ବଦଳି ହୋଇଛି । ଥୁଆମାଳ-ରାମପୁର ଗ୍ରାମବାସୀ ଲୋତକପୂର୍ଣ୍ଣ ଆଖିରେ ଅବିନାଶଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦେବା ସହିତ ତାଙ୍କୁ ଗାଁ’ରୁ ପ୍ରୋସେସନରେ ନେଇ ଛାଡ଼ିଥିଲେ ।
ଜନସାଧାରଣଙ୍କ ସୁଖ ଦୁଃଖରେ ଭାଗୀ ହୋଇ ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ରୋଗୀସେବା କରି ଚାଲିଥିଲେ ଅବିନାଶ । ଅବିନାଶଙ୍କର ଏହି ନିଷ୍ଠାପର ସେବା ସେବା ମନୋବୃତ୍ତି ଯୋଗୁଁ ଗ୍ରାମର ଆବାଳ ବୃଦ୍ଧ ବନିତା ତାଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ନଥିଲେ । ‘ଜନତାଙ୍କ ଡାକ୍ତର’ ଅବିନାଶଙ୍କୁ ଗ୍ରାମବାସୀମାନେ ପଟୁଆରରେ ନେଇ ଯାଉଥିବା ବେଳେ ବୟସ୍କା ମହିଳାମାନେ ନିଜ ମାଆ ପରି ତାଙ୍କୁ କୁଣ୍ଢାଇ କଇଁ କଇଁ କାନ୍ଦୁଥିବାର ଲକ୍ଷ୍ୟ କରାଯାଇଥିଲା । ଡାକ୍ତରଙ୍କ ନିଷ୍ଠାପର ସେବା ମନୋବୃତ୍ତି ତଥା ଦାୟିତ୍ୱବୋଧତା ଯୋଗୁଁ ସେ ଏହି ଅଞ୍ଚଳରେ ବେଶ୍ ଜନପ୍ରିୟତା ହାସଲ କରିପାରିଥିଲେ ।
କିରଣ କୁମାର ନାମକ ଥୁଆମାଳ-ରାମପୁର ଗ୍ରାମର ଜଣେ ବାସିନ୍ଦା ଏହି ଜନପ୍ରିୟ ଡାକ୍ତରଙ୍କ ସମ୍ପର୍କରେ କହନ୍ତି, ଡାକ୍ତର ଅବିନାଶ ଚିକିତ୍ସକ ଭାବେ ରୋଗୀ ସେବା କରିବା ବ୍ୟତୀତ ସେ ଜଣେ ପରୋପକାରୀ ବ୍ୟକ୍ତି । ସେ ଅତ୍ୟନ୍ତ ହୃଦୟବାନ ଏବଂ ମେଳାପୀ ମଧ୍ୟ । ଏହି ଡାକ୍ତରଖାନା (ସିଏଚସି)ରେ ପୂର୍ବରୁ ଯେଉଁସବୁ ଡାକ୍ତରମାନେ ଆସୁଥିଲେ ସେମାନେ ଅଲଗା ଡାକ୍ତର ଅବିନାଶ ଅଲଗା । ସେମାନେ ଗୋଟିଏ ପୋଷ୍ଟମର୍ଟମ କରିବାକୁ ଦୁଇଦିନ ସମୟ ନେଉଥିଲେ । ମାତ୍ର ଅବିନାଶ ନିଜେ ବିଭିନ୍ନ ଗ୍ରାମକୁ ଯାଇ ନିଜେ ଶବ ବ୍ୟବଚ୍ଛେଦ କରିଥାଆନ୍ତି । ନୀରିହ ଆଦିବାସୀମାନଙ୍କ ପଇସା ଅଯଥା ଖର୍ଚ୍ଚ ହେବାକୁ ଦିଅନ୍ତି ନାହିଁ । ସେ ଅତ୍ୟନ୍ତ କର୍ତ୍ତବ୍ୟନିଷ୍ଠ ତଥା ଦାୟିତ୍ୱବାନ । ସେ ସମୟାନୁବର୍ତ୍ତିତାକୁ ପ୍ରାଥମିକତା ଦେଇ ପ୍ରତିଦିନ ଅତି ସକାଳୁ ଡାକ୍ତରଖାନାରେ ରୋଗୀ ସେବା କରିଥାଆନ୍ତି ।
ଅବିନାଶ ଭୁବନେଶ୍ୱରର ମୂଳ ବାସିନ୍ଦା । ସେ ଗତ ୫ ବର୍ଷ ଧରି ଏହି ଥୁଆମାଳ-ରାମପୁର କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଭାବେ ରୋଗୀ ସେବା କରିଆସୁଛନ୍ତି । “ଏଠାରେ ରହି ରୋଗୀମାନଙ୍କ ସେବା କରିବାକୁ ବେଶ୍ ଭଲପାଏ । ଏଠାରୁ ଯିବା ପରେ ସବୁକଥା ମୋ ହୃଦୟ ଭିତରେ ସ୍ମୃତି ପାଲଟି ରହିଥିବ । ଏଠାରୁ ମୁଁ ଅନେକ ସ୍ମୃତି ସାଉଣ୍ଟି ଯାଉଛି । ଏବେ ମୁଁ ମୋ ଗାଁ ପାଖକୁ ବଦଳି ହୋଇ ଯାଉଥିଲେ ମଧ୍ୟ ଥୁଆମାଳ-ରାମପୁର ଗ୍ରାମବାସୀଙ୍କ ସ୍ନେହ ଶ୍ରଦ୍ଦାକୁ କେବେ ବି ପାଶୋରୀ ଯିବିନାହିଁ ।” ଏହା କହିଛନ୍ତି ଡାକ୍ତର ଅବିନାଶ ରଥ ।
ଡାକ୍ତର ଅବିନାଶ ୨୦୧୫ ମସିହାରେ ଏହି ଥୁଆମାଳ-ରାମପୁର କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଭାବେ ଦାୟିତ୍ୱ ଗ୍ରହଣ କରି ରୋଗୀ ସେବା କରି ଚାଲିଲେ । ସେତେବେଳେ ଏଲୋପାଥି ଚିକିତ୍ସା ସମ୍ପର୍କରେ ଏହି ଅଞ୍ଚଳର ବାସିନ୍ଦାମାନେ ଠିକ୍ ରୂପେ ଅବଗତ ନଥିଲେ । ମାତ୍ର ମୋତେ ଖୁସି ଲାଗୁଛି ସେସବୁ ଏବେ ବଦଳି ଯାଇଛି । ଗ୍ରାମବାସୀମାନଙ୍କର ଆଧୁନିକ ଚିକିତ୍ସା ପଦ୍ଧତି ତଥା ଔଷଧ ସମ୍ପର୍କରେ ମନୋଭାବ ବଦଳିଛି । “ପ୍ରକୃତରେ ରାଜ୍ୟରେ ଡାକ୍ତରଙ୍କ ଅଭାବ ଯୋଗୁଁ ଆମକୁ ଏଠାରେ ଅଧିକ ସମୟ ରୋଗୀସେବା କରିବାକୁ ପଡ଼ିଥାଏ । ଏହିସବୁ ଆଦିବାସୀ ବହୁଳ ଅଞ୍ଚଳଗୁଡ଼ିକରେ ସ୍ୱାସ୍ଥ୍ୟ ବିଭାଗ ଅଧିକ ଦୃଷ୍ଟି ଦେଲେ ସେବା କାର୍ଯ୍ୟ ଅଧିକ ତ୍ୱରାନ୍ୱିତ ହୋଇପାରନ୍ତା,” ବୋଲି କହିଛନ୍ତି ଡାକ୍ତର ଅବିନାଶ ।
Comments are closed.