କୋଲକାତା: କଥା ଶୁଣୁନାହାନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଦୀଘା ମନ୍ଦିର ସାମ୍ନାରେ ପୁଣି ଲାଗିଲା ଜଗନ୍ନାଥ ଧାମ ହୋର୍ଡିଂ । ମନ୍ଦିର ସାମ୍ନାରେ ବଡ଼ ବଡ଼ ଅକ୍ଷରରେ ଲଗାଗଲା ସ୍ଥାୟୀ ହୋର୍ଡିଂ । ପୂର୍ବରୁ ମନ୍ଦିରରେ ଅସ୍ଥାୟୀ ହୋର୍ଡିଂ ଲଗାଯାଇଥିବାବେଳେ, ରାତାରାତି ସ୍ଥାୟୀ ହୋର୍ଡିଂ ଲଗାଇଲା ପଶ୍ଚିମବଙ୍ଗ ପ୍ରଶାସନ । ଜଗନ୍ନାଥ ଧାମ ବିବାଦ ଭିତରେ ହୋର୍ଡିଂ ଲଗାଇଲେ ମମତା ।
ଦୀଘାରେ ନବନିର୍ମିତ ଜଗନ୍ନାଥ ମନ୍ଦିରରୁ ‘ଜଗନ୍ନାଥ ଧାମ’ ଲେଖାକୁ ହଟାଯାଇଥିବା ନେଇ ସୋମବାର ବିଜେପି ଆଇଟି ସେଲ୍ ଅଧ୍ୟକ୍ଷ ଅମିତ ମାଲବ୍ୟ ଟ୍ୱିଟ୍ କରି ସୂଚନା ଦେଇଥିଲେ । ସେ ‘ଏକ୍ସ’ରେ ମନ୍ଦିରର ପୂର୍ବ ଓ ପରର ଫୋଟ ପୋଷ୍ଟ କରି ଲେଖିଥିଲେ ଯେ, ”ପ୍ରବଳ ବିରୋଧ ପରେ ପଶ୍ଚିମବଙ୍ଗ ସରକାର ବାଧ୍ୟ ହୋଇ ଜଗନ୍ନାଥ ଧାମ ଫଳକ ହଟାଇଛନ୍ତି । ଏହା ହିନ୍ଦୁ ଏକତାର ବିଜୟ ଓ ମମତାଙ୍କ ପ୍ରତି ଶକ୍ତ ଧକ୍କା । ଯେତେବେଳେ ହିନ୍ଦୁ ଏକାଠି ହେବେ, କୌଣସି ହୀନ ରାଜନୀତି ତିଷ୍ଠିବନି ।”
ହେଲେ ବିଜେପି ଆଇଟି ସେଲ୍ ଅଧ୍ୟକ୍ଷ ଅମିତ ମାଲବ୍ୟଙ୍କ ଟ୍ୱିଟକୁ ଗୋଟେ ରାତି ବି ବିତି ନଥିବବେଳେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାତାରାତି ବଡ଼ ବଡ଼ ଅକ୍ଷରରେ ଜଗନ୍ନାଥ ଧାମ ଲେଖଥିବା ସ୍ଥାୟୀ ହୋର୍ଡିଂ ଲଗାଇଛନ୍ତି । ଏପରିକି ଦୀଘା ନିକଟରେ ଥିବା ସମୁଦ୍ର କୂଳକୁ ମଧ୍ୟ ମହୋଦଧୀ ନାମରେ ନାମିତ କରାଯାଇଥିବା ସୂଚନା ମିଳିଛି ।
ସେପଟେ, ସୋମବାର ଗଜପତି ମହାରାଜ ଦିବ୍ୟସିଂହଦେବ ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ କହିବା ନେଇ ସ୍ପଷ୍ଟୀକରଣ ଦେଇଥିଲେ । ଦୀଘା ଜଗନ୍ନାଥ ମନ୍ଦିର ‘ଜଗନ୍ନାଥ ଧାମ’ ନୁହେଁ ବୋଲି କହିଛନ୍ତି ଗତପତି ମହାରାଜା । ପ୍ରେସ୍ ରିଲିଜ୍ ଜରିଆରେ ସ୍ପଷ୍ଟ କରିଛନ୍ତି ଗଜପତି ମହାରାଜା । ଜଗନ୍ନାଥ ଧାମ, ଶ୍ରୀପୁରୁଷୋତ୍ତମ କ୍ଷେତ୍ର, ଶ୍ରୀକ୍ଷେତ୍ର କୁହାଯାଇ ପାରିବନି । ମୁକ୍ତି ମଣ୍ଡପ ମତକୁ ଆଧାର କରି ମତ ରଖିଲେ ଗଜପତି ମହାରାଜା ।
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମୂଳପୀଠ ପୁରୁଷୋତ୍ତମ କ୍ଷେତ୍ର । ଅନ୍ୟ କୌଣସି ସ୍ଥାନକୁ ଧାମ ନାଁ ଦିଆଯାଇପାରିବନି । ଜଗନ୍ନାଥଧାମ, ଶ୍ରୀପୁରୁଷୋତ୍ତମ କ୍ଷେତ୍ର ନାଁ ଦିଆଯାଇପାରିବନି । ଶ୍ରୀକ୍ଷେତ୍ର କିମ୍ବା ନୀଳାଚଳଧାମ ମଧ୍ୟ ଦିଆଯାଇ ପାରିବନି । ଅନ୍ୟ କୌଣସିଠାରେ ସମର୍ପିତ ନୈବେଦ୍ୟ ‘ଶ୍ରୀମହାପ୍ରସାଦ’ ନୁହେଁ ବୋଲି ଗଜପତି ମହାରାଜା କହିଛନ୍ତି ।
ସୂଚନାଯୋଗ୍ୟ, ପବିତ୍ର ଅକ୍ଷୟ ତୃତୀୟରେ ଦୀଘାଠାରେ ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ଏକ ଭବ୍ୟ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପୁରୀରୁ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ସମେତ କିଛି ଦଇତାପତି ସେବାୟତ ଯୋଗ ଦେଇଥିଲେ । ତେବେ ଏହି ମନ୍ଦିରକୁ ଜଗନ୍ନାଥ ଧାମ ବୋଲି କୁହାଯିବା ଏବଂ ପୁରୀରୁ ବଳକା ନବେକଳବର ଦାରୁରେ ଦୀଘା ଜଗନ୍ନାଥ ମନ୍ଦିରର ଶ୍ରୀବିଗ୍ରହ ନିର୍ମାଣ ହେବା ଚର୍ଚ୍ଚାକୁ ଓଡ଼ିଶାରେ ଦୃଢ଼ ବିରୋଧ କରାଯାଇଥିଲା । ଏନେଇ ରାମକୃଷ୍ଣ ଦାସମହାପାତ୍ରଙ୍କ ବିରୋଧରେ ଏତଲା ମଧ୍ୟ ଦିଆଯାଇଛି ।
Comments are closed.