ନ୍ୟୁୟର୍କ: ଦୁନିଆରେ ଅନେକ କୁକୁର ଅଛନ୍ତି, ଯେଉଁମାନେ ବିଭିନ୍ନ କୌଶଳ ଦେଖାଇଥାନ୍ତି । ଯାହାକୁ ଦେଖି ଲୋକମାନେ ବହୁତ ଆକୃଷ୍ଟ ହୋଇଥାନ୍ତି । କିନ୍ତୁ ଆପଣ କେବେ କୁକୁର ଡିଗ୍ରୀ ନେଉଥିବାର ଦେଖିଛନ୍ତି କି? ଆମେରିକାରେ ଗୋଟିଏ କୁକୁରକୁ ଡିପ୍ଲୋମା ଡିଗ୍ରୀ ଦିଆଯାଇଛି । ତାହା ପୁଣି ଏକ ପ୍ରତିଷ୍ଠିତ କଲେଜ ପକ୍ଷରୁ ଦିଆଯାଇଛି । ଆଉ ଡ଼ିଗ୍ରୀ ପାଇବାର କାରଣ ଜାଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ ।
ଗ୍ରେସ ମାରିଆନି ନାମକ ଜଣେ ମହିଳା ନ୍ୟୁ ଜର୍ସିରେ ରୁହନ୍ତି । ତାଙ୍କର ଏକ ୬ ବର୍ଷର ପୋଷା କୁକୁର ଅଛି,ଯାହାର ନାଁ ହେଉଛି ଜଷ୍ଟିନ । ଏହା ଲାବ୍ରାଡୋର-ଗୋଲଡେନ୍ ରିଟ୍ରିଭର ପ୍ରଜାତିର ଏକ କୁକୁର । ନିକଟରେ ତାକୁ ସମ୍ମାନଜନକ ଡିପ୍ଲୋମା ଆଖ୍ୟା ଦିଆଯାଇଛି । ଏକ ସମାରୋହରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଜଷ୍ଟିନ୍ଙ୍କ ମାଲିକାଣୀ ଗ୍ରେସ୍ ମାରିଆନି ମଧ୍ୟ ଏହି କଲେଜରୁ ଅଧ୍ୟୟନ କରିଥିଲେ । ତାଙ୍କୁ ବିଶ୍ୱବିଦ୍ୟାଳୟରୁ ଶିକ୍ଷା କ୍ଷେତ୍ରରେ ସ୍ନାତକୋତ୍ତର ଡିଗ୍ରୀ ପ୍ରଦାନ କରାଯାଇଥିଲା । ତାଙ୍କ ସହିତ ତାଙ୍କ କୁକୁରକୁ ଏକ ଡିପ୍ଲୋମା ଦିଆଯାଇଥିଲା, କାରଣ ଏହି କୁକୁର ସବୁବେଳେ ତାଙ୍କ ସହିତ ରହିଥା’ନ୍ତି ।
ବାସ୍ତବରେ, ମାରିଆନି ଠିକ୍ ଭାବେ ଚାଲି ପାରୁ ନ ଥିବାରୁ ହ୍ୱିଲ୍ ଚେୟାର ସାହାଯ୍ୟରେ ଚଲାବୁଲା କରନ୍ତି । ତେଣୁ ଜଷ୍ଟିନ ତାଙ୍କୁ ସବୁ ମୁହୂର୍ତ୍ତରେ ସାହାଯ୍ୟ କରିଥାଏ । ବିଶ୍ୱବିଦ୍ୟାଳୟ ସ୍ୱୀକାର କଲା ଯେ ଏହିପରି ଭାବରେ ଜଷ୍ଟିନ ମଧ୍ୟ ମାରିଆନି ପରି ଅଧ୍ୟୟନ ଶେଷ କରିଥିଲେ ।
ଏହି କୁକୁରର ଡିପ୍ଲୋମା ନେଇ ବିଶ୍ୱବିଦ୍ୟାଳୟ ତାହାର ଟ୍ୱିଟରରେ ସେୟାର କରିଛ । ଆଉ ଫଟୋରେ ବିଶ୍ୱବିଦ୍ୟାଳୟର ମୁଖ୍ୟ ଜୋସେଫ ଇନରେ ମାରିଆନି ଏବଂ ଜଷ୍ଟିନଙ୍କୁ ଡିପ୍ଲୋମା ପ୍ରଦାନ କରୁଥିବା ନଜର ଆସିଛନ୍ତି । ଜଷ୍ଟିନ ତାଙ୍କ ଡିପ୍ଲୋମା ସାର୍ଟିଫିକେଟକୁ ପାଟିରେ ଧରିବା ମାତ୍ରେ ସେଠାରେ ଉପସ୍ଥିିତ ଥିବା ଅନ୍ୟ ଅତିଥିମାନେ କରତାଳି ଦେଇଥିଲେ । ଏଥିଲାଗି ଜୋସେଫ ଇ ନରେ ନିଜେ ମଧ୍ୟ ଗର୍ବିତ ଅନୁଭବ କରନ୍ତି ।
ମାରିଆନି କହିଛନ୍ତି, ତାଙ୍କ କୁକୁରକୁ ସେ ବହୁତ ଭଲ ପାଆନ୍ତି । ସେ ଆହୁରି ମଧ୍ୟ ତାଙ୍କୁ ଅଧିକ ଶିକ୍ଷା ଦେବାକୁ ଯୋଜନା କରୁଛନ୍ତି । ଏହି କୁକୁରକୁ ସ୍ୱତନ୍ତ୍ର ତାଲିମ ଦିଆଯାଏ । ତେଣୁ ଏହାକୁ ସର୍ଭିସ କୁକୁର ମଧ୍ୟ କୁହାଯାଏ । ପୂର୍ବରୁ ଜୋସ୍କା ନାମକ ଏକ କୁକୁର ମଧ୍ୟ ଏହି ସମ୍ମାନ ପାଇଥିଲା ।
Comments are closed.