ଭୁବନେଶ୍ଵର: ବିଶିଷ୍ଟ କବି ଡକ୍ଟର ପ୍ରସନ୍ନ କୁମାର ମିଶ୍ରଙ୍କ ଜୟନ୍ତୀ ଅବସରରେ ‘ଫାଲଗୁନ ଆସର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଏହାର ଆୟୋଜନ ହୋଇଥିଲା। ଏଥିରେ ବରିଷ୍ଟ କବି ଅମରେଶ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଅନେକ କବି, ଲେଖକ ତଥା ସାହିତ୍ୟିକମାନେ ସାମିଲ ହୋଇଥିଲେ। ଏଠାରେ ଡକ୍ଟର ପ୍ରସନ୍ନ କୁମାର ମିଶ୍ରଙ୍କ ସ୍ମୃତିଚାରଣ କରାଯିବା ସହ ତାଙ୍କ ସାହିତ୍ୟ ଜୀବନ ବିଷୟରେ ବିଭିନ୍ନ ଅଲୋଚନା କରାଯାଇଥିଲା ।
ଶ୍ରୀ ମିଶ୍ରଙ୍କ କବିତା ପଂକ୍ତି “ଯୁଆଡେ ମୁଁ ଯାଉଛି, ମୋ ସହିତ ଯାଉଛି ମୋ କବିତା, ପେଟର କ୍ଷୁଧା ପରି“ ପଢି ପ୍ରସନ୍ନ ମିଶ୍ରଙ୍କ ଆତ୍ମାର ସ୍ମୃତିଚାରଣ କରିଥିଲେ ବରିଷ୍ଟ କବି ଅମରେଶ ପଟ୍ଟନାୟକ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ଅଶ୍ଵିନି ମିଶ୍ର କହିଥିଲେ ଯେ, “ଭୂମିଠୁ ଭୂମା ଯାଏଁ ବ୍ୟାପ୍ତ ଥିଲା କବି ପ୍ରସନ୍ନ ମିଶ୍ରଙ୍କ ସାହିତ୍ୟ । ସମଗ୍ର ଜୀବନ କାଳ ତାଙ୍କର ସାହିତ୍ୟ ପାଇଁ ଉତ୍ସର୍ଗୀକୃତ । ବସ୍ତୁବାଦୀ କାର୍ଯ୍ୟରେ ନିଜକୁ ନିୟୋଜିତ ନ କରି ସମ୍ପୁର୍ଣ୍ଣ ରୂପେ ସାହିତ୍ୟ ପାଇଁ ସେ ସମର୍ପିତ ଥିଲେ।”
ମୁଖ୍ୟବକ୍ତା ହିରଣ୍ମୟୀ ମିଶ୍ର ତାଙ୍କ ଉପନ୍ୟାସ ‘ଅସୁର’ ସଂପର୍କରେ ବକ୍ତବ୍ୟ ଦେଇ କହିଥିଲେ, “ଏହା ଏକ ଚମତ୍କାର ଉପନ୍ୟାସ । ଏତେ କମ୍ ବୟସରେ ସେ ଏପରି ଏକ ଉଚ୍ଚକୋଟୀର ଉପନ୍ୟାସ ରଚନା କରିଛନ୍ତି । ସାହିତ୍ୟର ସବୁଦିଗରେ ତାଙ୍କର ଚମତ୍କାର ଲେଖନୀ ତାଙ୍କୁ କାଳଜୟୀ କରିବ । ଅସୁର ଉପନ୍ୟାସ ପାଠକ ପଢିଲେ ଜାଣିବେ ଯେ ଏହାର ସୀମା କେତେ ପରିବ୍ୟାପ୍ତ । ଏହି ଉପନ୍ୟାସ ୫୦ ଦଶକରେ ପ୍ରସନ୍ନ ଲେଖିଥିଲେ । ତେଣୁ ଏହା ପୁଣିଥରେ ପ୍ରକାଶ ହେବା ଆବଶ୍ୟକ” ବୋଲି କହିଥିଲେ ହିରଣ୍ମୟୀ ମିଶ୍ର ।
ସେହିପରି ସଭାର ସଂଯୋଜକ କେଦାର ମିଶ୍ର କହିଥିଲେ ଯେ, “ପ୍ରସନ୍ନ ମିଶ୍ର ଫାଲ୍ଗୁନ ଓ ଅଗ୍ନୀର ଏକ ଅଦ୍ଭୁତ ମିଶ୍ରଣ । ତାଙ୍କ କବିତାରେ ଯେତିକି ପ୍ରେମ ସେତିକି କ୍ଷୋଭ, ଯେତିକି ପ୍ରତିବାଦ ସେତିକି ଭଲପାଇବା । ସେ କେବଳ କବିତା ଲେଖିନାହାଁନ୍ତି ସେ ନାଟକ, ଗଳ୍ପ, ଉପନ୍ୟାସ, ଶିଶୁ ସାହିତ୍ୟ, ଆଲୋଚନା ଆଦି ସାହିତ୍ୟର ପ୍ରତ୍ୟକଟି ଦିଗରେ କଲମ ଚଳାଇ ସଫଳତା ଅର୍ଜନ କରିଛନ୍ତି । ପ୍ରସନ୍ନ ମିଶ୍ରଙ୍କୁ ଯେତିକି ପଢିବ ସେତିକି ଆବିଷ୍କାର କରିବ” ବୋଲି କହିଛନ୍ତି କେଦାର ମିଶ୍ର ।
ଏହି କାର୍ଯ୍ୟକ୍ରମର ଆରମ୍ଭରେ ପ୍ରସନ୍ନ ମୀଶ୍ରଙ୍କ କନ୍ୟା ତଥା ପ୍ରାଚୀତାରା ତାଙ୍କର ଲଘୁଗପ ଉପସ୍ଥାପନା କରିଥିଲେ । କାର୍ଯ୍ୟକ୍ରମରେ ପ୍ରସନ୍ନ ମିଶ୍ରଙ୍କ କବିତା ପାଠ କରିଥିଲେ ମିହିର ସାହୁ, ସୁରେଶ ନାୟକ, ଉପସିତା ଷଡଙ୍ଗୀ, ଶୁଭଶ୍ରୀ ଶୁଭସ୍ମିତା ମିଶ୍ର, ଇନ୍ଦିରା ଦତ୍ତ ଓ ମନୋରଞ୍ଜନ ପ୍ରଧାନ । ଅନ୍ୟମାନଙ୍କ ମଧ୍ୟରେ ସବିତା ପ୍ରଧାନ, ରଞ୍ଜନ ଦାସ୍, ହିଂମାଶୁ ମହାପାତ୍ର, ସରୋଜିନି ସାହୁ, ଗୋଲାପ ମଞ୍ଜରୀ କର ଆଦି ଯୋଗ ଦେଇଥିଲେ ।
Comments are closed.