ନୂଆଦିଲ୍ଲୀ: ଫିଲିପାଇନ୍ସରେ ଟାଇଫୁନ୍ କଲମାଏଗି ରଚିଲା ତାଣ୍ଡବ । ଅନେକ ଜୀବନ ଏବଂ ସମ୍ପତ୍ତିର ବହୁତ କ୍ଷତି ଘଟିଛି । ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ପବନ ବହି ଘର ଭାଙ୍ଗି ଦେଇଛି। ଏହି ଟାଇଫୁନ୍ ଏପର୍ଯ୍ୟନ୍ତ ୨୪୧ ଜଣଙ୍କ ଜୀବନ ନେଇସାରିଛି ଓ ଅନେକ ନିଖୋଜ ଅଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଫିଲିପାଇନ୍ସ ରାଷ୍ଟ୍ରପତି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଝଡ଼ ଯୋଗୁଁ ଅନେକ ଲୋକ ଏପର୍ଯ୍ୟନ୍ତ ସାହାଯ୍ୟ ପାଇ ନାହାଁନ୍ତି।
ଫିଲିପାଇନ୍ସର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ପ୍ରଦେଶ ସେବୁରେ ବନ୍ୟା ଜଳ କମିବା ପରେ ଧ୍ୱଂସାବଶେଷର ଦୃଶ୍ୟ ସ୍ପଷ୍ଟ ହୋଇଛି, ଘର ଭାଙ୍ଗି ପଡ଼ିଥିବା, ଯାନବାହାନ ଓଲଟି ପଡ଼ିଥିବା ଏବଂ ରାସ୍ତାଗୁଡ଼ିକରେ ଭଗ୍ନାବଶେଷ ପଡିଥିବା ଦେଖିବାକୁ ମିଳିଛି ।
ସେପ୍ଟେମ୍ବର ୩୦ ତାରିଖରେ ହୋଇଥିବା ୬.୯ ତୀବ୍ରତାର ଭୂମିକମ୍ପ ସେବୁ ସହରରେ ହୋଇଥିଲା , ଯେଉଁଥିରେ ଅତି କମରେ ୭୯ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ହଜାର ହଜାର ଲୋକ ବାସଚ୍ୟୁତ ହୋଇଥିଲେ।
ଗୁରୁବାର ଦିନ ବିପର୍ଯ୍ୟୟ ସଂସ୍ଥା କହିଛି ଯେ, କେନ୍ଦ୍ରୀୟ ଅଞ୍ଚଳରେ ତାଣ୍ଡବ ସୃଷ୍ଟି କରିଥିବା ଏହି ଝଡ଼ ଭିଏତନାମ ଆଡକୁ ମୁହାଁଇ ପୁନର୍ବାର ଶକ୍ତି ହାସଲ କରିଛି। ଭିଏତନାମର ଜିୟା ଲାଇ ପ୍ରଦେଶରେ କର୍ତ୍ତୃପକ୍ଷ ପ୍ରବଳ ବର୍ଷା ଏବଂ ଝଡ ପବନ ବିଷୟରେ ଚେତାବନୀ ଦେଇଛନ୍ତି ଯାହା ତଳିଆ ଅଞ୍ଚଳରେ ବନ୍ୟା ସୃଷ୍ଟି କରିପାରେ ଏବଂ କୃଷି କାର୍ଯ୍ୟକଳାପକୁ ବାଧା ଦେଇପାରେ।
ଭିଏତନାମର ବିମାନ ଚଳାଚଳ କର୍ତ୍ତୃପକ୍ଷ କହିଛନ୍ତି ଯେ ଦା ନାଙ୍ଗ ଅନ୍ତର୍ଜାତୀୟ ବିମାନବନ୍ଦର ସମେତ ଆଠଟି ବିମାନବନ୍ଦରର କାର୍ଯ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି।
Comments are closed.