Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୦୩

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶକ୍ତି ସ୍ୱରୂପିଣୀ ମା ବିମଳାଙ୍କର ସ୍ୱତନ୍ତ୍ର ପୂଜା ଶ୍ରୀମନ୍ଦିର ମଧ୍ୟରେ ଚାଲିଛି। ମହାଷ୍ଟମୀ ତିଥିକୁ ବିଚାର କଲେ ଏହା ଶକ୍ତି ଉପାସନାର ଏକ ମୁଖ୍ୟ ଦିନ ଭାବରେ ବିଚାର କରାଯାଏ। ମୁଁ ଆଗରୁ କହିଛି ମାତୃ ଶକ୍ତିର ଉପାସନା ମନ୍ତ୍ର, ତନ୍ତ୍ର ତଥା ଯନ୍ତ୍ର ସାହାଯ୍ୟରେ କରାଯାଏ । ଆଜିର ଦିନରେ ମନ୍ତ୍ର ଓ ତନ୍ତ୍ରର ବିଶେଷ ପ୍ରଭାବ ଦେଖିବାକୁ ମିଳେ। ମନ୍ତ୍ର କଥା ଅଳ୍ପ ବହୁତରେ ସମସ୍ତେ ଜାଣନ୍ତି। କିନ୍ତୁ ତନ୍ତ୍ର କଥା କେବଳ ଜଣେ ସାଧକ ହିଁ ଜାଣିଥାନ୍ତି। ଆମ ସାଧାରଣରେ ତନ୍ତ୍ର ପ୍ରତି ଏକ ପ୍ରଛନ୍ନ ଭୟ ଭାବ ଥାଏ। କିନ୍ତୁ ଶାସ୍ତ୍ର କହେ ଯାହା ସାଧକକୁ ତ୍ରାଣକରେ ବା ରକ୍ଷା କରେ ତାହା ତନ୍ତ୍ର “ତନ୍ୟତେ ବିସ୍ତାଯ୍ୟତେ ଜ୍ଞାନମନେନ ଇତି ତନ୍ତ୍ରମ “ଆଉ ଏକ ସିଦ୍ଧାନ୍ତ “ଶୈବ ସିଦ୍ଧାନ୍ତ ଅନୁସାରେ “ତନୋତି ବିପୁଳlନଥ୍ରାନ ତନ୍ତ୍ର ମନ୍ତ୍ର ସମନ୍ୱିତାନ, ତ୍ରାଣଂ ଚ କୁରୁତେ ଯସ୍ମାତ ତନ୍ତ୍ର ଇତ୍ୟାଭିଧିୟତେ “(କାମିକ ଆଗମ )।

ଏଠାରେ ମଧ୍ୟ ସାଧକର ଉନ୍ନତି ସାଧିତ ହୁଏ। କାରଣ ତତ୍ତ୍ୱ ଓ ମନ୍ତ୍ର ସମନ୍ୱିତ ଏହି ତନ୍ତ୍ରଶାସ୍ତ୍ର ଦ୍ୱାରା ଜ୍ଞାନର ବିକାଶ ସାଧିତ ହୁଏ।
ପରଂବ୍ରହ୍ମଙ୍କୁ ନିରାକାର ଓ ସୁକ୍ଷ୍ମ ବିଚାର କଲେ ତାଙ୍କର ସାକାର ଓ ସ୍ଥୁଳ ସତ୍ତା ହିଁ ଶକ୍ତି ସ୍ୱରୂପ। ଏହି ଶକ୍ତି ହିଁ ସୃଷ୍ଟି ଓ ପାଳନର ମୁଖ୍ୟ ଭାବରେ ବିବେଚିତ ହୁଅନ୍ତି। ନିରାକାର ଉପାସନା କେବଳ ଭକ୍ତି ଦ୍ୱାରା ସମ୍ଭବ। କିନ୍ତୁ ସଂସାରର ସ୍ପନ୍ଦନ, ପ୍ରାଣ ଶକ୍ତି ର ଉପାସନା ପାଇଁ ଉଭୟ ମନ୍ତ୍ର ଓ ତନ୍ତ୍ର ପ୍ରୟୋଗ ଏକାନ୍ତ ଆବଶ୍ୟକ। ତନ୍ତ୍ର ଏକ ଭୟପ୍ରଦ ଶାସ୍ତ୍ର ନୁହେଁ ଅବଶ୍ୟ ବିଭିନ୍ନ ଭାବରେ ଏହାର ବ୍ୟବହାର କରାଯାଉ ଥିବାରୁ ମଣିଷ ମନରେ ଶଙ୍କା ଓ ଭୟ ଜାତ ହୁଏ। ମୁଖ୍ୟତଃ ତନ୍ତ୍ର ଦୁଇଟି ଭେଦ ରେ ପ୍ରୟୋଗ ହୁଏ।  କୌଳାଚାର ଓ ସମୟlଚାର।
ଶକ୍ତିଙ୍କର ଦୁଇଟି କୂଳ ମଧ୍ୟ ବିବେଚନା କରାଯାଏ। ଯଥା: କାଳୀକୂଳ ଓ ଶ୍ରୀକୁଳ

ଏଥିରୁ ଆପଣଙ୍କ ଅନୁମାନ ନିଶ୍ଚୟ ହେଉଥିବ ଯେ ଯେଉଁମାନେ କାଳୀ କୂଳକୁ ନିଜର ମୁଖ୍ୟ ଉପାସିତ ଶକ୍ତି ରୂପେ ଗ୍ରହଣ କରିଛନ୍ତି । ସେମାନେ କୁଳାଚାରି ଓ ଯେଉଁମାନେ ଶ୍ରୀକୁଳକୁ ନିଜ ଉପାସିତ ଶକ୍ତି ରୂପେ ବିବେଚନା କରିଛନ୍ତି । କାଳୀ କୂଳ ପାଇଁ ତନ୍ତ୍ରର ଉଗ୍ର ସାଧନା ଓ ଶ୍ରୀକୁଳ ପାଇଁ ତନ୍ତ୍ରରେ ନମ୍ର ସାଧନା ପ୍ରଯୁଜ୍ୟ। ଏମିତି ବି ଅନେକ ସାଧକ ଅଛନ୍ତି ଯାହାଙ୍କ ଅନ୍ତରରେ ଶାକ୍ତ ଚିନ୍ତନ, ବାହ୍ୟରେ ଶୈବ ଚିନ୍ତନ ଓ ସର୍ବସାଧାରଣ ଚିନ୍ତନ ସମୟରେ ବୈଷ୍ଣବ ମତ ପ୍ରକ୍ଷେପଣ କରିଥାନ୍ତି।

” ଅନ୍ତଃ କୌଳେ ବହିଃ ଶୈବାଃ ସଭାମଧ୍ୟେ ଚ ବୈଷ୍ଣବାଃ, କୌଳଂ ସୁଗୋପୟେତ ବେଦି ନାରିକେଳ ଫଳାମ୍ବୁବତ (କୁଳାଣ୍ଣବ ତନ୍ତ୍ର )।

ତେଣୁ ସମସ୍ତ ସିଦ୍ଧି ପ୍ରଦାନ କାରି, କାମନା ପୂର୍ଣ୍ଣକାରି, ମୁକ୍ତି ପ୍ରଦାନକାରି ତନ୍ତ୍ର କୁ ଆମେ ଯୋଗମାୟା ଶକ୍ତି ଉପାସନାର ଅଙ୍ଗ ବୋଲି ବିବେଚନା କରିବା। ସୃଷ୍ଟି ର ସ୍ପନ୍ଦନ ବା ଜୀବନ ହିଁ ଶକ୍ତି ସ୍ୱରୂପିଣୀ ମା ଯୋଗମାୟା, ସେ ଯେଉଁ ରୂପରେ ଅବ୍ରିଭୁତା ହୁଅନ୍ତୁ। ଯେଉଁ ରୂପରେ ପୂଜିତ ହୁଅନ୍ତୁ। ସର୍ବଦା ମାତୃ ସ୍ୱରୂପା ଓ କଲ୍ୟାଣକାରି ତନ୍ତ୍ରର ପଞ୍ଚମକାର ପୂଜା ଅନୁସାରେ ଆଜି ରାତ୍ରିରେ ବଳି ଗ୍ରହଣ କରୁଥିବା ମା କେବେ କାହାର ବିନାଶ ଚାହlନ୍ତିନି। ମୁଖ୍ୟତଃ ସୃଷ୍ଟି ଓ ପାଳନ ପାଇଁ ତାଙ୍କର ଏ ସାକାର ରୂପକୁ ଆରାଧନା କରିବା “ଆଦ୍ୟା ଦେବୀ ପରତ୍ପରl ଭଗବତୀ ମାତା କୃପାସାଗରୀ, ବ୍ରହ୍ମlନଂଦ ପ୍ରଦାୟିନୀ ହର ବଧୂ ଷଢଚକ୍ର ଚକ୍ରେଶ୍ୱରୀ, ମାୟା ମୋହମାୟୀ ଜନୋଦୟକlରି ବ୍ରହ୍ମlଣ୍ଡ ଭଣ୍ଡୋଦରି, ତ୍ରାହିମାଂ ବିମଳେ ସଦା ସୁଖକରି ଶ୍ରୀକ୍ଷେତ୍ରେ ରାଜେଶ୍ୱରୀ “

(ଶ୍ରୀ ଶ୍ରୀ ବିମଳାଷ୍ଟକମ ), ଜୟ ମା ବିମଳା, ଜୟ ଜଗନ୍ନାଥ. (ଦ. ତ୍ରୀ. ଉବାଚ )

Comments are closed.