Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୧୦

ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶକ୍ତି ମା ଯୋଗମାୟାଙ୍କ ବିଷୟରେ ଆଲୋଚନା ସମୟରେ ଆମେ ଶ୍ରୀକ୍ଷେତ୍ରରେ ମା ବିମଳାଙ୍କୁ ଭୈରବୀ ଓ ଶ୍ରୀଜଗନ୍ନାଥଙ୍କୁ ଭୈରବ ଭାବରେ ବର୍ଣନା କଲେ। ଏହା ଶାକ୍ତ ମତକୁ ପ୍ରାଧାନ୍ୟ ଦେଇ ଥାଏ। ଯଦି ବୈଷ୍ଣବ ମତକୁ ପ୍ରାଧାନ୍ୟ ଦେବା ତେବେ ଶ୍ରୀ (ମହାଲକ୍ଷ୍ମୀ )ଙ୍କୁ ପରମl ପରାଶକ୍ତି ଭାବରେ ପ୍ରାଧାନ୍ୟ ଦେବା ।

ଏଭଳି ଭାବରେ ଶ୍ରୀଚକ୍ର ଓ ଭୈରବୀ ଚକ୍ର ଉପାସନା ବିଭିନ୍ନ ସମ୍ପ୍ରଦାୟ ଦ୍ୱାରା ପୃଥକ ପୃଥକ ଭାବରେ ହେଉଥିଲେ ମଧ୍ୟ ତତ୍ତ୍ୱତଃ ଉଭୟ ଅଭିନ୍ନ ଓ ଏକ ଭାବର ପରିଚାୟକ ଶାସ୍ତ୍ର କହେ : “ଶ୍ରୀପାତ୍ରେ ସ୍ଥାପିତେ ତତ୍ର ସର୍ବେବର୍ଣା ଦ୍ବିଜାତ୍ୱୟଃ, ବିସର୍ଜିତେତୁ ଶ୍ରୀପାତ୍ରେ ସର୍ବେବର୍ଣା ପୃଥକ ପୃଥକ ।” ଅର୍ଥାତ ଦୁଇଟି ତତ୍ତ୍ୱ ପରି ଲାଗୁଥିବା ଶ୍ରୀଚକ୍ର ଓ ଭୈରବୀ ଚକ୍ର ଉପାସନା କ୍ଷେତ୍ର ବିଶେଷରେ ପୃଥକ ହେଲେ ମଧ୍ୟ ପରମାତ୍ମା ତତ୍ତ୍ୱ ଅନୁସାରେ ଉଭୟ ଏକ ଓ ଅଭିନ୍ନ। ଏଠାରେ ବେଦ ମତ ଓ ତନ୍ତ୍ର ମତ ଉଭୟ ସମାନ, ଯଥା “ପ୍ରବୃତ୍ତେ ଭୈରବୀ ଚକ୍ରେ ସର୍ବେବର୍ଣା ଦ୍ବିଜାତୟଃ, ନିବୃତ୍ତେ ଭୈରବୀ ଚକ୍ରେ, ସର୍ବେ ବର୍ଣା ପୃଥକ ପୃଥକ ।” ଏହି ଦୁଇଟି ଶ୍ଳୋକର ଏକ ଅନ୍ୟ ଅର୍ଥ ମଧ୍ୟ କରାଯାଇଥାଏ। ଯେପରି ଭୈରବୀ ଚେତନାର ପ୍ରବେଶ ଘଟିବା ମାତ୍ରେ, ସମସ୍ତ ଜାତି ବର୍ଣ୍ଣ ଦ୍ୱେଷ ଜନିତ ବୈଷମ ଦୂର ହୋଇ ଯାଏ। ସାଧକର ବ୍ରହ୍ମ ଭାବ ଜାଗ୍ରତ ହୋଇ ସର୍ବ ଘଟରେ ବ୍ରହ୍ମ ଦର୍ଶନ ହୁଏ। ଏହି ଚୈତନ୍ୟର ଐକ୍ୟ ଭୁତାବସ୍ଥାରୁ ବାହାରି ଗଲେ ପୁଣି ଜଗତିକ ବୈଷମ୍ୟ ଚେତନାକୁ ଆବୋରି ନିଏ। ଦୁଇଟି ଯାକ ଶ୍ଳୋକର ଇଙ୍ଗିତ ଅନୁଭବ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ମଧ୍ୟରେ ଅନୁଭୂତ ହେଉଥିବାରୁ ଏଠାରେ ଚlଣ୍ଡାଳ ବ୍ରlହ୍ମଣ ସମସ୍ତେ ଏକ ବିବେଚିତ ହୁଅନ୍ତି।

ବିଶେଷତଃ ଲଷ୍ମୀ ପୁରାଣରେ ଏହାର ବର୍ଣ୍ଣନା ସ୍ପଷ୍ଟ ଦୃଶ୍ୟମାନ ହୁଏ।ସେହି ଭଳି ବୈଷ୍ଣବ ମତରେ ଯିଏ ଲଷ୍ମୀ, ଶାକ୍ତ ମତରେ ସେ ଭୈରବୀ (ଆଦି ଶକ୍ତି ମା ମହାମାୟା )
ଙ୍କ ବିଭିନ୍ନ ସ୍ୱରୂପ, କିନ୍ତୁ ତତ୍ତ୍ୱତଃ ଏକ ଓ ଅଭିନ୍ନ। ଅତଏବ ଶ୍ରୀଜଗନ୍ନାଥ ବୈଷ୍ଣବ ମତରେ ମାଧବ, ଓ ତନ୍ତ୍ର ମତରେ ଭୈରବ ଭାବରେ ଆଖ୍ୟାୟିତ ହୁଅନ୍ତି। ଶ୍ରୀଚକ୍ର ବା ଭୈରବୀ ଚକ୍ର ରୂପୀ କ୍ଷେତ୍ର ମଧ୍ୟରେ କ୍ଷେତ୍ରଜ୍ଞ ଭାବ ଧାରଣ କରି ପରଂବ୍ରହ୍ମ ଶ୍ରୀଜଗନ୍ନାଥ ହିଁ ସର୍ବ ଚେତନାର ଆରାଧ୍ୟ ଓ ସାମ୍ୟବାଦ ଚେତନା ର ଏକ ମୂର୍ତ୍ତିମନ୍ତ ପ୍ରତୀକ। ଏହି ଚେତନାର ବିଶେଷ ଆଲୋଚନା ଉଭୟ ଲୌକିକ ଓ ଅଲୌକିକ ତତ୍ତ୍ୱରେ ଆଗାମୀ ସମୟରେ ଆଲୋଚିତ ହେବ, ବର୍ତ୍ତମାନ ଆରାଧନାର ସମୟ
“ନମସ୍ତୁଭ୍ୟଂ ଭଗବତେ ପୁରୁଷlୟ ମହିୟସେ, ସର୍ବଭୂତ ନିବାସାୟ ବାସୁଦେବାୟ ସାକ୍ଷୀଣେ, ନମୋ ଅବ୍ୟକ୍ତାୟ ସକ୍ଷ୍ମlୟ ପ୍ରଧାନ ପୁରୁଷlୟ ଚ, ଚତୁବିଂଶଦ ଗୁଣ ଜ୍ଞାୟ ଗୁଣ ସଂଖ୍ୟାନ ହେତବେ “(ଭାଗବତ )ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )

Comments are closed.