Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୪୫

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଅବତାରୀ ଶ୍ରୀଜଗନ୍ନାଥଙ୍କ ପୂର୍ଣ୍ଣ ଅବତାର ଶ୍ରୀକୃଷ୍ଣ ପ୍ରଥମେ ବିଭିନ୍ନ ଭାବର ପରିପ୍ରକାଶ ଘଟାଇ ନିଜର ମାଧୁର୍ଯ୍ୟ ଲୀଳାରେ ଅବତୀର୍ଣ ହୋଇଥିଲେ । ଏହି ଭାବ ଗୁଡିକ ମଧ୍ୟରେ, ସlଖ୍ୟଭାବ, ଦାସ୍ୟଭାବ, ବାଛଲ୍ୟଭାବ, କାନ୍ତାଭାବ, ସଖିଭାବ ଇତ୍ୟାଦି ମୁଖ୍ୟ । ଏହାପରେ ଦ୍ୱାରିକାଧୀଶ ଭାବରେ ଦ୍ୱାରିକାଲୀଳା ବା ମାନବୀୟ ଲୀଳା ମଧ୍ୟ ଶ୍ରୀକୃଷ୍ଣଙ୍କ ଏକ ବିଶେଷତ୍ୱ । ଏହି ସମୟରେ ତାଙ୍କର କୁଟନୀତି, ରାଜନୀତି ସର୍ବୋପରି ସାଂସାରିକ ନୀତି ବିଶେଷ ଭାବରେ ଆଲୋଚିତ। ପରମ ସତ୍ଵିକ ପ୍ରେମର ପ୍ରଚାର ପାଇଁ ଶ୍ରୀକୃଷ୍ଣ ଙ୍କ ରାସଲୀଳା ଯଗଜନ ବିଦିତ. ତେଣୁ ଲୀଳାମୟ ଶ୍ରୀଜଗନ୍ନାଥ (ପରମ ପୁରୁଷ ପରଂବ୍ରହ୍ମ )ସ୍ୱୟଂ ଶ୍ରୀକୃଷ୍ଣଙ୍କୁ ପ୍ରଭୁ ପଣ ପ୍ରଦାନ କରି ସମସ୍ତ ଲୀଳାର ଲୀଳାମୟ ପୁରୁଷ ଭାବରେ ଜଗତରେ ବିଖ୍ୟାତ କରାଇଲେ ବୋଲି କବି ଦନାଇ ଦାସ ତାଙ୍କ ରଚିତ ଗୋପୀ ଭାଷାରେ ବର୍ଣ୍ଣନା କଲେ :

“ଜଗନ୍ନାଥ ତାହାଙ୍କୁ ବଡ଼ କଲେ 
ପ୍ରଭୁ ପଣ ହିଁ ତାଙ୍କ ହସ୍ତେ ଦେଲେ “

କବି ଜଗନ୍ନାଥ ଦାସ ନିଜ “ତୁଳାଭିଣl”କାବ୍ୟରେ ପ୍ରଭୁ ଶ୍ରୀକୃଷ୍ଣ ଙ୍କୁ ମଣିଷର ଶରୀର ତତ୍ତ୍ୱରେ ଅବତୀର୍ଣ କରାଇଛନ୍ତି । ତାଙ୍କ ମତରେ ମହାଶୂନ୍ୟ ହେଲା ମଥୁରା, ସମଗ୍ର ଶରୀର ହେଲା ଦେହ, ଶରୀରରେ ଥିବା ନାସିକା ହେଲା ବୃନ୍ଦାବନ, ସ୍ୱାଭାବିକ ଭାବରେ ଏ ଦେହ ମଧ୍ୟରେ ଥିବା ଆତ୍ମା ହିଁ ଶ୍ରୀକୃଷ୍ଣ । ଆମର ଶ୍ୱାସ ପ୍ରଶ୍ୱାସ ହେଲା ରାଧା -କୃଷ୍ଣ ଲୀଳା, ଚଞ୍ଚଳ ମନ କଂସ ରୂପୀ, କାମ କ୍ରୋଧ ଇତ୍ୟାଦି ବିକାର ଗୁଡିକ ଅଷ୍ଟମଲ୍ଲ ଯଥା :

“ଏ ଦେହଟି ଗୋପବୋଲି, କୃଷ୍ଣ କରନ୍ତି ଏଥି କେଳି କେଳି ସାରିଣ କୃଷ୍ଣ ଯିବେ, ମଥୁରା ପୁରରେ ରହିବେ । “

* * * * * *
ମନଟି କଂସ ରାଜା ଜାଣ, ପରମ କୃଷ୍ଣଟି ପ୍ରମାଣ ।                                                                                  ଏ କାମ କ୍ରୋଧ ହୋଇ ଠୁଳ, ଏହାକୁ ବୋଲି ଅଷ୍ଟମଲ୍ଲ ।
ଏହାକୁ କୃଷ୍ଣ ନାଶ କରି, ମନ କଂସ କୁ ଏ ସଂହାରି ।

ତେଣୁ ପରମ କାରୁଣିକ ଶ୍ରୀଜଗନ୍ନାଥ ସଂସାରକୁ ବିଭିନ୍ନ ଭାବରେ ବାନ୍ଧି, ପ୍ରତ୍ୟେକ ଅବତାର ପୁରୁଷ ମାନଙ୍କୁ ସ୍ୱ ସ୍ୱ ଲୀଳା ରେ ମହୀୟାନ କରିଛନ୍ତି

ସମସ୍ତ ଲୀଳା ସମସ୍ତ କ୍ଷେତ୍ର କୁ ଗୋଟିଏ କ୍ଷେତ୍ର ମଧ୍ୟରେ ସୂଚିତ କରି ପରମ ପାବନ ଶ୍ରୀକ୍ଷେତ୍ର ରେ ସ୍ୱୟଂ ଲୀଳା କରୁଛନ୍ତି କବି ଯଶୋବନ୍ତ ଦାସ ଙ୍କ “ପ୍ରେମଭକ୍ତି ବ୍ରହ୍ମ -ଗୀତା “କହେ ”
ଦେଖ ଏ ନିତ୍ୟ ନୀଳାଚଳ, ସକଳ ତୀର୍ଥଙ୍କର ଆଳ ।
ଗୋପ ମଥୁରା ବୃନ୍ଦାବନ, ଦ୍ୱାରିକା ଆଦି ଯେତେ ସ୍ଥାନ ।
ସକଳେ ଏହି ସ୍ଥାନେ ପାଇ, ଆବର କାଶୀ ମଧ୍ୟ ହୋଇ ।
କୋଟିଏ ତୀର୍ଥ ଏ କ୍ଷେତ୍ରରେ, ମହିମା କହିଲେ ନସରେ ।

ଜୟ ଜଗନ୍ନାଥ

Comments are closed.