Latest Odisha News

BREAKING NEWS

କବିତା : ଡାକ ବଙ୍ଗଳା

ଶ୍ରୀନିବାସ ସେଠୀ 

ମୋର ଏ ଡାକ ବଙ୍ଗଳାକୁ
ଆସିବାଟା ଆଜି କେତେ ଦିନ ହୋଇଗଲାଣି ,
ମୋର ଏଇମିତି କୁଆଡେ ଚାଲିଯିବାଟା ନେଇ
କେହି ଆଉ ଏବେ ବିଳାପ କରୁନି ।

ପକ୍ଷୀମାନେ କ’ଣ କାନ୍ଦି ପାରନ୍ତି ?
ମୁଁ ଛାଡି ଆସିଥିବା ମୋ ଘରର କାର୍ଣ୍ଣିସରେ
ସେ ଦିନ ଆସିବା ସମୟରେ ଲୁହ ଡବ ଡବ ଆଖିରେ
କେମିତି ତେବେ ତା ଥଣ୍ଟରୁ ଖସି ପଡିଥିଲା ଗୋଟିଏ ଶସ୍ୟଦାନା ।
ସେ ଦାନାଟିଏ ଏବେ ଛୋଟ ଗଛ ‌ହୋଇ ବଢିଲାଣି ।
ପକ୍ଷୀମାନଙ୍କୁ କେହି ଯେମିତି ବୁଝାଇ ଦେଇଛି
ମାଟିରେ ହାତ ମୁଠାରୁ ବୁଣି ପଡ଼ିଥିବା ଶସ୍ୟ ଭିତରେ
ଚିହ୍ନା ଚିହ୍ନା ହାତର ଚିହ୍ନ ପବନ ଦିନେ ଲିଭାଇ ଦିଏ ବୋଲି ।

ମୋ କାଳି ଗାଈ…
ଯିଏ କେବଳ ମୋ ହାତରୁ ପାଣି ପିଇବା ପାଇଁ
ନଦୀ ଘାଟରୁ ପାଣି ନ ପିଇ ଫେରିଆସେ ନିତି ନିତି ଘରକୁ ,
ସେହି ବାଙ୍ଗିରି ଗାଈ
ତା ପ୍ରଥମ ‌ଛୁଆଟିକୁ ଜନ୍ମ କରି ନପାରି
ବଡ ବିକଳରେ ‌ଚାହିଥିଲା ମୋ ମୁହଁ ଆଡ଼କୁ ;
ମୁଁ ଦୌଡ଼ି ଯାଇ ଡାକି ଆଣିଥିଲି ସେ ପଶୁ ଡାକ୍ତର‌ ଦାସ ବାବୁଙ୍କୁ ।
ଏବେ ହୃଷ୍ଟ ପୃଷ୍ଟ ହେଲାଣି ତା ଛୁଆ ।
ମୁଁ ଫେରି ଆସିବା ପରେ
ସେ ଚିହ୍ନି ନେଇଛି ନଈ ଘାଟକୁ ରାସ୍ତା‌,
ସେଇ ଘାଟରୁ ପାଣି ପିଇ ଫେରେ ,
ଦିନେ ନଈ ବାଙ୍କରେ ଖୋଜି ପାଇଲା ମୋ ପାଦ ଚିହ୍ନ
ନଈ ଘାଟରୁ ଲମ୍ବି ଲମ୍ବି ଯାଇଛି ମୋ ପାଦ ଆକାଶ ଆଡେ ।
ଏଡିକି ସେ ‌ଅମାନୋଇ
ସେଇଠୁ ନଈ ବାଙ୍କରୁ ଆଉ ସେ କେବେ ଫେରିଲା ‌ନାହିଁ ।

ସେଇ ଯେ ମୋ‌‌ ପତ୍ନୀ
ତତଲା ତାଓ୍ବାରେ ରୁଟି ଗୋଟିଏ ଫୁଲିଲା ନାହିଁ ବୋଲି
ବଡ ଆକୁଳରେ ଝରାଇଦେଲା ଟୋପାଏ ଲୁହ
ମୋ‌ ଦକ୍ଷିଣ ପାପୁଲିରେ ,
ଭିଜା ଭିଜା ସ୍ବରରେ କହି ପକାଇଲା ,
” ତୁମେ , ରାଗିବନି ତ ଆଜି ଗୋଟିଏ ରୁଟି ଫୁଲିଲାନି ବୋଲି ”
ମୁଁ ମୋ ପାପୁଲିରେ ଝରିପଡିଥିବା ଲୁହକୁ
ଓଠରେ ମହୁପରି ପିଇ ଦେଇ କହିଥିଲି ,
” ଦୂର୍ ପାଗଳି ! ଏଇ ଅଳିକ ଜୀବନ ଆମେ ଭଲ ପାଇଛୁ
କେତେ ଛୋଟ ଛୋଟ ଖୁସି ସାଉଁଟି
ସବୁ ବେଳେ କ’ଣ ଫୁଲିଵ ଏକାଭଳି ରୁଟି ? ”
ମୁଁ ଫେରି ଆସିଲା ପରେ ସେ ଚାହିଁ ରହିଥିଲା
କେତେ ଦିନ କେତେ ମାସ ଧରି ଶୂନ୍ୟ ଆକାଶ ଆଡେ
ଏବେ ଆକାଶରେ ଦେଖି ପାରିଛି ଆଉ ଗୋଟିଏ ତାରା ଗଣି ,
ଆଉ ଓଦା ହୁଏନାହିଁ ତା ପଣତର କାନି ।

ରେଲ୍ ମିନାର, ଜଜେଶ କୋର୍ଟ ରୋଡ, କଲିକତା
ମୋବାଇଲ- ୯୦୦୨୦୨୦୬୦୪

Leave A Reply

Your email address will not be published.