Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୯୭ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆମେ ଶକ୍ତି ସ୍ୱରୂପିଣୀ ଦକ୍ଷିଣକାଳିକା ରୂପେ ବର୍ଣ୍ଣିତହୋଇ ଥିବାର ଜାଣିଲେ । ସାଧାରଣତଃ ଶ୍ରୀଜଗନ୍ନାଥ ଯେ ପୁରୁଷୋତ୍ତମସ୍ୱରୂପ ପରମ ପୁରୁଷ ଏହା ସର୍ବତଃ ବର୍ଣ୍ଣିତ ହୋଇଛି । ଯେପରି ମହାପୁରୁଷବିଦ୍ୟା କହେ “ଦାରୁ ଦେହଧରୋ ବିଷ୍ଣୁରାସ୍ତେ ପରମପୁରୁଷ ।” ସେହିପରି ମହାଭାରତ ଶାନ୍ତିପର୍ବରେ ବର୍ଣ୍ଣିତ ହୋଇଛି ।

“ଅବ୍ୟକ୍ତଂ ପୁରୁଷେ ବ୍ରହ୍ମନ ନିଷ୍କ୍ରିୟେ ସମ୍ପ୍ରଳୀୟତେ, ନାସ୍ତି ତସ୍ମାତ ପରତର ପୁରୁଷତ ବୈ ସନାତନତ
ନିତ୍ୟଂ ହି ନାସ୍ତିଜଗତି ଭୁତଂ ସ୍ଥାବରଜଙ୍ଗମମ୍, ଇତେ ତମେକଂ ପୁରୁଷଂ ବାସୁଦେବଂ ସନାତନମ ।”

ଅର୍ଥାତ ଅବ୍ୟକ୍ତ ନିଷ୍କ୍ରିୟ ପୁରୁଷରେ ଲୟ କର, ସେହି ସନାତନ ପୁରୁଷରୁ ଉର୍ଦ୍ୱରେ ଦ୍ଵିତୀୟ କେହି ନାହାନ୍ତି । ସଂସାରେ ସେହି ଏକମାତ୍ର ପୁରୁଷ ଶ୍ରୀଜଗନ୍ନାଥ (ବାସୁଦେବ )ଙ୍କୁ ଛାଡିଦେଲେ ଅନ୍ୟ କେହି ଚିରନ୍ତନ ନୁହନ୍ତି । ସ୍ଥାବର ଜଙ୍ଗମ ମଧ୍ୟ କ୍ଷଣଭଙ୍ଗୁର, ଜୀବ ମରଣଶୀଲ, କେବଳ ଓ କେବଳ ବାସୁଦେବ ହିଁ ସନାତନ, ଶାଶ୍ୱତ, ଚିରନ୍ତନ ଓ କାଳାତିତ । ଯଦି ପରଂବ୍ରହ୍ମ ଶ୍ରୀଜଗନ୍ନାଥ ପରମ ପୁରୁଷ, ଚିରନ୍ତନ ଓ ସନାତନ, ତେବେ ପୁଣି ଆମେ କାହିଁକି ତାଙ୍କଠାରେ ଶକ୍ତିର ସ୍ୱରୂପକୁ ଆରୋପିତ କରୁଛେ? ଏହାର ମୂଳ କାରଣ ହେଲା ନିର୍ଗୁଣ ନିରାକାର ପରଂବ୍ରହ୍ମ, ସଗୁଣ ସାକାର ହୋଇ ଯେହେତୁ ବହୁ ହେବାର ଅଭିଳାଷ କରି ସୃଷ୍ଟି ରଚନା କଲେ, ସେତେବେଳେ ପ୍ରକୃତି ଓ ପୁରୁଷ ଉଭୟ ତତ୍ତ୍ୱର ଅବତାରଣା କରିବାକୁ ପଡିଲା ।ତେଣୁ ଉଭୟ ତତ୍ତ୍ୱକୁ ସୃଷ୍ଟି ଆରମ୍ଭରେ ନିଜଠାରେ ହିଁ ବ୍ୟକ୍ତ କରାଇଥିଲେ ।

ସୃଷ୍ଟି ପ୍ରକ୍ରିୟାର ଯନ୍ତ୍ରକୁ ଉଭୟ ପ୍ରକୃତି (ଭୈରବି )ଓ ପୁରୁଷ (ଭୈରବ )ଭାବରେ ବିବେଚନା କରାଯାଇଛି ।ପୁରୁଷୋତ୍ତମ ମହାତ୍ମ୍ୟରେ ଏହାର ସୁନ୍ଦର ବର୍ଣ୍ଣନା ଅଛି ।

“ତ୍ବଂ ମାତା ଜଗତାଂ ଦେବୀ ପିତା ନାରାୟଣ ହି ଶଃ, ସ୍ତ୍ରୀରୂପଂ ସର୍ବମେବ ତ୍ବଂ ପୁରୁଷୋଜଗଦୀଶ୍ୱର ।”

ଏଥିରୁ ସ୍ପଷ୍ଟ ହୁଏ ପରଂବ୍ରହ୍ମ ଶ୍ରୀଜଗନ୍ନାଥ ହିଁ ନାରାୟଣ ରୂପରେ ପୁରୁଷ ଓ ନାରାୟଣୀ ରୂପରେ ସ୍ତ୍ରୀ,ଯୋଗମାୟା ଶ୍ରୀମନ୍ଦିରରେ ତିନି ରୂପେରେ ବିରାଜିତ, ପ୍ରଥମେ ଭଗିନୀ (ସୁଭଦ୍ରା ), ଦ୍ଵିତୀୟରେ ସ୍ତ୍ରୀ (ମା ଲଷ୍ମୀ ତୃତୀୟରେ ପ୍ରବର୍ତ୍ତିକା (ବିମଳା ) ।

ସେଥିପାଇଁ ଶ୍ରୀମନ୍ଦିରରେ ଉଭୟ ବୈଦିକ ଓ ତାନ୍ତ୍ରିକ ପୂଜାଵିଧିର ପ୍ରଚଳନ ଦେଖାଯାଏ । ଏହି କ୍ଷେତ୍ରରେ ଯୋଗମାୟା ଶକ୍ତିଙ୍କର ପୂର୍ଣ୍ଣ ବିକାଶ ଘଟିଥିବାରୁ ଅର୍ଥାତ ଶକ୍ତିଙ୍କ ବିଭିନ୍ନ ସ୍ୱରୂପଙ୍କ ଅବସ୍ଥାନ ଯୋଗୁ ଏହା ଉଡ୍ଡୀୟାନ ତନ୍ତ୍ର ପୀଠ ଭାବରେ ପରିଚିତ ମଧ୍ୟ । ଏବିଷୟରେ ଆଗକୁ ବିଷଦ୍ଧ ଆଲୋଚନା କରିବା, ଏବେ ପୁଣି ଶ୍ରୀଜଗନ୍ନାଥଙ୍କଠାରେ ଶକ୍ତି ସ୍ୱରୂପକୁ ଦର୍ଶନ କରି ଗାଇବା ।

“ତାରାଯନ୍ତ୍ର ମହାଶେଷ ସୁଭଦ୍ରା ଭୁବନେଶ୍ୱରୀ, ଶ୍ୟାମାଯନ୍ତ୍ରେ ଜଗନ୍ନାଥ ଦକ୍ଷିଣକାଳିକା ସ୍ୱୟଂ ।” ଏଠାରେ ଶ୍ରୀବଲଭଦ୍ରଙ୍କୁ ମହାଶେଷ ହିସାବରେ ବର୍ଣ୍ଣନା କରାଯାଇଛି । ଏହି ପାର୍ବଣ ବେଳାରେ ପରଂବ୍ରହ୍ମଙ୍କ ଏହି ଶକ୍ତି ରୂପ ଜଗତକୁ ସର୍ବୋତ୍ତ ଭାବେ ରକ୍ଷା କରନ୍ତୁ ଏତିକି ପାର୍ଥନା କରିବି । ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )

Comments are closed.