ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୧୭
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆମେ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ମଧ୍ୟ କହିଥାଉ, ଏହା ପ୍ରତିପାଦିତ କରେ କି ମହାପ୍ରଭୁ ଙ୍କ ପୁରୁଷ ତତ୍ତ୍ୱଟି ବିଶେଷ ଭାବରେ ଆଦୃତ। ଗୀତା କହେ “ଦ୍ଵାବିମୋୖ ପୁରୁଷଂ ଲୋକେ କ୍ଷରଶ୍ଚl କ୍ଷର ଏବ ଚ “ଅର୍ଥାତ କ୍ଷର ଓ ଅକ୍ଷର ପୁରୁଷ (ଜୀବ ଓ ବ୍ରହ୍ମ )ଦୁଇ ପୁରୁଷ ଜଗତରେ ଅଛନ୍ତି. ତେବେ ପୁରୁଷୋତ୍ତମ କଣ ଏହି ଦୁଇ ପୁରୁଷ ଙ୍କ ମଧ୍ୟରୁ ଜଣେ,? ଏହାର ଉତ୍ତର ମଧ୍ୟ ସେହି ଗୀତା ରେ ବର୍ଣ୍ଣିତ ଅଛି
“ଯସ୍ମାତକ୍ଷରମତୀତୋଅହମ କ୍ଷରାଦପି ଚୋତ୍ତମଃ, ଅତୋଅସ୍ମି ଲୋକେ ଵେଦେ ଚ ପ୍ରଥିତଃ ପୁରୁଷୋତ୍ତମଃ “(ଗୀତା ୧୫ /୧୮ )
ଅର୍ଥାତ କ୍ଷର ପୁରୁଷଠାରୁ ଭିନ୍ନ ଓ ଅକ୍ଷର ପୁରୁଷଠାରୁ ଉତ୍ତମ । ଆଉ ଏକ ପୁରୁଷ ହେଲେ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ। ମହାପ୍ରଭୁଙ୍କ ତ୍ରିମୁର୍ତ୍ତୀ ହେବାର ରହସ୍ୟ ବି ଏଥିରେ ନିହିତ ଅଛି। ବୈଦିକ ଜ୍ଞାନରେ ଶ୍ରୀଜଗନ୍ନାଥ ହେଲେ ନିର୍ଗୁଣ ବ୍ରହ୍ମ, ଶ୍ରୀବଳଭଦ୍ର ହେଲେ ସଗୁଣ ବ୍ରହ୍ମ ଓ ଯୋଗମାୟା ରୂପେ ବିରାଜିତ ମା ସୁଭଦ୍ରା.ସ୍ଥିତି ବି କେମିତି, ସଗୁଣ ବ୍ରହ୍ମ ଯେ କି ଇଛାଶକ୍ତି ଓ ନିର୍ଗୁଣ ବ୍ରହ୍ମ ଯେକି ଜ୍ଞାନଶକ୍ତି ଉଭୟଙ୍କ ମଧ୍ୟରେ ମାୟା ବିରାଜିତ ଯାହାଙ୍କୁ ଆମେ କ୍ରିୟାଶକ୍ତି ବୋଲି ବିବେଚନା କରୁ। ତେଣୁ ତିନୋଟି ସ୍ୱତନ୍ତ୍ର ରୂପ ହେଲେ ମଧ୍ୟ ବସ୍ତୁତଃ ଏକ ଭାବରେ କାର୍ଯ୍ୟ କରିଥାନ୍ତି। ଅର୍ଥାତ ଜ୍ଞାନଶକ୍ତିରୁ ଇଛାଶକ୍ତି ଜାଗ୍ରତ ହୋଇ କ୍ରିୟାତ୍ମିକl ମାୟାର ପରିପ୍ରକାଶ ଘଟାଏ । ତାହା ହିଁ ପରିଦୃଶ୍ୟମାନ ଜଗତ। ଏହା ସର୍ବଦା ମାୟା (ଯୋଗମାୟା ଶକ୍ତି )ଦ୍ୱାରା ଆବୃତ ଓ ପରିଚାଳିତ. ତେଣୁ ଜ୍ଞାନ ଶକ୍ତି ସବୁଠାରେ ପ୍ରକାଶିତ ନୁହଁନ୍ତି। “ନାହଂ ପ୍ରକାଶସର୍ବଶଃ ଯୋଗମାୟା ସମlବୃତ୍ତ “ଗୀତା ରେ ଏହା ବର୍ଣ୍ଣିତ । ଏଠାରେ ପୁଣି ସୂର୍ଯ୍ୟଙ୍କ କଥା ଚିନ୍ତା କରିବା, ଉଦାହରଣ ସ୍ୱରୂପ ମାୟା ରୂପୀ ମେଘ ଆଚ୍ଛାଦିତ ହୋଇ ଯେପରି ବ୍ରହ୍ମ ରୂପୀ ସୂର୍ଯ୍ୟ ନିଜ ତେଜ ପ୍ରକାଶ କରିପାରିବେ ନାହିଁ।
ସେହିପରି ମାୟା ରୂପୀ ଅଜ୍ଞାନ ଆଚ୍ଛାଦିତ ଆତ୍ମା ଜ୍ଞାନ ସ୍ୱରୂପ ପରମାତ୍ମାଙ୍କ ସନ୍ଧାନ ପାଏ ନାହିଁ। ଅଜ୍ଞାନ ଅନ୍ଧାର ହଟିଲେ ପରଂବ୍ରହ୍ମଙ୍କ ଜ୍ଞାନଶକ୍ତି କ୍ରିୟାଶୀଳ ହୁଏ। ଅନ୍ୟ ଭାଷାରେ ମାୟା ହଟିଲେ ବ୍ରହ୍ମ ସ୍ୱରୂପକୁ ଜାଣିବା। ଏଠି ମାୟା ହେଲା ସଂସାର ବା ଜlଗତିକ ମୋହ। ସବୁ ମୋର ବା ମୁଁ ସବୁ (ଅହଙ୍କାର)ହିଁ ମାୟା। ଏସବୁ ଛାଡି ଯଦି ସବୁ ତାଙ୍କର (ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କର ), ମୁଁ ବି ତାଙ୍କର (ବ୍ରହ୍ମର ଅଂଶ )। ଏହି ଚେତନା ହିଁ ଆମର ମାୟା, ମୋହ, ଲୋଭ ହଟାଇ ମୁକ୍ତି ପଥ ଯାତ୍ରୀ କରାଇବ, କାରଣ “ତ୍ରିବିଧଂ ନରକସ୍ୟେଦଂ ଦ୍ୱାରଂ ନାଶନ ମାତ୍ମନଃ, କାମ, କ୍ରୋଧସ୍ତଥା ଲୋଭ ସ୍ତସ୍ମାଦେତତ୍ରୟଂ ତ୍ୟଜେତ “(ଗୀତା ୧୬ /୨୧ )। ଏଠାରେ କାମ, କ୍ରୋଧ, ଲୋଭ ଏହି ତିନୋଟି ରିପୁ ଅବା ଶତ୍ରୁ ରୂପେ ବିବେଚନା କରି ତ୍ୟାଗ କଲେ, ମୁକ୍ତି ମିଳିବ ବୋଲି କୁହାଗଲା । ଏହାକୁ ଆଉ ଟିକିଏ ସରଳ ଭାବରେ କଵି ଯଦୁମଣିଙ୍କ ଭାଷାରେ “ଲୋଭ, ମୋହ, ମାୟା, ଭ୍ରମ ଛନ୍ଦ ଦ୍ଵନ୍ଦ ଏସବୁ ପଛକୁ ପକା ମହାପ୍ରଭୁ ସହ ଥାଉ ଥାଉ ଆଉ କାହାକୁ ନକର ଶଙ୍କା । ” ମୁକ୍ତି ପଥ ଖୋଜି ବା ସଂସାର ମାୟାରେ ଭ୍ରମିତ ହୋଇ ଜୀବନକୁ ଭୟ ଓ ଶଙ୍କାରେ ରଖିବା ମୂର୍ଖାମୀ, କାରଣ ଆମେ ପରା ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶରଣରେ ଅଛେ, ତେବେ ଶଙ୍କା କାହିଁକି, କୁହନ୍ତୁ “ଡର କାହାକୁ ଭୟ କାହାକୁ, ଠାକୁର ଅଛନ୍ତି ଚଉବାହାକୁ “ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )
Comments are closed.