ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୬୬
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ନାମର ମାହାତ୍ମ୍ୟ ଯେତିକି, ସେତିକି ମହୀୟାନ ଏହି କ୍ଷେତ୍ର। ତେଣୁ ଏ କ୍ଷେତ୍ରର ନାମ ମଧ୍ୟ ପୁରୁଷୋତ୍ତମ କ୍ଷେତ୍ର । କେବଳ ସାଧୁ, ସନ୍ଥ, ଯୋଗୀ, ମୁନି, ବୈରାଗୀ ଅବା ଜ୍ଞାନୀ ଏକ୍ଷେତ୍ରକୁ ନିଜର ପରମ ମୁକ୍ତି କ୍ଷେତ୍ର ଭାବରେ ବିବେଚନା କରିନାହାନ୍ତି। ଅଜ୍ଞାନ ଜୀବମାନେ ମଧ୍ୟ ଏଠାରେ ମୁକ୍ତି ପାଇଥାନ୍ତି। ସ୍କନ୍ଦ ପୁରାଣ କହେ : “ଅହୋ ସୁଦୁର୍ଲଭଂ କ୍ଷେତ୍ରମ ଜ୍ଞାନୀନାଂ ବିମୋଚକମ କିଂ ପୁନଃ ସତତଂ ଶାନ୍ତି -ବୈରାଗ୍ୟ ଜ୍ଞାନସଂଯୁତାମ । ” ଆହୁରି ବର୍ଣିତ ଅଛି “ତୋଷାମୟଂ ତୀର୍ଥରାଜ କୀର୍ତ୍ତିତଃ ପୁରୁଷୋତମଃ, ସର୍ବେଷାଂ ମୁକ୍ତିକ୍ଷେତ୍ରାଣlମିଦଂ ସାଜୁଯ୍ୟମିଦଂ ମତମ ।”
ଏହା ଏଭଳି ମୁକ୍ତି କ୍ଷେତ୍ର ହେବାର ବଳିଷ୍ଠ ଯୁକ୍ତି ମଧ୍ୟ ଏହି ପୁରାଣ କହେ “ବିଷ୍ଣୁ କଳେବରେ ତସ୍ମିନ କ୍ଷେତ୍ରେ ଶ୍ରୀପୁରୁଷୋତମେ ଅନ୍ତର୍ବେଦୀ ମହାପୂଣ୍ୟl ବିଷ୍ଣୁ ହୃଦୟସନ୍ନିଭା ।” ଅର୍ଥାତ ସମସ୍ତ କ୍ଷେତ୍ର ବିଷ୍ଣୁ ଙ୍କ ଶରୀର ସଦୃଶ୍ୟ ଓ ଅନ୍ତର୍ବେଦୀ ବିଷ୍ଣୁଙ୍କ ହୃଦୟ ସଦୃଶ୍ୟ। ଏହି ଉକ୍ତିକୁ ସମ୍ରାଟ ଉପେନ୍ଦ୍ରଭଞ୍ଜ ଅତି ସୁନ୍ଦର ଭାବରେ “କୋଟି ବ୍ରହ୍ମlଣ୍ଡ ସୁନ୍ଦରୀ “ରେ ବର୍ଣନା କରିଛନ୍ତି ।
“ଶୁଣ କୋବିଦେ ଭାରତଖଣ୍ଡେ ପୁଣ୍ୟଧାମ ଯେଣୁ ନାରାୟଣ ଦେହୀ ତେଣୁ ସେହି ନାମ, ଯେ ବ୍ରହ୍ମl ପାତକ ନିପାତକ ମହୀ,
କପାଳମୋଚନ ତ୍ରିଲୋଚନ ସାକ୍ଷୀ ସେହି, ଆସି କାଶୀଶ୍ଵର ବାସ କଲେ ଏହା ଜାଣି ଅନ୍ୟ କ୍ଷେତ୍ର, ସମସ୍ତଙ୍କ ଏ ମସ୍ତକମଣି
ପ୍ରଭୁ ନିଜ ପୁରୁଷୋତ୍ତମ ନାମକୁ ଏହି କ୍ଷେତ୍ରକୁ ପ୍ରଦାନ କରିଛନ୍ତି, ଏହି ହରି ହର କ୍ଷେତ୍ରରେ କପାଳମୋଚନ, ତ୍ରିଲୋଚନ ତଥା ସ୍ୱୟଂ କାଶୀ ବିଶ୍ୱନାଥଙ୍କ ଉପସ୍ଥିତି ଏହି କ୍ଷେତ୍ର କୁ କ୍ଷେତ୍ରମଣି ର ମର୍ଯ୍ୟାଦା ପ୍ରଦାନ କରିଛି ଓ ଏହି କ୍ଷେତ୍ର କୁ ପାପ ଧ୍ବଂସକାରି ତଥା ପୁଣ୍ୟ ପ୍ରଦାନକାରି କ୍ଷେତ୍ର ଭାବରେ ପରିଚିତ କରାଇଛି। ତେଣୁ ଶ୍ରୀକ୍ଷେତ୍ର କୁ “ସିରିପୁର “ମହାବୈକୁଣ୍ଠ, ତଥା ନିତ୍ୟକ୍ଷେତ୍ର ଭାବେ ବର୍ଣ୍ଣନା କରି ସନ୍ଥ ଅଚ୍ୟୁତାନନ୍ଦ ଦାସ ନିଜ ରଚିତ “ବାଲ୍ମୀକି କଳ୍ପ “ରେ ଲେଖିଲେ “କ୍ଷେତ୍ର ଗୋଲେଖ ପୃଷୋତ୍ତମ, କୋଟି ବୈକୁଣ୍ଠ ଅନୁପମ ସିରି ଅଟଇ ସେହୁ ପୁର, କୋଟି ବ୍ରହ୍ମlଣ୍ଡର ଉପର, ମହା ବୈକୁଣ୍ଠ ନିତ୍ୟ ସେହି, ଅନନ୍ତ ଯୋଗାଧି ବୋଲାଇ ।”
ଏଭଳି ଭାବରେ ନାମ ସହ କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନା ଜାରି ରଖିବା କିନ୍ତୁ ଏବେ କରିବା ଆରାଧନା ଭକ୍ତ ରଘୁ ଅରକ୍ଷିତ ଦାସଙ୍କ ରଚନାରେ :
“ସାଧୁମାନଙ୍କ ସଙ୍ଗେ, ଦିନ ବଞ୍ଚିବି ରଙ୍ଗେ, ତୁମ୍ଭ ଚରଣେ ଚିତ ଥାଉ
ଛଡା ତୁଳସୀ ମୁଣ୍ଡେ, ନିର୍ମାଲ୍ୟ ଥିବ ତୁଣ୍ଡେ, ହା କୃଷ୍ଣ ବୋଲି ପ୍ରାଣ ଯାଉ
ହେ ମହାବାହୁ, ଏତିକି କରୁଣା ହେଉ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.