ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୬୭
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଯେପରି ସମସ୍ତ ଦେବତାଙ୍କ ମଧ୍ୟରେ ଶ୍ରେଷ୍ଠ (ରାଜା )।ସେହିପରି ପୁରୁଷୋତ୍ତମ କ୍ଷେତ୍ର ମଧ୍ୟ ସର୍ବ କ୍ଷେତ୍ର ମଧ୍ୟରେ ରାଜା। ଏଣୁ କପିଳ ସଂହିତା ରେ କୁହାଗଲା –
“ସର୍ବେଷାଂ ଚୈବ ଦେବାନାଂ ରାଜା ଶ୍ରୀ ପୁରୁଷୋତ୍ତମ, ସର୍ବେଷାଂ ଚୈବ କ୍ଷେତ୍ରାଣାଂ ରାଜା ଶ୍ରୀ ପୁରୁଷୋତ୍ତମ ।”
ଏହାର ପ୍ରକୃତ କାରଣ ହେଲା ଶ୍ରୀପୁରୁଷୋତ୍ତମ କ୍ଷେତ୍ର ହେଉଛି ପରଂବ୍ରହ୍ମ ଶ୍ରୀବିଷ୍ଣୁଙ୍କ କର୍ମଭୂମି। ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି ଶ୍ୱେତଦ୍ବୀପ ଶ୍ରୀବିଷ୍ଣୁଙ୍କ ଭୋଗଭୂମି ଓ ଜମ୍ବୁ ଦ୍ବୀପ ଶ୍ରୀବିଷ୍ଣୁ ଙ୍କ କର୍ମଭୂମି ଭାବେ ପରିଚିତ ।
“ଶ୍ୱେତ ଦ୍ବୀପେ ଯଥା ବିଷ୍ଣୁ ଭୋର୍ଗଭୁମୌ ନିଜାଳୟଃ, ଜମ୍ବୁଦ୍ବୀପେ କର୍ମଭୁମୌ ନିଜସ୍ଥାନମିଦଂ ସ୍ମୃତମ ।”
ଏହି ଶ୍ରୀକ୍ଷେତ୍ର ପରଂବ୍ରହ୍ମଙ୍କ ନିଜ ସ୍ଥାନ ହୋଇଥିବାରୁ, ଏହାକୁ ମଧ୍ୟ ଦଶ ଅବତାର କ୍ଷେତ୍ର କୁହାଯାଏ। କାରଣ ମହାପ୍ରଳୟ ପରେ ପରଂବ୍ରହ୍ମ ଶ୍ରୀ ବିଷ୍ଣୁ ଏହି କ୍ଷେତ୍ରରେ ପ୍ରଥମେ ଆତ୍ମପ୍ରକାଶ କରିଥିଲେ ଓ ଅବତାର ସୃଷ୍ଟି କରିଥିଲେ। ପ୍ରଳୟ କାଳରେ କଳ୍ପବଟରେ ପ୍ରଭୁ ବାଳମୁକୁନ୍ଦ ରୂପ ଧରି ଅବସ୍ଥାନ କରିଥିବା ବିଷୟ ଆମେ ଆଗରୁ ଆଲୋଚନା କରିଛେ। ତେଣୁ ଯଥାର୍ଥରେ ଏହି କ୍ଷେତ୍ର ସୃଷ୍ଟି, ସ୍ଥିତି, ଓ ପ୍ରଳୟ ର ଆଦି ସ୍ଥାନ ଅଟେ।
“ମୂଳାୟତନମେତଦ୍ଧି ସୃଷ୍ଟି ପାଳନ ସଂହୃତେ, ଅତ୍ରାବତୀର୍ଯ୍ୟ ଭଗବାନ ପ୍ରୟlତ୍ୟନ୍ୟତ୍ର କାର୍ଯ୍ୟତଃ, ନିଷ୍ପlଦ୍ୟକୃତ୍ୟଂ ପୃଥ୍ୟାଅହଂ ପୁନରତୈବ ତିଷ୍ଠତି, ଅତୋ ଦଶାବତାରାଣାଂ ଦର୍ଶନାଦ୍ୟେସ୍ତୁ ଯତ ଫଳମ, ତତ ଫଳଂ ଲଭତେ ମର୍ତ୍ୟୋ ଦୃଷ୍ଟl ଶ୍ରୀ ପୁରୁଷୋତ୍ତମମ୍, ଦଶାବତାର ସଂଜ୍ଞାସ୍ୟ କଥିତl ପୁତ୍ର!ତେ ମୟା।
ଏହି ଶ୍ଳୋକ ଏହା ପ୍ରମାଣିତ କରେ କି ଶ୍ରୀପୁରୁଷୋତ୍ତମ କ୍ଷେତ୍ର ଅତ୍ୟନ୍ତ ପୁଣ୍ୟ ଭୂମି କାରଣ ଏଠାରେ ପରଂବ୍ରହ୍ମଙ୍କ ସମସ୍ତ ଅବତାର ଲୀଳା ଦୃଷ୍ଟି ଗୋଚର ହୁଏ । ଏହି କ୍ଷେତ୍ରର ମହାତ୍ମ୍ୟ ବର୍ଣ୍ଣନା କରିବାକୁ ଯାଇ ସ୍କନ୍ଦ ପୁରାଣ ଉତ୍କଳ ଖଣ୍ଡରେ ବର୍ଣ୍ଣିତ ହୋଇଛି : “ଅତ୍ର ତ୍ୟଜନ୍ତି ଯେ ପ୍ରାଣୀ ସ୍ତେଶାମ ତତକ୍ଷଣ ମେ ବହି, ସ୍ୱରୂପା ଜାୟତେ ମୁକ୍ତି ସଂଶୟୋ ମାଅସ୍ତୁ ତେ ଯମ। ଅର୍ଥାତ ଏହି କ୍ଷେତ୍ରରେ ପ୍ରାଣ ତ୍ୟାଗ କଲେ ତତକ୍ଷଣାତ ସ୍ୱରୂପା ମୁକ୍ତି ହୁଏ । ଏହି କଥା ଭଗବାନ ବିଷ୍ଣୁ ଯମରାଜାଙ୍କୁ ବୁଝାଇ କହିଛନ୍ତି। ତେବେ ଆଉ କେଉଁ ପୁରାଣରେ ଏ ବିଷୟ ବର୍ଣିତ ହୋଇଛି ତାହା ଆଗାମୀ ସମୟରେ ଜାଣିବା। ବର୍ତ୍ତମାନ ଆରାଧନାର ସମୟ ।
“ଈଶ୍ୱର ଅଂଶ ଜୀୱ ଅବିନାଶୀ
ଚେତନ ଅମଲ ସହଜ ସୁଖ ରାଶି ।”
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.