ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୭୪
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରତି ଭକ୍ତି ନିବେଦନ ଆମକୁ ତିନୋଟି ଚରମ ଉପଲବ୍ଧି ପ୍ରାପ୍ତ କରାଏ । ଯଥା : ସିଦ୍ଧି, ମୁକ୍ତି, ଓ ନିତ୍ୟ ଆନନ୍ଦ । ଏହାର ପ୍ରମାଣ ତନ୍ତ୍ର ଶାସ୍ତ୍ରରେ “ସିଦ୍ଧୟଃ ପରମାଶ୍ଚର୍ଯ୍ୟା ଭୁକ୍ତିମୁକ୍ତିଶ୍ଚ ଶାଶ୍ଵତୀ, ନିତ୍ୟଂ ଚ ପରମାନନ୍ଦଂ ଭଵେଦ ଗୋବିନ୍ଦଭକ୍ତିତଃ । ଅର୍ଥାତ ଗୋବିନ୍ଦଙ୍କଠାରେ ଭକ୍ତି କଲେ ପରମ ଆଶ୍ଚର୍ଯ୍ୟ ଜନକ ସିଦ୍ଧି, ଶାଶ୍ୱତ ମୁକ୍ତି, ଓ ପରମ ଆନନ୍ଦ ପ୍ରାପ୍ତ ହୁଏ । ପ୍ରଥମେ ଆମେ ଜାଣିଲେ ଭକ୍ତିର ସ୍ୱରୂପ ଓ ସଂଜ୍ଞା । ବର୍ତ୍ତମାନ ଆଲୋଚନା କଲେ ଭକ୍ତିର ମାହାତ୍ମ୍ୟ ବା ଉପଲବ୍ଧି । ଏବେ ପୁଣି ମନରେ ପ୍ରଶ୍ନ ଆସିବଣି ଏସବୁ ହାସଲ କରିବା ପାଇଁ କଣ ଆବଶ୍ୟକ ଅଥବା ଭକ୍ତି କରିବାକୁ ଯୋଗ୍ୟତା କ’ଣ ?
ଏହି ପ୍ରଶ୍ନର ଅତି ସରଳ ଓ ପ୍ରାଞ୍ଜଳ ଭାବରେ ପରମ ଭକ୍ତ ପ୍ରହ୍ଲାଦ କହିଛନ୍ତି -ଧନ, ଅଭିଜାତ୍ୟ, ପାଣ୍ଡିତ୍ୟ, ଇନ୍ଦ୍ରିୟନୈପୁଣ୍ୟ ଶାରୀରିକ ବଳ, ପ୍ରତାପ, କାନ୍ତି, ଅଷ୍ଟାଙ୍ଗ ଯୋଗ, ଉଦ୍ୟମ, ବୁଦ୍ଧି,ବୟସ, ପୌରୁଷ, ଆଦି ଦ୍ୱାଦଶ ଗୁଣ ବା ଲକ୍ଷଣ, ଭଗବାନଙ୍କ ପ୍ରତି ଭକ୍ତି ନିବେଦନ କରିବାକୁ ଦରକାର ପଡ଼େନି । ଯେ କେହି ବ୍ୟକ୍ତି (ଭକ୍ତ )ଏହିସବୁ ଗୁଣ ବ୍ୟତିରେକ ମଧ୍ୟ, ନିଜର ନିଷ୍ଠା, ଓ ଆତ୍ମ ସମର୍ପଣ ଦ୍ୱାରା ନିଜର ଭକ୍ତି ନିବେଦନ କରିପାରିବେ ।
ଶ୍ରୀମଦ ଭଗବତରେ ଅଛି :- “ମନ୍ୟେ ଧନାଭିଜନରୂପତପଃ ଶ୍ରୁତୌଜ, ସ୍ତେଜ ପ୍ରଭାବ ବଳପୌରୁଷ ବୁଦ୍ଧିଯୋଗା, ନରାଧନlୟ ହି ଭବନ୍ତି ପରସ୍ୟ ପୁଂସୋ, ଭକ୍ତ୍ୟା ତୁ ତୋଷ ଭଗବାନ ଗଜଯୁଥପାୟ ।” ଅର୍ଥାତ ଉପରୋକ୍ତ ବର୍ଣ୍ଣିତ ଗୁଣ ନଥିଲେ ମଧ୍ୟ କେବଳ ଶୁଦ୍ଧ ନିଷ୍ଠା ଓ ସମର୍ପଣ ଭାବରେ ଗଜଯୁଥ ପରି ଭକ୍ତି ସମର୍ପଣ କରାଯାଇ ପାରେ । ଏପରି ଅର୍ପିତ ଭକ୍ତିକୁ ଭଗବାନ (ଶ୍ରୀଜଗନ୍ନାଥ )ଗ୍ରହଣ କରିବାକୁ ସର୍ବଦା ପ୍ରସ୍ତୁତ । ଭଗବାନ ସର୍ବଦା ଭକ୍ତର ଅଧିନ । ଏହା ସେ ନିଜେ ଭଗବତର ନବମ ସ୍କନ୍ଦରେ ମହାମୁନି ଦୁର୍ବାସାଙ୍କୁ କହିଛନ୍ତି – “ଅହଂ ଭକ୍ତ ପରାଧିନଃ ହ ସ୍ୱତନ୍ତ୍ର ଇବ ଦ୍ଵିଜ ।” ଆମେ ସାଧାରଣ ଭକ୍ତ ଟିଏ କେବେ ଭଗବାନଙ୍କୁ ପରାଧୀନ କରିପାରିବାନି ; କେବଳ ଆପଣାର କରିପାରିବା । ଆଉ ମୁକ୍ତ କଣ୍ଠରେ କହିବା “ଭାରତେ ଚ ଉତ୍କଳ ଦେଶେ ଭୂସ୍ବର୍ଗ ପୁରୁଷୋତ୍ତମେ, ଦାରୁରୂପୀ ଜଗନ୍ନାଥୋ ଭକ୍ତାନାମଭୟପ୍ରଦ ।”
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.