Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୯୯ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପୁରୁଷୋତ୍ତମ ଶ୍ରୀଜଗନ୍ନାଥ କ୍ଷେତ୍ର ମହାତ୍ମ୍ୟ ବର୍ଣ୍ଣନା କରିବା ସମୟରେ, ଇତିହାସର ଜଣେ ଅନନ୍ୟ ଭକ୍ତ ସାରିଆ ଭିକଙ୍କ କାଳଜୟୀ ରଚନା “ଥକା ମନ ଚାଲ ଯିବା, ଚକା ନୟନ ଦେଖିବା “କୁ ଉପସ୍ଥାପିତ କରିଥିଲେ। ଏଥିରେ ଥିବା ଶଙ୍ଖନାଭି ମଣ୍ଡଳ, ସ୍ଥାନ ବିଶେଷ ଶବ୍ଦଟି ଯେ ଶ୍ରୀକ୍ଷେତ୍ର, ଏହା ପ୍ରମାଣିତ ହୁଏ। କିନ୍ତୁ ଶ୍ରୀକ୍ଷେତ୍ରକୁ କାହିଁକି ‘ଶଙ୍ଖ ନାଭି ମଣ୍ଡଳ “କୁହାଗଲା ତାର ଆଲୋଚନା ଏବେ କରିବା। ସାଧାରଣ ଭାବରେ ଆମେ ଜାଣିଛେ ଶ୍ରୀହରି ଓ ଶଙ୍ଖ ଉଭୟ ସର୍ବଦା ଜଡିତ। କାରଣ ପରଂବ୍ରହ୍ମ ଶ୍ରୀବିଷ୍ଣୁ ସର୍ବଦା ଶଙ୍ଖ ଧାରଣ କରିଥାନ୍ତି। ସେଥିପାଇଁ ଗୀତାରେ ଵର୍ଣ୍ଣନା ହେଲା “ପାଞ୍ଚଜନ୍ୟଂ ହୃଷିକେଶୋ, ଦେବଦତ୍ତ ଧନଞ୍ଜୟଃ “ । ଆଉ ଏକ ବିଶେଷ କଥା ହେଲା ଏହି କ୍ଷେତ୍ରର ଆକାର ଶଙ୍ଖ ପରି ଏବଂ ଏହାର ନାଭି ସ୍ଥଳରେ ଶ୍ରୀଜଗନ୍ନାଥ ବିରାଜିତ। ଏହି କ୍ଷେତ୍ରର ଅନ୍ୟ ନାମ ମଧ୍ୟ ଶଙ୍ଖକ୍ଷେତ୍ର। କୁହାଯାଏ ଏକ ଦିବ୍ୟ ଶଙ୍ଖ ଏହି କ୍ଷେତ୍ରରେ ବିରାଜିତ। ମା ଲଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ସ୍ଥାନ ଏହି ଶଙ୍ଖନାଭି ମଣ୍ଡଳ ଯେଉଁଠି ମା’ଙ୍କ ଧବ ବା ମାଧବ ବିରାଜମାନ କରିଛନ୍ତି। ଶ୍ରୀବିଷ୍ଣୁଙ୍କ ଅତ୍ୟନ୍ତ ପ୍ରିୟ ଶଙ୍ଖ; ଯାହାକୁ ସେ ସର୍ବଦା ଧାରଣ କରିଛନ୍ତି, ଶାସ୍ତ୍ର ରେ କୁହାଯାଇଛି ।

“ଶଙ୍ଖେ ହରେଧିଷ୍ଠlନଂ ଯତଃ ଶଙ୍ଖସ୍ତତୋ ହରିଃ, ତତ୍ରେଇବ ସତତଂ ଲଷ୍ମୀ ଦୁରୁଭୂତମ ମଙ୍ଗଳମ୍। “ ଉଭୟ ଲଷ୍ମୀ ଓ ନାରାୟଣଙ୍କ ପ୍ରିୟ ହୋଇଥିବାରୁ ଶଙ୍ଖ ଅତ୍ୟନ୍ତ ମଙ୍ଗଳକାରୀ ତଥା ଏହାକୁ ପ୍ରତ୍ୟେକ ମଙ୍ଗଳ କାର୍ଯ୍ୟର ଆରମ୍ଭରେ ବାଦନ କରାଯାଏ। ଶଙ୍ଖ ବାଦନ ଏକ ପରମ୍ପରା ମଧ୍ୟ। ଏହା ମହାଭାରତ ଯୁଦ୍ଧ ରେ ମଧ୍ୟ ବାଦନ କରାଯାଉଥିଲା । ଆଉ ଏକ ସ୍ୱତନ୍ତ୍ର ବିଶେଷ ପ୍ରସଙ୍ଗ ହେଲା ସତ୍ୟଯୁଗରେ ଭଗବାନ ମତ୍ସ୍ୟ ଅବତାର ଧାରଣକରି ଶଙ୍ଖାସୁର ନାମକ ଦୈତ୍ୟକୁ ମାରି ବେଙ୍କୁ ଉଦ୍ଧାର କରିଥିଲେ। ଏହି ଶ୍ରୀକ୍ଷେତ୍ର ରେ ପରଂବ୍ରହ୍ମ ଶ୍ରୀବିଷ୍ଣୁ ଶଙ୍ଖାସୁର ବଧ କରିଥିଲେ। ଏହା ଅତି ସୁନ୍ଦର ଭାବରେ ସ୍କନ୍ଦ ପୁରାଣରେ ବର୍ଣ୍ଣିତ ହୋଇଛି। ଏହା ଅନ୍ୟ ଏକ ଅଧ୍ୟାୟ ରେ ଆଲୋଚନା କରିବା। ଏବେ ଚାଲନ୍ତୁ କବି ସାରିଆ ଭିକଙ୍କ ଉପଦେଶ ମାନି “ଚକାନୟନ ଙ୍କୁ “ମାନସ ଚକ୍ଷୁରେ ଦର୍ଶନ କରି, ତାଙ୍କରି ଆରାଧନା କରିବା। କାରଣ ସେ ପରା ଭକତ ଜନ ବାନ୍ଧବ, କବି ଜଗନ୍ନାଥ ଦାସଙ୍କ ଭାଷାରେ “ଭକତ ଜନ ବଶ ମୁହିଁ, ତାର ରକ୍ଷଣେ ମୋର ଦେହୀ
ମୁଁ ଯେ ସଂସାରେ ଅଛି ଛନ୍ଦି, ଭକତ ପାରେ ମୋତେ ବାନ୍ଧି । “

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ)

Comments are closed.