Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୦୦ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ଶ୍ରୀଜଗନ୍ନାଥଙ୍କୁ ଆରାଧନା କରିଲେ ନାରାୟଣଂ ନମସ୍କୃତ୍ୟଂ, କାରଣ ଶ୍ରୀଜଗନ୍ନାଥ ପୌଷମାସରେ ନାରାୟଣ ନାମ ଧାରଣ କରନ୍ତି। ଏହି ବିଶେଷ ନାମର ମାହାତ୍ମ୍ୟ ବା ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶ କରି ମହର୍ଷି ମନୁ ଲେଖିଛନ୍ତି ଆପୋ ନାରା ଇତି ପ୍ରୋକ୍ତl ଆପୋ ବୈ ନର ସୁନବାଃ, ତସ୍ୟ ତା ଅୟନଂ ପୂର୍ବ ତେନ ନାରାୟଣସୃତଃ ।”, ଅର୍ଥାତ ସ୍ଥୁଳରେ “ଯିଏ ଜଳରେ କ୍ରୀଡା କରନ୍ତି ସେ ନାରାୟଣ “, କାରଣ ନାରା ଶବ୍ଦର ଅର୍ଥ ହେଉଛି ଜଳ, ନରଗଣ, ବୃକ୍ଷର ତ୍ବକ ଇତ୍ୟାଦି ଅୟନ ଶବ୍ଦର ଅର୍ଥ ଗମନ, ଜ୍ଞାନ ଓ କ୍ରୀଡା ଇତ୍ୟାଦି ଅଟେ. ନାରା +ଅୟନକୁ ଜଳ କ୍ରୀଡା ରୂପେ ଚିତ୍ରିତ କରିବା ଯୁକ୍ତିଯୁକ୍ତ ମନେହୁଏ। ଏଠାରେ “ପ୍ରେମଭକ୍ତି ବ୍ରହ୍ମଗୀତା “ରେ ସାଧକ କବି ଯଶୋବନ୍ତ ଦାସଙ୍କ ଉକ୍ତିକୁ ଦେଖିବା ”

ସେ ଶୂନ୍ୟ ଅଣ୍ଡ ଭେଦ ହୋଇ
ତହୁଁ ଜନମ ଭାବଗ୍ରାହୀ
ତହୁଁ ଜନ୍ମିଲା ଜଳ ଅଙ୍ଗ
ହଲୋଳ ଘୃମ ଆରତୁଙ୍ଗ
ଯେମନ୍ତେ ପ୍ରକାଶିଲା ଜଳ
ସେ ଜଳେ ଜାତ ଆଦିମୂଳ

ଭାବିଲେ ଆଶ୍ଚର୍ଯ୍ୟ ଲାଗେ, ଯେଉଁ ପରଂବ୍ରହ୍ମଙ୍କଠାରୁ ପଞ୍ଚ ମହାଭୂତ ସୃଷ୍ଟି, ତାଙ୍କର ଉତ୍ପତ୍ତି ପୁଣି ଜଳରୁ? ଏହାର ତାତ୍ୱିକ ଅର୍ଥ ହେଲା ଜୀବ ସତ୍ତାର ପ୍ରଥମ ଉନ୍ମେଷ ହୋଇଛି ଜଳରୁ,ଯାହା ଅନ୍ୟତମ ସାଧକ ଅଚ୍ୟୁତାନନ୍ଦ ଦାସ ” ମନ୍ମଥ ଚନ୍ଦ୍ରିକା ”
ରେ ଲେଖିଲେ “ପାଣିରୁଟି ପରମ ପୁରୁଷ ହେଲେ ଜାତ “, ସେହିପରି ମହାବିଷ୍ଣୁଙ୍କ କ୍ଷୀରସାଗରରେ ଅନନ୍ତ ଶୟନ କଥା ଚିନ୍ତା କଲେ, ଜଳରେ ପ୍ରାଣ ସତ୍ତାର ଉତ୍ପତି ଖୁବ ସତ୍ୟ ମନେହୁଏ। ଗୋଟିଏ କଥା ମନେ ରଖିବା ବିଧେୟ, ଯେ ପ୍ରଭୂ ଶ୍ରୀଜଗନ୍ନାଥ ସ୍ୱୟଂ ପରଂବ୍ରହ୍ମ ଓ ଅବତାର ଆମେ ତାଙ୍କୁ ବିଭିନ୍ନ ସ୍ୱରୂପ ଓ ବିଭିନ୍ନ ନାମ ଦେଲେ ବି ସେ କେବଳ ଓ କେବଳ ପରଂବ୍ରହ୍ମ ସ୍ୱରୂପ ଓ ସର୍ବନାମର ଅଧିକାରୀ ଅଟନ୍ତି, ଆସନ୍ତୁ ସେହି ପରମେଶ୍ୱରଙ୍କ ଆରାଧନା କରିବା

“ଲୀଳା ବିଧୃତ କଳେବର,
ଦେବ ମାନବେ ଅଗୋଚର
ମାୟା ସଂସାର ଯାର ଲୀଳା
ଯା ନାମ ଭବ ଜଳେ ଭେଳା
କରୁଣା କଟାକ୍ଷ ପ୍ରକାଶେ 
ଭକତ ଜନ ଦୁଃଖ ନାଶେ
ତୋ ପାଦେ ଶରଣ ମୋହର
ଏଣେ ତରିବି ଭବ ଘୋର

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )।

Leave A Reply

Your email address will not be published.