ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୦୫
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା, ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ମହାସମାରୋହରେ ଅନୁଷ୍ଠିତ ହୋଇଛି । ସୁନାକୁଅର ଶୀତଳ ଜଳରେ ସ୍ନାନ କରି ପ୍ରଭୂ ଅସୁସ୍ଥ ଅନୁଭବ କରି ବିଜେ କରିଛନ୍ତି ଅଣସର ଗୃହକୁ ଏହି ଅଣସର ଗୃହଟି ଭିତରକାଠ ଠାରୁ କଳାହାଟ ଦ୍ୱାରସ୍ଥ ମୁଖସ୍ଥ ବଲ୍ଲଭ ପିଣ୍ଡି ପର୍ଯ୍ୟନ୍ତ ବାଉଁଶ ତାଟି ବେଢ଼ି ନିର୍ମାଣ କରାଯାଇଥାଏ । ଏହି ଅସ୍ଥାୟୀ ଗୃହରେ ଅମାବାସ୍ୟା ପ୍ରଯ୍ୟନ୍ତ ଶ୍ରୀବିଗ୍ରହମାନେ ଅବସ୍ଥାନ କରନ୍ତି । ଏହି ଗୃହର ବାହାରେ ପଟିଦିଅଁ ଯଥା ବାସୁଦେବ, ଭୁବନେଶ୍ୱରୀ ଓ ନାରାୟଣ (ବିଶେଷ ବିବରଣୀ ପରେ ପ୍ରଦାନ କରିବି )ପୂଜା ପାଉଥାନ୍ତି । ଏହିଠାରେ ପଦ୍ମ ପୁରାଣର ଶ୍ଳୋକଟିଏ ଉପସ୍ଥାପନା କରୁଛି ଯଥା “ଯସ୍ୟ ସ୍ମରଣେ ମାତ୍ରେଣ ନ ମୋହ ନଚ ଦୁର୍ଗତିଃ, ନ ରୋଗୋ ନଚ ଦୁଃଖlନି ତମନନ୍ତଂ ନାମମ୍ୟହଂ” ଅର୍ଥାତ ଯାହାଙ୍କ (ପ୍ରଭୂ ଶ୍ରୀଜଗନ୍ନାଥ )ସ୍ମରଣ ମାତ୍ରେ ଜୀବର ଦୁଃଖ,ରୋଗ, ଦୁର୍ଗତି, ମୋହ, ମାୟା ସବୁ ନାଶହୁଏ ବା ଦୂରୀଭୂତ ହୁଏ ତାଙ୍କୁ ନମସ୍କାର । କିନ୍ତୁ ଏଠି ଆଶ୍ଚର୍ଯ୍ୟର କଥା ସେହି ପ୍ରଭୂ ଆଜି ଜ୍ଵରରେ ଆକ୍ରାନ୍ତ ଓ ସ୍ୱତନ୍ତ୍ର ସେବା ପାଇବା ପାଇଁ ଅଣସର ଗୃହରେ ରହିଛନ୍ତି, ଆସନ୍ତୁ ଜାଣିବା ଏହି ଅଣସର ଗୃହରେ କି ସେବା ପାଳନ କରାଯାଏ ।
୧. ଅଣସର ଦ୍ଵିତୀୟ ଦିନ ସ୍ନାନଯାତ୍ରା ପହଣ୍ଡି ବେଳର ବସ୍ତ୍ର ବାହାର କରାଯାଏ ।
୨. ଚତୁର୍ଥୀ ଦିନ ଶ୍ରୀଅଙ୍ଗ ଫିଟା ନୀତି ହୁଏ. ପାଟ ବସ୍ତ୍ର ଓ ଚନ୍ଦନ ପ୍ରଭୃତି ବାହାର କରାଯାଏ ।
୩. ପଞ୍ଚମୀ ଦିନ ଫୁଲୁରୀ ତେଲ ଲାଗିହୁଏ. ରାଶିତେଲ, ନୂଆ କର୍ପୁର ପିଙ୍ଗଣ ଓ ପରଖ ମିଶ୍ରଣ ରେ ଏହି ତେଲ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୁଏ ।
୪. ଷଷ୍ଠୀ ଠାରୁ ନବମୀ ଯାଏ ଶ୍ରୀବିଗ୍ରହ ମାନଙ୍କୁ ଓଷୁଆ ଲାଗି ହୁଏ ।
୫.ଦଶମୀ ତିଥିରେ ଚକାବିଜେ ନୀତି ।
୬. ଏକାଦଶୀ ଦିନ ଦଇତାପତି ମାନେ ଚନ୍ଦନ ସହ କେଶର ଓ କର୍ପୁର ମିଶାଇ ଶ୍ରୀଅଙ୍ଗ ରେ ଲାଗି କରନ୍ତି
୭. ଦ୍ୱାଦଶୀ ଦିନ “ରାଜପ୍ରସାଦ ନୀତି ” ଯଥା ଏକ ରୁପା ଥାଳିରେ ଶ୍ରୀଅଙ୍ଗ ଚନ୍ଦନ, କରାଳ ଚନ୍ଦନ ସହିତ ପାଟ ଡୋର ନେଇ ଦଇତାପତି ସେବକ ମାନେ ଶ୍ରୀନଅର କୁ ଯାଇ ଗଜପତି ଙ୍କୁ ପ୍ରଦାନ କରନ୍ତି ଓ ତାଙ୍କ ଦ୍ୱାରା ଶାଢୀ ପ୍ରଦତ୍ତ ହୁଏ ।
୮ . ତ୍ରୟୋଦଶୀରେ ଘଣା ଲାଗି ଓ ଶ୍ରୀପୟର ପୂଜା ଅନୁଷ୍ଠିତ ହୁଏ, ଏଥିରେ ପାଟଡୋର, ଖଳି ପ୍ରସାଦ ଓ ଖଡ଼ି ପ୍ରସାଦ ଲାଗି ହୁଏ ।
୯. ଚତୃଦ୍ଧଶୀରେ “ବନକ ଲାଗି “ନୀତି ଦତ୍ତ ମହାପାତ୍ର ସେବକ ମାନେ କରିଥାନ୍ତି, ଏହି ଦିନ ପଟିଦିଅଁ ମଣ୍ଡଣି ଗୃହକୁ ଯାଆନ୍ତି ଓ ଅଣସର ତାଟି ଫିଟାଯାଏ ।
୧୦. ଅମାବାସ୍ୟା ଦିନ ହୁଏ ନବଯୌବନ ଦର୍ଶନ ଓ ତା ପରବର୍ତୀ ପ୍ରତିପଦ ଦିନ ହୁଏ “ନେତ୍ରୋତ୍ସବ ” ଉପରୋକ୍ତ ସେବାମାନଙ୍କର ସମ୍ପୂର୍ଣ ବିବରଣୀ ଦେବା ସମ୍ଭବ ନୁହେଁ, କାରଣ ଏହା ଗୁପ୍ତ ସେବା ଅଟେ । କେବଳ ଏହି ଦିନମାନଙ୍କରେ ଅନୁସୃତ ହେଉଥିବା ରୀତିନୀତି ଓ ବୈଦ୍ୟ ସେବକଙ୍କ ଦ୍ୱାରା ଦଶମୂଳ ଔଷଧର ପ୍ରୟୋଗ ବିଷୟ ଆଗାମୀ ଅଧ୍ୟlୟରେ ବର୍ଣନା କରିବା, ବର୍ତ୍ତମାନ ଆରାଧନା ଓ ଭାଗବତ ପଠନ ଏ ସର୍ବ ମନର ସଂଯମ ।
ମନ ସଂଯମ ପରଜ୍ଞାନ
ମନ ସଂଯମ ଅଟେ ଯାର
କି କାର୍ଯ୍ୟ ଦାନାଦିରେ ତାର
ମନ ଆୟତ୍ତ ଯାର ନୋହି
ଦାନାଦି କର୍ମେ କିବା ହୋଇ
ଏଣୁ ଯେ ମନ ବଶ କରେ
ସର୍ବ ଇନ୍ଦ୍ରିୟ ସେ ସଂହରେ
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )