Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଚକ୍ର ନାରାୟଣ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା 

ଜୟ ଜଗନ୍ନାଥ।  ଓମ୍ ନମୋ ଭଗବତେ ବାସୁଦେବାୟ

ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଚକ୍ରନାରାୟଣ ସ୍ୱରୂପ ନୀଳଚକ୍ର ଓ ତାହା ଉପରେ ଜଗତକୁ ଉଦ୍ଧାର କରିବା ପାଇଁ ଉଡୁଥିବା ପତିତପାବନ ବାନାଙ୍କୁ ଆଜି ପ୍ରଥମେ ପ୍ରଣାମ ଜଣାଇ କବି ଗୌର ଚରଣ ଅଧିକାରୀଙ୍କ ରଚନା “ନୀଳଚକ୍ରେ ହୋ ଦେଖ ଉଡ଼ୁଛି ବାନା “ର ଦ୍ଵିତୀୟ ପଦ ଯଥା :

“ନେତ୍ର ଧ୍ବଜା ବର ଉଡି ଫର ଫର

ଉଡାଇ ଦେଉଛି ଭବ ଯାତନା

ପଞ୍ଚକୋଶ ଯାଏ ଜନେ ଦେଖାଯାଏ

ଦର୍ଶନେ କଲ୍ମଷ ହୁଅଇ ଚୁନା “

 

ସତରେ ପଞ୍ଚକୋଶ ପର୍ଯ୍ୟନ୍ତ ଦୃଷ୍ଟି ଗୋଚର ହେଉ ଥିବା ଓ ପତକୀ ତାରଣ କରୁଥିବା ନୀଳଚକ୍ର ଓ ପତିତପାବନ ବାନାଙ୍କ ଇତିହାସ ବା କିମ୍ବଦନ୍ତୀ ଆଜି ଆଲୋଚନା କରିବା ।

 

ଐତିହାସିକ ଚକ୍ରଧର ମହାପାତ୍ରଙ୍କ ମତରେ ୧୭୧୩ ଖ୍ରୀଷ୍ଟାବ୍ଦରେ ରାଜଗୁରୁ ଭାନୁଦେବଙ୍କ ନିର୍ଦ୍ଦେଶରେ ବର୍ତ୍ତମାନ ଦୃଷ୍ଟି ଗୋଚର ହେଉଥିବା ନୀଳଚକ୍ର ସ୍ଥାପନ ହୋଇଥିଲା । ସେତେବେଳ ଶ୍ରୀ ଦିବ୍ୟସିଂହ ଦେବ (ପ୍ରଥମ )ଙ୍କ ରାଜ୍ୱତ ଥାଏ । ଏହି ନୀଳଚକ୍ର ଅଷ୍ଟଧାତୁରେ ନିର୍ମିତ୍ତ ହୋଇଛି । ଯଥା ସମଗ୍ର ଓଜନର ଅଧା ଲୁହା, ପାଏ ତମ୍ବା, ଅବଶିଷ୍ଟ ପାଏ ରେ ସୁନା, ରୁପା, ରଙ୍ଗ, ଦସ୍ତl, ସୀସା ଓ ପାରା ପ୍ରତେକ ସମ ପରିମାଣରେ ମିଶିଛି । ଏହାର ପ୍ରକୃତ ଓଜନ ୫୫ ମହଣ ବା ୨୨ କୁଇଣ୍ଟାଲ ରୁ ଟିକେ ଅଧିକ ଅଟେ । ଏବେ ସମ୍ପୂର୍ଣ୍ଣ ମାପ ଜାଣିବା ।

 

୧. ଉଚ୍ଚତା ୧୧ ଫୁଟ ୮ ଇଞ୍ଚ

୨ . ବ୍ୟାସ ୭ ଫୁଟ ୬ ଇଞ୍ଚ

୩. ପରିଧି ଫଳକର ବେଧ ୨ ଇଞ୍ଚ

୪ ପରିଧିର ଓସାର ୯ ଇଞ୍ଚ

୫. କେନ୍ଦ୍ର ବୃତ୍ତର ବ୍ୟାସ ୨ ଫୁଟ ଅଢେଇ ଇଞ୍ଚ ଓ ଏଥିରେ ୮ ଟି ଅର ଅଛି, ଯାହା ପ୍ରତ୍ୟେକ ୧ ଫୁଟ ୧୦ ଇଞ୍ଚ

୬ . ବାହ୍ୟ ପରିଧି ୩୬ ଫୁଟ ଓ ଅନ୍ତଃ ପରିଧି ୧୦ ଫୁଟ ଅଟେ

 

ଏତେ ଓଜନ ଓ ଆକାରର ନୀଳଚକ୍ରଙ୍କୁ ପୃଥିବୀର ଶ୍ରେଷ୍ଠ ବୈଶୈୟିକ ଜ୍ଞାନ କୌଶଳରେ ସ୍ଥାପନ କରା ଯାଇଛି । ଏହା ଶ୍ରୀମନ୍ଦିରର ସୁରକ୍ଷା କବଚ ଓ ବଜ୍ର ନିରୋଧକ ଅଟେ । ଏଥିରେ ପ୍ରାୟ ୪ ଇଞ୍ଚ ଓସାରର ତମ୍ବା ପାତି ମନ୍ଦିରର ଦକ୍ଷିଣ ପାର୍ଶ୍ଵରେ ତଳକୁ ଯାଇ ଭିତର ବେଢାର ବିମଳା ମନ୍ଦିର ନିକଟରେ ଥିବା କୂପର ନିମ୍ନ ଭାଗରେ ପଡ଼ିଅଛି ।

 

ଆଗକୁ ଆଲୋଚନା ଜାରି ରଖିବା ଓ ଜାଣିବା ଏହାର ସମ୍ପୂର୍ଣ୍ଣ ଇତିହାସ । ଏବେ କବିଙ୍କ ଭାଷାରେ କହିବା :

 

” ସୂର୍ଯ୍ୟ ସମ ତେଜଶାଳୀ ପାପୀ ପାପ ନାଶକlରି,

ସାକ୍ଷତରେ ଚକ୍ରରୂପୀ ନାରାୟଣ,

ପୂର୍ଣ୍ଣ ପାଇଁ ଭକ୍ତାଭୀଷ୍ଟ ପତିତପାବନ ନେତ,

ଉଡାଉଛି କର ଧିଆନ, ନାଶିବାକୁ ଜଗତ ପାପ

ହାତ ଠାରି ଡାକୁଅଛି ଆସ ସମୀପ “

 

ଏବେ ଆରାଧନାର ସମୟ :

 

କଳି କଳୁଷ ନିବାରଣ

ଯେ କରେ ଶ୍ରବଣ କୀର୍ତ୍ତନ

ଯେ ରୂପ ବହେ ସତ୍ୟଯୁଗେ

ତ୍ରେତୟା, ଦ୍ୱାପର କଳିଯୁଗେ

ଇଛା ଵିହlରେ ଅବତାରେ

ସ୍ଵଭାବେ ନାନା ରୂପ ଧରେ

 

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.