Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୦୯ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ “କେଶବ “ନାମର ବ୍ୟାଖ୍ୟା ଅମରକୋଷରେ ମଧ୍ୟ ରହିଛି। ଯଥା ବିଷ୍ଣୁ ନାରାୟଣଃ କୃଷ୍ଣ ବୈକୁଣ୍ଠ ବିଷ୍ଟରଶ୍ରବା, ଦାମୋଦର ହୃଷିକେଶ କେଶବ ମାଧବସ୍ୱ ଭୂ “, ଶ୍ରୀଜଗନ୍ନାଥ ସ୍ତୋତ୍ରରେ “ମଧ୍ୟ ଶ୍ରୀଜଗନ୍ନାଥଙ୍କୁ କେଶବ ରୂପେ ଅଭିହିତ କରାଯାଇଛି।

“ବ୍ରହ୍ମା ବିଷ୍ଣୁ ବୃସ୍ମିବଂ ଶୋମୁରାରୀ କୃଷ୍ଣ କେଶଵଃ “ସ୍କନ୍ଦପୁରାଣ ଏହି କେଶବ ନାମର ବୈଶିଷ୍ଟ ପ୍ରମାଣ କରି କହିଛି।
“କେଶବାର୍ଚ୍ଚା ଗୃହେ ଯସ୍ୟ ନ ତିଷ୍ଟତି ମହୀପତେ, ତସ୍ୟାନ୍ନ ନୈବ ଭୋକ୍ତବ୍ୟ ଭକ୍ଷଣେ ସମସ୍ମୃତମ ।” ଅର୍ଥାତ ଯାହାଙ୍କ ଗୃହରେ କେଶବ ଅର୍ଚ୍ଚନା ନାହିଁ, ତାହାଙ୍କ ଅନ୍ନ ଅଭକ୍ଷ୍ୟ ଅଟେ। କେବଳ ଅନ୍ନ ଭକ୍ଷଣ ଉଦ୍ଦେଶ୍ୟରେ ନୁହେଁ ମଣିଷ ନିଜର ମାନ ରକ୍ଷା ପାଇଁ, ପତିତମନଙ୍କ ଉଦ୍ଧାର ପାଇଁ କେଶବ ସ୍ମରଣ କରିବା ବିଧେୟ। ତେଣୁ ଭକ୍ତକବି ଦୀନକୃଷ୍ଣ ଦାସ ଲେଖିଲେ :

“ଦୀନବନ୍ଧବ ମୁକୁନ୍ଦମାଧବ ବୈକୁଣ୍ଠ ଭୁବନବିହାରୀ, ପତିତପାବନ ମାନ ଉଦ୍ଧାରଣ କେଶବ କୃଷ୍ଣ ମୁରାରୀ। “

ପୁନର୍ବାର “ରସକଲ୍ଲୋଳ “ରେ ଲେଖିଲେ: “କେଶ କେଶବ ଧଇଲେ ଯାଇ, କଚାଡିଲେ ମହୀତଳେ ନେଇ କୁମ୍ଭକାର କୀଟପ୍ରାୟେ ନନ୍ଦଚାଟ ମାରଇ ସେହି ତାରଇ ।”

ତେଣୁ ମାରିବା ଓ ତାରିବା ଯାହାଙ୍କ କାମ, ସେତ ନିଜେ ପରଂବ୍ରହ୍ମ ଅବତାରୀ। ମହାନ କବି ଜୟଦେବଙ୍କ ଗୀତଗୋବିନ୍ଦ ରେ ଭଣତି କଲେ : “ଶ୍ରୀଜୟଦେବ କବେରିଦମୁଦାରମ୍, ଶୃଣୁ ସୁଖଦଂ ଶୁଭଦଂ ଭବସାରମ୍, କେଶବ!ଧୃତ ଦଶବିଧରୂପ ଜୟ ଜଗଦୀଶ ହରେ । “

ଏହି କେଶବ ନାମ ଭଗବତ ଗୀତାରେ ମଧ୍ୟ ଉଲ୍ଲେଖ ଅଛି।। ଆସନ୍ତୁ ତାହାଙ୍କୁ ଆରାଧନା କରିବା।

“ମାଧବ ଦୀନବନ୍ଧବ କୃଷ୍ଣ କେଶବ ଦୈତାରୀ,
ଶ୍ରୀମୁକୁନ୍ଦ ଆଦିକନ୍ଦ ଗୋବିନ୍ଦ ଗିରିଧାରୀ,
ନାରାୟଣ ବାସୁଦେବ ପୁରୁଷୋତ୍ତମ ପଦ୍ମନାଭ
ଦାମୋଦର ଶ୍ୟାମସୁନ୍ଦର ଶ୍ରୀକର ଚକ୍ରଧାରୀ ।” (କବି ବଲ୍ଳଭ ଦାସ )

ଜୟ ଜଗନ୍ନାଥ, (ଦ. ତ୍ରି. ଉବାଚ )

Leave A Reply

Your email address will not be published.