ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୧୨
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମହିମା ବର୍ଣ୍ଣନା ପାଇଁ ଆମେ “ଗଜ ଉଦ୍ଧାରଣ “ପ୍ରସଙ୍ଗ ଆଲୋଚନା ଭିତରେ ଆଜି କବି ନାରାୟଣ ଦାସ ସଂକ୍ଷେପରେ ଅଚ୍ୟୁତାନନ୍ଦ ଙ୍କ ରଚିତ “ହରିବଂଶ ” କୁ ସାତ ଖଣ୍ଡକୁ ଗୋଟିଏ ଖଣ୍ଡ ରେ ପ୍ରକାଶ କରି ଏହାର ନାମ ଦେଲେ “ଖଣ୍ଡିକିଆ ହରିବଂଶ ” । ଏଥିରେ ଗୌତମ ମହର୍ଷି ନିଜ ପୁତ୍ର ସଦାନନ୍ଦଙ୍କୁ ଉପଦେଶ ଛଳରେ କହିଲେ ହରିନାମ ମାହାତ୍ମ୍ୟ “ଗୌତମ ବୋଇଲେ ଏକା ହରିନାମ ଧରି, ଜନ୍ମେ ଜନ୍ମେ ମୁନି ମlନେ ଯାଆନ୍ତି ନିସ୍ତରି।” ଏହି ବାଣୀ ଗଜ କାନରେ ପଡିଲା। ଏହାକୁ ମନ ମଧ୍ୟରେ ଚିନ୍ତନ କରୁଥିବା ସମୟରେ ତାର ବୀରଜିତ ନାମକ କୁମ୍ଭୀର ସହ ଦେଖାହେଲା। କୌଣସି ଏକ ପୂର୍ଣ୍ଣିମା ତିଥିରେ ସମୁଦ୍ରରେ ଆସିଥିବା ଜୁହାରରେ “ବୀରଜିତ ” ଭାସିଆସି ସମୁଦ୍ରଠାରୁ ଶତ ଯୋଜନ ଦୂରରେ ପଡିଗଲା। ପନ୍ଦର ଦିନ ପରେ ଗଜ ସହ ସାକ୍ଷାତ ପରେ ତା ସହ କପଟ ମିତ୍ରତା ସ୍ଥାପନ କରି ତାଙ୍କୁ ସମୁଦ୍ରରେ ଛାଡ଼ିଦେବାକୁ ଅନୁରୋଧ କରନ୍ତେ, ଗଜ ହରି ନାମ ଜପ ପ୍ରଭାବରେ ଦୟାବନ୍ତ ହୋଇଥିବାରୁ, ନିଜ ଥୋରରେ ଧରି କୁମ୍ଭୀରକୁ ସମୁଦ୍ରରେ ଛାଡିଲା। ହରିନାମ ପ୍ରଭାଵରେ ଏଠାରେ ଗଜର ମନ ସ୍ଥିର, କିନ୍ତୁ ପଞ୍ଚଦଶ ଦିବସ ଉପବାସ ଥିବାରୁ କୁମ୍ଭୀରର ଇନ୍ଦ୍ରିୟ ଲାଳସା ପ୍ରବଳ ତେଣୁ ସେ ମିତ୍ରତା ଭୁଲି ଚିନ୍ତାକଲା ।
“ଦେଖିଣ କୁମ୍ଭୀର ମନେ ବିଚାରିଲା ପୁଣି, ଏତେ କାଳରେ ବିଧାତା ଖାଦ୍ୟ ଦେଲା ଆଣି, ପଞ୍ଚଦଶ ଦିନ ମୋର ହୋଇଛି ଉପାସ, ଏହାକୁ ଭକ୍ଷିବି ଆଜ ରାତ୍ର ଯେ ଦିବସ। ତେଣୁ କପଟ ରେ ଗଜକୁ ଗଭୀର ଜଳକୁ ନେଇ ତାର ପାଦକୁ କାମୁଡି ଧଇଲା। ଖଣ୍ଡିକିଆ ହରିବଂଶ ଅନୁସାରେ ସେ ସମୟରେ ଉଭୟ ଚୌରାଶି କାଠି ଗଭୀର ଜଳ ରେ ଥାଆନ୍ତି। ଏଠାରେ ମଧ୍ୟ ମନ ଓ ଇନ୍ଦ୍ରିୟ ମଧ୍ୟରେ ସଂଘର୍ଷ ପୁଣି ଚୋୖରାଶି କାଠି ଜଳରେ। ଗଜଙ୍କ ମନ ଏଠି ଶାନ୍ତ ହରିନାମରେ ବ୍ୟସ୍ତ, କିନ୍ତୁ ଇନ୍ଦ୍ରିୟ ଜ୍ୱାଳାରେ (କ୍ଷୁଧା )ଆକ୍ରାନ୍ତ କୁମ୍ଭୀରର ମନ ଅଶାନ୍ତ। ପୁଣି ଚୋୖରାଶି କାଠି ଗଭୀର ଜଳ ତତ୍ତ୍ୱତଃ ଏଠାରେ ଚୋୖରାଶି ନର୍କର ପ୍ରତୀକ। ଅର୍ଥାତ ଇନ୍ଦ୍ରିୟ ଆସକ୍ତ ମନ ସର୍ବଦା ପାପରେ ଲିପ୍ତ ହୋଇ ନର୍କରେ ପତିତ ହୁଏ। କେବଳ ନିଜେ ପତିତ ହୁଏନି ନିଜ ସଙ୍ଗରେ ଥିବା ଜୀବକୁ ମଧ୍ୟ ସାଥିରେ ଟାଣିନିଏ। ସେଥିପାଇଁ ଶାସ୍ତ୍ର ଦୁଃର୍ଜ୍ଜନ ସଙ୍ଗ ବାରଣ କରି ସତସଙ୍ଗ କରିବାର ଉପଦେଶ ଦେଇଛି।
ଏହି ପ୍ରସଙ୍ଗରେ ଗଜ ମଧ୍ୟ ସ୍ୱଳ୍ପ ସମୟ ପାଇଁ ଗୌତମ ମହର୍ଷି ଙ୍କ ସଙ୍ଗ ଲାଭ କରି ହରି ନାମ ମାହାତ୍ମ୍ୟ ଶ୍ରବଣ କାରିଥିବାରୁ କିପରି ଉଦ୍ଧlର ହେଲା, ତାହା ଜାଣିବା ଆସନ୍ତୁ ।
“ଗଜର ଦେହ ବୁଡ଼ିଣ ଦିଶୁଅଛିଯେବେ
ସଂକଟେ ପଡନ୍ତେ ଗଜ ସ୍ମରେ ବାସୁଦେବେ,
ଗଜେନ୍ଦ୍ର ବୋଇଲା ଯାକୁ ସ୍ମରେ ଗୌତମ,
ଏହି ବେଳେ ସୁମରିବି ଶ୍ରୀପୁରୁଷୋତମ । “
ଏହା ପରେ ଗଜ କିପରି ଉଦ୍ଧାର ହେଲା ତାହା ଜାଣିବା। କିନ୍ତୁ ବର୍ତ୍ତମାନ ଆମେ ମଧ୍ୟ ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରିବା
“ଦୁଷ୍ଟ ନିବାରି ସନ୍ଥ ପାଳୁ,
ତୁ ନାଥ ପରମ ଦୟାଳୁ
ତୁ ଅଟୁ ଦରିଦ୍ର ଙ୍କ ଧନ
ତୋ ପlଦେ ରହୁ ମୋର ମନ
ସତୀ ଯୁବତୀଙ୍କର ମନେ
ନିଜର ସ୍ୱାମୀ ଥାନ୍ତି ଯେହ୍ନେ
ସେହି ପ୍ରକାରେ ମୋର ମନ
ତୋ ପାଦେ ରହୁ ଭଗବାନ
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.