Latest Odisha News

BREAKING NEWS

ସାନ୍ତାଳିଙ୍କ ପାଇଁ ମୋ ମା ପ୍ରେରଣାର ଉତ୍ସ: ଇତିଶ୍ରୀ ମୁର୍ମୁ

ଭୁବନେଶ୍ୱର:ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୈାପଦୀ ମୁର୍ମୁଙ୍କ ଝିଅ ହେଉଛନ୍ତି ଇତିଶ୍ରୀ ମୁର୍ମୁ । ରାଇରଙ୍ଗପୁରରେ ନିଜ ତିନି ମାସର ଝିଅକୁ ଖେଳାଉଥିବାବେଳେ ସେଦିନ ଆସିଥିଲା ଘନଘନ ଫୋନ  । ତାଙ୍କ ସଂପର୍କୀୟମାନେ ଫୋନରେ ଜଣାଉଥିଲେ ତାଙ୍କର ମା ହୋଇଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ । ଏକଥା ଫୋନରେ ଶୁଣିବା ବେଳେ ସେ ଏବଂ ତାଙ୍କ ମା ଏହାକୁ ବିଶ୍ବାସ କରିପାରୁନଥିଲେ । କାରଣ ସେତେବେଳେ ତାଙ୍କ ଗାଁରେ ପାଓ୍ବାର କଟ ହୋଇଥିଲା । ଘରେ ଥିବା ଟିଭି ଚାଲୁନଥିଲା  । ବାରମ୍ବାର ଫୋନ ଆସୁଥିଲା ଆଉ ଅଭିନନ୍ଦନ କରୁଥିଲେ ନିଜ ସଂପର୍କୀୟ ଆଉ ଶୁଭେଛୁମାନେ । ତେବେ କିଛି ସମୟ ପରେ ଯେତେବେଳେ ପାଓ୍ବାର ଆସିଥିଲା ସେତେବେଳେ  ଟିଭି ଲଗାଇଥିଲେ ଝିଅ ଇତିଶ୍ରୀ । ଆଉ ନିଉଜରେ ମା ଙ୍କର ଖବର ଦେଖିଥିଲେ ସେ ଏବଂ ପରିବାର ଲୋକ   ।  ଖବରର ସତ୍ୟାସତ୍ୟ ଉପଲବ୍ଧି କରିବା ପରେ ସେତେବେଳେ ପରିବାରରେ, ଗାଁରେ ଖୁସିର ଲହରି ଖେଳିଯାଇଥିଲା ।

ଦ୍ରୈାପଦୀ ମୁର୍ମୁଙ୍କୁ ଆନୁଷ୍ଠାନିକ ଭାବେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯାଇଥିଲା। ଏହି ଖବର ଦ୍ରୈାପଦୀ ମୁର୍ମୁ ମଧ୍ୟ ଶୁଣି ଆଶ୍ଚର୍ଯ୍ୟ ହୋଇଥିଲେ । ଯେତେ ଫୋନ ଆସୁଥିଲା ଇତିଶ୍ରୀ ସେ ସବୁ ଫୋନ ରିସିଭ କରିବା ସହ  ଉତ୍ତର ଦେବା ପାଇଁ ମା ଙ୍କୁ ଫୋନ ଧରାଇ ଦେଉଥିଲେ  । ସାହି ପଡିଶାର ଲୋକଠୁ ଆରମ୍ଭ କରି ସବୁ ବର୍ଗର ଲୋକ ଏଥିପାଇଁ ଅଭିନନ୍ଦନ, ଶୁଭେଚ୍ଛା ଜଣାଉଥିଲେ ଇତିଶ୍ରୀଙ୍କ ମା ଦ୍ରୈାପଦୀ ମୁର୍ମୁଙ୍କୁ । ଗଣମାଧ୍ୟମ କର୍ମଚାରୀ ମଧ୍ୟ ପହଁଚି ଯାଇଥିଲେ । ମାଙ୍କର ପ୍ରତିକ୍ରିୟା ନେବା ସହ ତାଙ୍କର ସାକ୍ଷାତକାର ମଧ୍ୟ ଟିଭିରେ ପ୍ରଚାରିତ ହେବାରେ ଲାଗିଥିଲା ।

ଝିଅ ଇତିଶ୍ରୀ କୁହନ୍ତି ସେ ଭୁବନେଶ୍ୱରର ଏକ ବ୍ୟାଙ୍କ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି । 35 ବର୍ଷିୟ ଇତିଶ୍ରୀ ବର୍ତ୍ତମାନ ମାତୃତ୍ୱକାଳୀନ ଛୁଟିରେ ଥିବାବେଳେ ଘରେ ମା ଙ୍କ ସହ ରହୁଛନ୍ତି । ଯେତେବେଳେ ଫୋନରୁ ସେ ଏହି ବଡ଼ ଖବର ଶୁଣିଲେ ତଥାପି  ଟିଭିରେ ଏହି ଖବର ପ୍ରସାରଣ ନହେବା ପର୍ଯ୍ୟନ୍ତ ତାଙ୍କ ପରିବାର ଏହାକୁ ବିଶ୍ୱାସ କରିନଥିଲେ ବୋଲି କହିଛନ୍ତି ଇତିଶ୍ରୀ। କାରଣ ଏଭଳି ଚର୍ଚା  2017 ରାଷ୍ଟ୍ରପତି ନିର୍ବାଚନରେ ​​ମଧ୍ୟ ହୋଇଥିଲା । ମୋ ମା’ଙ୍କ ନାମ ଚର୍ଚ୍ଚାକୁ ଆସିଥିଲା ।  ତେଣୁ, ମୁଁ ସରକାରୀ ଘୋଷଣାକୁ ଅପେକ୍ଷା କରିଥିଲି । ମୁଁ କେବେ ଭାବି ନଥିଲି ମୋ ମା ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟ ପାଇଁ ବିବେଚିତ ହେବେ ।  ମୁଁ ଅତ୍ୟଧିକ ଆନନ୍ଦିତ ବୋଲି କହିଛନ୍ତି ଇତିଶ୍ରୀ ।

ଆହୁରି ଇତିଶ୍ରୀ କହିଛନ୍ତି ଯେ  ତାଙ୍କ ମା ହେଉଛନ୍ତି ସାନ୍ତାଳି ଏବଂ ଆଦିବାସୀ ସମ୍ପ୍ରଦାୟର, ଜାତୀୟ ରାଜନୀତିରେ ପ୍ରତିଷ୍ଠିତ ହେବା ପୂର୍ବରୁ ସେ ସାନ୍ତାଳି ମାନଙ୍କର ଏବଂ ଆଦିବାସୀ ସମାଜର ଉନ୍ନତି ପାଇଁ ନିସ୍ବାର୍ଥଭାବରେ କାର୍ଯ୍ୟ କରୁଥିଲେ ।

ତାଙ୍କ ମା ଏକ ସ୍ଥାନୀୟ ବିଦ୍ୟାଳୟରେ ଶିକ୍ଷକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ପ୍ରଥମେ କାଉନସିଲର ଭାବରେ ଏବଂ ପରେ ବିଜେପିର ଅନୁସୂଚିତ ଜନଜାତି ମୋର୍ଚ୍ଚାର ଉପାଧ୍ୟକ୍ଷ ଭାବରେ ରାଜନୀତିରେ ପ୍ରବେଶ କରିଥିଲେ। 2000 ଏବଂ 2009ରେ ସେ ଦୁଇଥର ବିଜେପି ଟିକେଟରେ ବିଧାୟିକା ଭାବରେ ନିର୍ବାଚିତ ହୋଇଥିଲେ। 2000 ରେ ବିଜେଡି-ବିଜେପି ମେଂଟ ସରକାରରେ ସେ ବାଣିଜ୍ୟ ଏବଂ ପରିବହନ ଏବଂ ମତ୍ସ୍ୟ ଏବଂ ପଶୁପାଳନ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

ଏପରିକି ତାଙ୍କ ମା 2015 ରେ, ଯେତେବେଳେ ଝାଡଖଣ୍ଡର ପ୍ରଥମ ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ। ସେତେବେଳେ ମଧ୍ୟ ସେ ଏବଂ ତାଙ୍କ ପରିବାର ବହୁତ ଖୁସି ଅନୁଭବ କରିଥିଲେ ବୋଲି କୁହନ୍ତି ଇତିଶ୍ରୀ । ଇତିଶ୍ରୀ କୁହନ୍ତି “ମୋ ମା ଙ୍କୁ ଦିଆଯାଇଥିବା ଭୂମିକାକୁ ମୋ ମା ସର୍ବଦା ବୁଝନ୍ତି ଏବଂ ଜନସାଧାରଣଙ୍କ ସେବା କରିବାକୁ ଚେଷ୍ଟା କରନ୍ତି। ମା ସଫଳତାର ଏକ ସିଡ଼ି ସୃଷ୍ଟି କରିଛନ୍ତି  । କଠିନ ପରିଶ୍ରମ ମାଧ୍ୟମରେ ଉପରକୁ ଉପର ଚଢ଼ିବାରେ ଲାଗିଛନ୍ତି । ମୋ ମା ରାଷ୍ଟ୍ରପତି ହେବା କଥା କେବେ ଭାବି ନଥିଲେ କିନ୍ତୁ ପରିଶ୍ରମ କରି ଚାଲିଥିଲେ” ବୋଲି ଇତିଶ୍ରୀ କହିଛନ୍ତି।

 

ଏଠାରେ ସୂଚନାଯୋଗ୍ୟ 2009 ରୁ 2014 ମଧ୍ୟରେ ଦୁଇ ପୁଅ ଏବଂ ସ୍ୱାମୀଙ୍କୁ ହରାଇ  ଦ୍ରୈାପଦୀ ମୁର୍ମୁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେବେ ସେ ହାରିଯାଇନଥିଲେ । ଚୁପ ହୋଇ ବସିଯାଇନଥିଲେ । ଇତିଶ୍ରୀ କୁହନ୍ତି “ମା ଙ୍କର ବହୁତ ଧର୍ଯ୍ୟ ଅଛି । ଜବ୍ ସାରେ ଦରୱାଜେ ବନ୍ଦ ହୋ ଜାତେ ହେଁ, ତବ ଭି ଧର୍ଯ୍ୟ ନେହିଁ ଛୋଡି  । ଏହି ପୃଥିବୀରେ ରହିବା ପାଇଁ ଯେଉଁ ଧର୍ଯ୍ୟ ଦରକାର ମୁଁ ତାଙ୍କଠାରୁ ସେହି ଗୁଣ ଶିଖିଛି ବୋଲି ଇତିଶ୍ରୀ କହିଛନ୍ତି।

ଏଠାରେ କୁହାଯାଇପାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳରୁ ଦ୍ରୈାପଦୀଙ୍କୁ ସମର୍ଥନ ମିଳିଛି, ଦ୍ରୈାପଦୀ ମୁର୍ମୁ ଭାରତର ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ତାଙ୍କ ସପକ୍ଷରେ ସଂଖ୍ୟା ମଧ୍ୟ ରହିଛି। ଯଦି ଏହା ଘଟେ, ତେବେ ସେ ଭାରତର ପ୍ରଥମ ଆଦିବାସୀ ଏବଂ ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବେ । ତାଙ୍କର ସଫଳତାକୁ ତାଙ୍କ ଝିଅ ଅନୁଭବ କରନ୍ତି ଏବଂ ସାନ୍ତାଳ ସମ୍ପ୍ରଦାୟକୁ ଏହା ସଶକ୍ତ କରିବ ବୋଲି କହିଛନ୍ତି ଝିଅ ଇତିଶ୍ରୀ ।

ଝିଅ ଇତିଶ୍ରୀ କୁହନ୍ତି “ସାନ୍ତାଳ ସମ୍ପ୍ରଦାୟରେ ଅନେକ ସାମାଜିକ ପ୍ରତିବନ୍ଧକ ଅଛି ଯାହା ଏହି ସମାଜର ଯୁବତୀଙ୍କୁ ବଡ଼ ଲକ୍ଷ୍ୟ ହାସଲ କରିବାରେ ବାରଣ କରିଥାଏ  ।  ଆଦିବାସୀ ସହିତ ଜଡିତ ଅନେକ ସମସ୍ୟା ରହିଛି ଏବଂ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଆଗକୁ ଯିବା ଦରକାର  । ଇତିଶ୍ରୀ କୁହନ୍ତି  ମୋ ମା’ଙ୍କ କାହାଣୀ ସାନ୍ତଳ ସମାଜ ପାଇଁ ଏକ ପ୍ରେରଣା ଭାବରେ କାର୍ଯ୍ୟ କରିବ ଏବଂ ଆମ ସମାଜର ଉନ୍ନତିରେ ମଧ୍ୟ ସାହାଯ୍ୟ କରିବ ବୋଲି ଇତିଶ୍ରୀ କହିଛନ୍ତି।

Leave A Reply

Your email address will not be published.