ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୨୫
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଜେ ସ୍ଥଳ ରତ୍ନସିଂହାସନ ନୀଳାଦ୍ରି କନ୍ଦରରେ ଅବସ୍ଥିତ ହୋଇ ଥବାରୁ, କିଛି ଗବେଷକ ଏହାର ଅନ୍ୟ ଏକ ନାମ ନୀଳାଦ୍ରି ମଣ୍ଡପ ବୋଲି କହିଥାନ୍ତି। ଯଥା “ନୀଳାଦ୍ରି କନ୍ଦରାନନ୍ଦୀ ମନ୍ଦରାଳୟ ବନ୍ଦିତଂ ।” ଅବଶ୍ୟ ଜଣାଯାଏ ଠିକ ଏହି ସ୍ଥାନରେ ଘଞ୍ଚ ଅରଣ୍ୟ ପରିବେଷ୍ଠିତ ହୋଇ ଏକ ସ୍ପଟିକ ମଣିମୟ ବେଦୀ ରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରୀ ଇନ୍ଦ୍ରନୀଲ ମଣିମୟ ବିଗ୍ରହ “ନୀଳମାଧଵ “ଶବର ରାଜା ବିଶ୍ୱାବସୁ ଦ୍ୱାରା ପୂଜିତ ହେଉଥିଲେ। ସେହି ସ୍ଥାନରେ ଆମର ଶିଳ୍ପ ଶାସ୍ତ୍ର ଆଧାରରେ ରତ୍ନସିଂହାସନ ନିର୍ମିତ୍ତ ହୋଇଛି.ବିଶିଷ୍ଟ ପଣ୍ଡିତ, ସଂସ୍କୃତ ବିଶାରଦ ସୋମନାଥ ଦାଶ କୁହନ୍ତି, ଏହି ରତ୍ନସିଂହାସନର ପୂର୍ବ ଭାଗରେ ହୀରା, ପଶ୍ଚିମରେ ବୈଦୁର୍ଯ୍ୟ ଦକ୍ଷିଣରେ ମୁକ୍ତା, ଉତ୍ତରରେ ବିଦ୍ରୁମ ଅଗ୍ନିକୋଣରେ ସ୍ପଟିକ, ନୈଋତକୋଣରେ ପୁଷ୍ପରାଗ, ବାୟୁ କୋଣରେ ଚନ୍ଦ୍ରକାନ୍ତମଣି, ଐଶlନ୍ୟ କୋଣରେ ଇନ୍ଦ୍ରନୀଳମଣି, ଓ ମଧ୍ୟ ଭାଗରେ ବ୍ରହ୍ମରାଗ, ଅର୍ଥାତ ବ୍ରହ୍ମହୀରା ରଖାଯାଇ ମଣ୍ଡପ ନିର୍ମିତ୍ତ ହୋଇଛି। ଏଠାରେ ଆଉ ଏକ ବିଷୟରେ ଅବଗତ କରାଇବାକୁ ଚାହୁଁଛି। କେବଳ ଶିଳ୍ପ ଶାସ୍ତ୍ର ନୁହେଁ, ଏହି ବେଦୀ ନିର୍ମାଣରେ ତନ୍ତ୍ର ଉକ୍ତ ନିୟମ ପାଳନ ହୋଇଛି। ସିଂହାସନରେ ଶ୍ରୀଯନ୍ତ୍ର ବା ଶ୍ରୀଚକ୍ର ରଖାଯାଇଛି ଏହା ସହିତ ବାମରୁ ଦକ୍ଷିଣ କ୍ରମରେ ତାରାଯନ୍ତ୍ର, ଭୁବନେଶ୍ୱରୀ ଯନ୍ତ୍ର, ଓ ଶ୍ୟାମାଯନ୍ତ୍ର ସ୍ଥାପନ କରାଯାଇଛି, ଯାହା ଉପରେ ଶ୍ରୀବଲଭଦ୍ର, ମା ସୁଭଦ୍ରା, ପ୍ରଭୂ ଶ୍ରୀଜଗନ୍ନାଥ ବିରାଜମାନ କରିଛନ୍ତି। ଏହି ଅପୂର୍ବ ଦୃଶ୍ୟକୁ ମହର୍ଷି ବ୍ୟାସଦେବ, ନିଜ ରଚନା “ମହାପୁରୁଷବିଦ୍ୟା “ନବମ ଅଧ୍ୟାୟରେ ଅତି ସୁନ୍ଦର ବର୍ଣ୍ଣନା କଲେ,“ନୀଳାଦ୍ରୌ ଶଙ୍ଖମଧ୍ୟେ ଶତଦଳ କମଳେ ରତ୍ନସିଂହାସନସ୍ଥଂ ସର୍ବାଳଙ୍କାରଯୁକ୍ତଂ ନବଘନରୁଚିରଂ ସଂଯୁତଂ ଚା ଗ୍ରଜେନ, ଭଦ୍ରାୟl ବାମଭାଗେ ରଥ ଚରଣଯୁତଂ ବ୍ରହ୍ମରୁଦ୍ରେନ୍ଦ ବନ୍ଦ୍ୟଂ, ବେଦନାଂ ସlରମିଶଂ ସ୍ୱଜନପରିବୃତଂ ବ୍ରହ୍ମଦାରୁଂ ନମାମି ।” ଅର୍ଥାତ ନୀଳାଦ୍ରିର ଶଙ୍ଖାକାର କ୍ଷେତ୍ର ମଧ୍ୟରେ ଶତଦଳ କମଳ ଉପରେ ପ୍ରତିଷ୍ଠିତ ରତ୍ନସିଂହାସନ ଉପରେ ଇନ୍ଦ୍ରାଦି ଦେବତା ପୂଜିତ, ବେଦମାନଙ୍କର ସାର ସ୍ୱରୂପ ଚତୁର୍ଦ୍ଧା ମୂର୍ତ୍ତି ସ୍ୱଜନ ପରିବେଷ୍ଠିତ ହୋଇ ପୂଜା ପାଉଛନ୍ତି,ଯାହାଙ୍କୁ ବ୍ରହ୍ମଦାରୁ ରୂପେ ସ୍ମରଣ କରି ନମସ୍କାର କରିଛନ୍ତି।
ତେଵେ ଏହି ରତ୍ନ ମଣ୍ଡପରେ ଜୀବନ୍ତ ଶାଳଗ୍ରାମ ରହିଥିବା ବିଷୟରେ “ମୁକ୍ତି ଚିନ୍ତାମଣି “ଗ୍ରନ୍ଥରେ କଣ ଉଲ୍ଲେଖ ଅଛି ଜାଣିବା ଆଗାମୀ ଅଧ୍ୟlୟରେ ଏବେ କିନ୍ତୁ ଆରାଧନା ର ସମୟ, ପଢିବା
“ଏଣୁ ସ୍ବଧର୍ମେ ମୋର ପାଦେ
ଯେ ନର ଭଜେ ଅପ୍ରମାଦେ
ସେ ମୋତେ ଦେଖେ ସର୍ବଭୁତେ
ଯେ ରୂପେ ଅଛି ମୁଁ ଜଗତେ
ମୋର ଭକତି ବିନୁ ଆନେ
ସେ ନର କିଛିହିଁ ନ ଜlଣେ
ଦୃଢ଼ ଭକତି ଯୋଗ ବଳେ
ପଶେ ମୋ ଚରଣ କମଳେ”
ଜୟ ଜଗନ୍ନାଥ, (ଦ.ତ୍ରି. ଉବାଚ )
Comments are closed.