ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୩୧
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଉପଵେଶନ କରିଥିବା ରତ୍ନସିଂହାସନ ବିଷୟରେ ଅଳ୍ପ ବହୁତେ କିଛି ଜାଣିଲେ। କିନ୍ତୁ ସର୍ବଦା ସେହି ରତ୍ନସିଂହାସନଙ୍କୁ ଅନାଇ ରହିଥିବା ଭକ୍ତଶିରୋମଣି ଗରୁଡ଼ଙ୍କ ବିଷୟରେ କିଛି ଆଲୋଚନା ନକଲେ ମନ ସନ୍ତୁଷ୍ଟ ହେବନି। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଅରୁଣ ସ୍ତମ୍ଭ ଓମୁଖ୍ୟ ମନ୍ଦିର ଭିତରେ ଭୋଗମଣ୍ଡପ ଠିକ ଆଗରେ ଗରୁଡ଼ ସ୍ତମ୍ଭ ଉଭୟ ସ୍ତମ୍ଭ ଭକ୍ତମାନଙ୍କ ଅତ୍ୟନ୍ତ ପ୍ରିୟ। ମୁଁ ଭାବୁଛି ଏମିତି କେହି ଭକ୍ତ ନାହାନ୍ତି ଯେ ଥରେ ବି ଗରୁଡ଼ ସ୍ତମ୍ଭକୁ କୁଣ୍ଢେଇ ନାହାନ୍ତି। ଭକ୍ତଙ୍କ ଆଲିଙ୍ଗନରେ ସ୍ତମ୍ଭର ୩୦ ଭାଗ ଅଂଶ ସରିଗଲାଣି ତଥାପି ଭକ୍ତଙ୍କ ଆସ୍ଥା ରହିଛି ଅତୁଟ। ତେଵେ ଏହି ସ୍ତମ୍ଭ ଉପରେ ବସିଥିବା ଭକ୍ତ ଶିରୋମଣି ଗରୁଡ଼ କିଏ, କାହିଁକି ସେ ପ୍ରତିମୁହୂର୍ତ୍ତରେ ହାତଯୋଡି ପ୍ରଭୁଙ୍କ ଆଦେଶକୁ ଅପେକ୍ଷା କରିଛନ୍ତି ? ଏସବୁ ପ୍ରଶ୍ନର ଉତ୍ତର ତ ନିଶ୍ଚୟ ଖୋଜିବା କିନ୍ତୁ ତା ଆଗରୁ ଭକ୍ତରାଜଙ୍କ ପରି ଯୋଡହସ୍ତରେ ପ୍ରଭୁଙ୍କୁ ଡାକିବା
“କୃପାସିନ୍ଧୁ ବଦନ କରି ଅବଲୋକନ,
କେଉଁ କରମ ହୀନ ଜନ,
କାକୁସ୍ଥତର ହୋଇ,
କର ଯୋଡି ଜଣାଇ,
ଗରୁଡ଼ ସ୍ତମ୍ଭ ସନ୍ନିଧାନ ହେ ମହାପ୍ରଭୁ,
କୃପା ସରିତ ପତି ହୋଇ
କରୁଣା କଲ ନାହିଁ,
କିମ୍ପା ହେ ଭାବଗ୍ରାହୀ ” (ଆର୍ତ୍ତତ୍ରାଣ ଚଉତିଶା )
ଏଥିରୁ ପ୍ରତିପାଦିତ ହୁଏ ଗରୁଡ଼ ସ୍ତମ୍ଭ ପାଖରେ ରହି ପ୍ରଭୁଙ୍କୁ ପାର୍ଥନା କଲେ ତାହା ପ୍ରଭୁଙ୍କ କର୍ଣ୍ଣରେ ପଡେ (ପ୍ରଭୂଙ୍କ କର୍ଣ କିନ୍ତୁ ନାହିଁ )। ହୁଏତ ସେହି ବିଶ୍ୱାସ ନେଇ ଭକ୍ତଟିଏ ତାର ପାର୍ଥନା ଗରୁଡ଼ଙ୍କୁ ଶୁଣାଇ ତାଙ୍କରି ମାଧ୍ୟମରେ ପ୍ରଭୁଙ୍କର ଦୃଷ୍ଟିକୁ ନେଇଥାଏ। ଭକ୍ତରାଜ ଗରୁଡ଼ ମଧ୍ୟ ପ୍ରଭୁଙ୍କ ବାହାନ କାର୍ଯ୍ୟ ତୁଲାଇବା ସହ ଭକ୍ତ ମାନଙ୍କ ପାର୍ଥନା ତାଙ୍କ ନିକଟରେ ପହଞ୍ଚାଇ ଦେବାର କାର୍ଯ୍ୟ ସୁଚାରୁ ରୂପେ କରନ୍ତି।
ସବୁ ଦେବତାମାନଙ୍କର ସ୍ଵ ସ୍ଵ ବାହାନ ପରି, ଗରୁଡ଼ ମହାରାଜ ହେଉଛନ୍ତି ବିଷ୍ଣୁଙ୍କ ବାହାନ। ହିନ୍ଦୁ ଧର୍ମଧାରାରେ ପଶୁ ପକ୍ଷୀମାନଙ୍କ ଏଭଳି ସ୍ଥାନ ଆଉ କେଉଁ ମତରେ ଦେଖାଯାଏନି। ସୃଷ୍ଟି କର୍ତ୍ତା ବ୍ରହ୍ମlଙ୍କ ବାହାନ ହଂସ, ଦେବଦେବ ମହାଦେବଙ୍କ ବୃଷଭ, ପରମେଶ୍ୱର ବିଷ୍ଣୁଙ୍କ ଗରୁଡ଼, ଅଗ୍ରପୂଜ୍ୟ ଗଣେଶଙ୍କ ମୂଷିକ, ମା ଦୁର୍ଗାଙ୍କର ସିଂହ, ଧର୍ମରାଜ ଯମଙ୍କର ମଇଁଷି। ଏମିତି ଅନେକ ବାହାନଙ୍କ ମଧ୍ୟରେ କିନ୍ତୁ ଭକ୍ତଶିରୋମଣି ହେଲେ ଗରୁଡ଼। ତାଙ୍କ ବିଷୟରେ ଆହୁରି ଅନେକ କିଛି ଜାଣିବା ଆଗାମୀ ଅଧ୍ୟ୍ୟୟମାନଙ୍କରେ। ଏବେ ଆରାଧନାରେ ଭାଗବତରୁ ଦୁଇପଦ ଗାଇବା ।
“ଯେ ଜନ ଆତ୍ମା ତତ୍ତ୍ୱ ଜ୍ଞାନ
ଅନୁଭବରେ ବିଚକ୍ଷଣ
ବିମଳ ମତି ଧୀର ବାଣୀ
ଜଗତ ମାୟା ମାତ୍ର ଜାଣି
ସେ ଜ୍ଞାନ ଦେଇ ମୋ ଚରଣେ
ଭାବେ ଖଟିବ ଭୃତ୍ୟ ପଣେ
ମୋତେ ବାଛନ୍ତି ଜ୍ଞାନୀ ଜନ
ମୁଁ ତାଙ୍କ ପ୍ରିୟ ଇଷ୍ଟ ଧନ
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.