Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୫୧

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ରର ମହିମା ବର୍ଣନା କରିବା ସମୟରେ ମନେପଡନ୍ତି ପଞ୍ଚତୀର୍ଥ ।

“ଇନ୍ଦ୍ରଦ୍ୟୁମ୍ନ ସରସି ଚ ମାର୍କଣ୍ଡେୟ ହ୍ରଦେ ତଥା, ରହିଣ୍ୟାଂ ଚ ସମୁଦ୍ରେ ଚ ଶ୍ୱେତଗଙ୍ଗା ଜଳେଷୁ ଚ, ସ୍ନାନଂ ଯେ କୁର୍ବତେ ମର୍ତ୍ୟl ଭକ୍ତି ଭାବ ସମ୍ୱନ୍ୱିତଃ ତେଷନ ବିଦ୍ୟତେ ଜନ୍ମ ପୁନରସ୍ମିନ ମହୀତଳେ । ”

ଅର୍ଥାତ ଯେଉଁ ମାନେ ଶ୍ଳୋକ ବର୍ଣ୍ଣିତ ପଞ୍ଚତୀର୍ଥରେ ଭକ୍ତି ଓ ଭାବର ସହିତ ସ୍ନାନ କରନ୍ତି ତାଙ୍କର ଆଉ ପୁନର୍ଜନ୍ମ ହୋଇନଥାଏ ।
ଆଗରୁ ଆମେ ଜାଣିଥିଲେ ୩ ପ୍ରକାର ତୀର୍ଥ, ସ୍ଥାବର, ଜଙ୍ଗମ ଓ ମାନସ ତୀର୍ଥ । କିନ୍ତୁ ଶାସ୍ତ୍ର ତୀର୍ଥ ମାନଙ୍କୁ ୪ ପ୍ରକାର ମଧ୍ୟ କହିଥାଏ । ପିତୃତୀର୍ଥ ବ୍ରହ୍ମତୀର୍ଥ, ପ୍ରଜାପତି ତୀର୍ଥ ଓ ଦେବତୀର୍ଥ । କିନ୍ତୁ ବ୍ରହ୍ମପୁରାଣ କହେ ଚାରି ତୀର୍ଥ ହେଲେ, ଦେବ ତୀର୍ଥ, ଅସୁର ତୀର୍ଥ, ଆର୍ଷତୀର୍ଥ ଓ ମlନୁଷ ତୀର୍ଥ । ଆଲୋଚ୍ୟ ମାର୍କଣ୍ଡେୟ ସରୋବର ଆର୍ଷତୀର୍ଥ ଭାବରେ ପରିଚିତ । କାରଣ ମାର୍କଣ୍ଡ ଋଷିଙ୍କ ଉପସ୍ଥିତି ଏହାକୁ ଆର୍ଷତୀର୍ଥରେ ପରିଗଣିତ କରେ । ସର୍ବୋପରି ଏହି ତୀର୍ଥ ପୁଷ୍କରିଣୀ କୌଣସି ମନୁଷ୍ୟଙ୍କ ଦ୍ୱାରା ଖନନ କରାଯାଇ ନଥିବାରୁ ଏହା ମାନୁଷତୀର୍ଥ ଅନ୍ତର୍ଭୁକ୍ତ ନୁହେଁ । କୁହାଯାଏ ଏହି ପାବନ ଅlର୍ଷ ତୀର୍ଥରେ ସ୍ନାନ ସାରି, ଦେବତା, ଋଷି ଓ ପିତୃଗଣଙ୍କ ଉଦ୍ଦେଶ୍ୟରେ ତର୍ପଣ କରିସାରିବା ପରେ, ଏହି ସରୋବର କୂଳରେ ବିରାଜମାନ କରିଥିବା ଶିବ ଶମ୍ଭୁ ମାର୍କଣ୍ଡେଶ୍ୱରଙ୍କ ଦର୍ଶନ କରିବେ । ଯଥା “ବୃଷସ୍ୟ ବୃଷଣଂ ସୄଷ୍ଟl ଶଙ୍କରସ୍ୟାବଲୋକନଂ “ତତ ପରେ ଆରାଧନା ‘ତ୍ରିଲୋଚନ ନମୋସ୍ତୁତେ ନମସ୍ତେ ଶଶୀଭୁଷଣ, ତ୍ରାହିମାଂ ତ୍ବଂ ବିରୁପlକ୍ଷ ମହାଦେବ ନମୋସ୍ତୁତେ ।

ହେ ତ୍ରିଲୋଚନ, ହେ ଶଶୀଭୁଷଣ, ହେ ବିରୁପାକ୍ଷ, ହେ ମହାଦେବ ମୁଁ ଆପଣଙ୍କୁ ବାରମ୍ବାର ପ୍ରଣାମ କରୁଛି । ଆପଣ ମୋତେ ଉଦ୍ଧାର କରନ୍ତୁ । ଏହି ଭଳି ଆକୁଳତାର ସହ ବିଧି ପୂର୍ବକ ସ୍ନାନ, ଜଳ ଦାନ ଓ ମହାଦେବଙ୍କୁ ପୂଜନ ଏକତ୍ର ରାଜସ୍ୱୟ ଓ ଅଶ୍ୱମେଧ ଯଜ୍ଞ ଫଳ ପ୍ରଦାନ କରିଥାଏ । ସେହି ପାବନ ତୀର୍ଥଙ୍କୁ ପୁଣି ପ୍ରଣାମ କରିବା ଓ ଆଗାମୀ ସମୟରେ ଅନ୍ୟ ତୀର୍ଥଙ୍କ ଆଲୋଚନା ଜାରି ରଖିବା । ଏବେ ଭାଗବତ ପଠନର ସମୟ ।

ଏଣୁ ସ୍ବଧର୍ମେ ମୋର ପାଦେ
ଯେ ନର ଭଜେ ଅପ୍ରମାଦେ ।
ସେ ମୋତେ ଦେଖେ ସର୍ବଭୁତେ
ଯେ ରୂପେ ଅଛି ମୁଁ ଜଗତେ ।
ମୋର ଭକତି ବିନୁ ଆନେ
ସେ ନର କିଛିହିଁ ନ ଜlଣେ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.